ଅଢ଼େଇ ବର୍ଷ ପରେ ନିଜ ଘରକୁ ଫେରିଲା ରାୟପୁରର ନିଖୋଜ ବାଳକ, ଝାରସୁଗୁଡ଼ାରେ ଥିଲା

ରୋହନ୍‌ର ଆଧାର କାର୍ଡ ପ୍ରସ୍ତୁତ କରିବାକୁ ଆବେଦନ କରିବାରୁ ତା’ର ଟିପ ଚିହ୍ନକୁ ଆଧାର ସଫ୍ଟୱେର୍ ଗ୍ରହଣ କରି ନ ଥିଲା । ସେଥିରୁ ଜଣା ପଡ଼ିଥିଲା ଯେ ତା’ର ଅନ୍ୟ କୌଣସି ସ୍ଥାନରେ ଆଧାର କାର୍ଡ ଅଛି । ସ୍କୁଲ କତ୍ତୃପକ୍ଷ ହାଇଦ୍ରାବାଦରେ ଥିବା ଆଧାର କାର୍ଡର ମୁଖ୍ୟାଳୟ ସହ ଯୋଗାଯୋଗ ସ୍ଥାପନ କରିଥିଲେ ।

ଅଢ଼େଇ ବର୍ଷ ପରେ ନିଜ ଘରକୁ ଫେରିଲା ରାୟପୁରର ନିଖୋଜ ବାଳକ, ଝାରସୁଗୁଡ଼ାରେ ଥିଲା
ନିଜ ବାପାଙ୍କ ସହ ରୋହନ ସୋନା
  • News18 Odia
  • Last Updated: February 7, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁରେନ୍ଦ୍ର ବାରିକ | News18 Odia Digital

ଝାରସୁଗୁଡ଼ା: ରୂପେଲି ପରଦାର କାହାଣୀ ‘ବଜରଙ୍ଗୀ ଭାଇଜାନ’ର ବାସ୍ତବ ରୂପ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ । ଘଟଣା ଚ଼କ୍ରରେ ପଡ଼ି ନିଜ ପରିବାର ଠାରୁ ପ୍ରାୟ ଅଢ଼େଇ ବର୍ଷ ଧରି ଅଲଗା ହୋଇ ରହିବାକୁ ବାଧ୍ୟ ହେବା ପରେ ଜଣେ ମୂକ ଓ ବଧିର ବାଳକ ଶେଷରେ ଫେରିଆସିଛି ତା’ ପରିବାରକୁ । ଏହି କାହାଣୀର ଅସଲ ନାୟକ ହେଉଛନ୍ତି ଆଧାର କାର୍ଡ଼ ଓ ଚ଼ାଇଲ୍ଡ ଲାଇନ୍‌ ଟିମ୍‌ ।

ଛତ୍ତିଶଗଡ଼ର ରାଜଧାନୀ ରାୟପୁରର ଖମାତରାଇ ଅଞ୍ଚଳର ବାସିନ୍ଦା ରାଜାରାମ ସୋନାଙ୍କ ପୁଅ ରୋହନ ସୋନା ୨୦୧୭ ମସିହା ଜୁଲାଇ ମାସ ଆରମ୍ଭରେ ନିଖୋଜ ହୋଇଯାଇଥିଲା । ସେତେବେଳେ ତା’ର ବୟସ ୧୪ ବର୍ଷ । କଥା ଜମା କହିପାରେନି କି ତାକୁ କିଛି ଶୁଭେନି । ବହୁତ ଖୋଜାଖୋଜି ପରେ ବି ତାକୁ ନ ପାଇ ସୋନାରାମଙ୍କ ପରିବାର ବଡ଼ ଦୁଃଖରେ ରହୁଥିଲେ ।

ଇତି ମଧ୍ୟରେ ଝାରସୁଗୁଡ଼ା ଚାଇଲ୍ଡ ଲାଇନର ସ୍ୱେଚ୍ଛାସେବୀମାନେ ୨୦୧୭ ମସିହା ଜୁଲାଇ ୭ ତାରିଖରେ ଝାରସୁଗୁଡା ରେଳ ଷ୍ଟେସନରେ ରୋହନକୁ ଏକା ବୁଲୁଥିବା ଦେଖି ଓ ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣି ତାକୁ ଉଦ୍ଧାର କରିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ସେହି ଦିନ ଠାରୁ ଚାଇଲ୍ଡ ଲାଇନ ରୋହନକୁ ବୃନ୍ଦାମାଲରେ ଥିବା ମୂକ ବଧିରଙ୍କ ପାଇଁ ସ୍କୁଲରେ ନିଜ ହେପାଜତରେ ରଖିଥିଲା ।

ପିଲାଟି ପାଠ ପଢ଼ି ନ ଥିବାରୁ ମୂକ ବଧିରଙ୍କ ସାଇନ୍ ଲାଙ୍ଗୁଏଜ୍‌ ମଧ୍ୟ ଜାଣି ନ ଥିଲା । ଫଳରେ ତା’ର ପରିଚୟ ଓ ଠିକଣା ଜାଣିବା ମଧ୍ୟ ଉଭୟ ସ୍କୁଲ କତ୍ତୃପକ୍ଷ ଓ ଚାଇଲ୍ଡ ଲାଇନ ପାଇଁ କଷ୍ଟକର ହୋଇ ପଡିଥିଲା । କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୁଳକ କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୮ରେ ରୋହନର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିଥିଲେ, ହେଲେ ତାହା ପ୍ରସ୍ତୁତ ହୋଇ ପାରି ନ ଥିଲା ।

ରୋହନର ଆଧାର କାର୍ଡ ପ୍ରସ୍ତୁତ କରିବାକୁ ଆବେଦନ କରାଯିବା ପରେ ତା’ର ଟିପ ଚିହ୍ନକୁ ଆଧାର ସଫ୍ଟୱେର୍ ଗ୍ରହଣ କରି ନ ଥିଲା । ସେଥିରୁ ଜଣା ପଡ଼ିଥିଲା ଯେ ତା’ର ଅନ୍ୟ କୌଣସି ସ୍ଥାନରେ ଆଧାର କାର୍ଡ ଅଛି । ସ୍କୁଲ କତ୍ତୃପକ୍ଷ  ହାଇଦ୍ରାବାଦରେ ଥିବା ଆଧାର କାର୍ଡର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ ସ୍ଥାପନ କରି ତା’ର ଠିକଣା ଜାଣିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଏଭଳି ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ କାହାରିକୁ ଦିଆଯିବ ନାହିଁ କହି ଆଧାର କର୍ତ୍ତୃପକ୍ଷ ପ୍ରଥମେ  ସହଯୋଗ କରି ନ ଥିଲେ ।

‘‘ଆମେ ଉଦ୍ୟମ ଜାରି ରଖିଥିଲୁ । ପରେ ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତିର ହସ୍ତକ୍ଷେପ ଯୋଗୁଁ ଆଧାର ନେଟୱାର୍କରେ ରୋହନଙ୍କ ଫିଙ୍ଗର ପ୍ରିଣ୍ଟ୍‌ ମିଳାଗଳା ଓ ସେଥିରୁ ସେ ରାୟପୁରର ରାଜାରାମ ସୋନାଙ୍କ ପୁଅ ବୋଲି ଜଣାପଡ଼ିଲା । ଠିକଣା ମିଳିଯିବା ପରେ ଝାରସୁଗୁଡ଼ା ସି.ଡବ୍ଲୁ.ସି. ଓ ଚାଇଲ୍ଡ ଲାଇନ ପକ୍ଷରୁ ଛତ୍ତିଶଗଡ଼ ରାଜଧାନୀ ରାୟପୁରର ସି.ଡବ୍ଲୁ.ସି.ଙ୍କ ସହ ଯୋଗାଯୋଗ କରାଯାଇ ରୋହନର ପରିବାରକୁ ଠାବ କରାଯାଇଥିଲା,’’ କହିଛନ୍ତି ଝାରସୁଗୁଡ଼ା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ ପଣ୍ଡା ।

ପୁଅକୁ ଫେରି ପାଇ ଖୁସିରେ ଅଧୀର ସୋନାରାମ ତାକୁ ମିଠା ଖୁଆଉଛନ୍ତି ।


ଝାରସୁଗୁଡା ଶିଶୁ ମଙ୍ଗଳ ସମିତି (ସି.ଡବ୍ଲୁ.ସି.) ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ କହିଛନ୍ତି: ‘‘ରୋହନ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତା’ର ପରିବାରକୁ ଠାବ କରିବା ବହୁତ କଷ୍ଟକର ଥିଲା । ଆଧାର କାର୍ଡ଼ ନେଟୱାର୍କ ସହାୟତାରେ ତା’ ପରିବାର ସହିତ ଯୋଗାଯୋଗ ହୋଇ ପାରିଲା । ଶେଷରେ ତା’ ବାପା ଓ ମାମୁଁଙ୍କ ସହ ସେଠାକାର ପୋଲିସ ଏଠାକୁ (ଝାରସୁଗୁଡ଼ା) ଆସି ରୋହନକୁ ନିଜ ଘରକୁ ଫେରାଇ ନେଇଥିବାରୁ ବହୁତ ଖୁସି ଲାଗୁଛି’’ ।

ରୋହନ ସୋନାକୁ ବର୍ତ୍ତମାନ ବୟସ ୧୭ ବର୍ଷ । ଯେଉଁ ଝାରସୁଗୁଡ଼ା ରେଳ ଷ୍ଟେସନରୁ ସେ ଅଢେ଼ଇ ବର୍ଷ ପୂର୍ବେ ଉଦ୍ଧାର ହୋଇଥିଲା, ସେଇଠି ତା’ ବାପା ଓ ମାମୁଁଙ୍କ ସହ ନିଜ ଘରକୁ ଫେରିଯିବା ବେଳେ ତା’ ଆଖି ଛଳଛଳ ହୋଇ ପଡ଼ିଥିଲା । ଏତେ ଦିନ ପରେ ପୁଅକୁ ଫେରି ପାଇ ତା’ ବାପା ସୋନାରାମ ବି କାନ୍ଦି ପକେଇଥିଲେ ଓ ଚାଇଲ୍ଡ ଲାଇନକୁ ଅଶେଷ ଧନ୍ୟବାଦ ଜଣାଇଥିଲେ୍ ।

‘‘ରୋହନ ସବୁ ଦିନ ଭଳି ୨୦୧୭ ମସିହା ଜୁଲାଇ ୭ ତାରିଖରେ ପାର୍କକୁ ସକାଳେ ବୁଲିବାକୁ ଯାଇଥିଲା । ହେଲେ ସେଦିନ ଆଉ ଘରକୁ ଫେରି ନ ଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାକୁ ନ ପାଇବାରୁ ଆମେ ସ୍ଥାନୀୟ ଥାନାରେ ସେ ନିଖୋଜ ହେବାର ଅଭିଯୋଗ କରିଥିଲୁ,’’ କହିଛନ୍ତି ରୋହନର ବାପା ସୋନାରାମ ।

ତା’ ମାମୁଁ ଦେବକୁମାର କହିଛନ୍ତି: ‘‘ଆମେ ଝାରସୁଗୁଡ଼ା ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ଚ଼ୀର ଋଣୀ ରହିବୁ । ସେମାନେ ହିଁ ରୋହନକୁ ଭଲରେ ରଖିଥିଲେ ଓ ସେମାନଙ୍କ ଚ଼େଷ୍ଟା ଯୋଗୁଁ ହିଁ ଆମେ ତାକୁ ଫେରି ପାଇଲୁ’’ ।
First published: February 7, 2020, 11:00 PM IST
corona virus btn
corona virus btn
Loading