ସେବାର ଦେବୀ ମୂର୍ତ୍ତି: ବଲାଙ୍ଗିରର ନର୍ସ ମମତା ଭୋଇଙ୍କୁ ମିଳିଲା ଜାତୀୟ ପୁରସ୍କାର

ଡାକ୍ତର ନ ହୋଇ ବି ଡାକ୍ତରଙ୍କ ଭଳି ଗଳାରେ ସ୍ଟେଥୋସ୍କୋପ୍ ଝୁଲେଇ ରୋଗୀ ଦେଖୁଥିବା ମମତା ଭୋଇ ଏ ଅଞ୍ଚଳର ସବୁ ବାସିନ୍ଦାଙ୍କର ପ୍ରିୟ । ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମ୍ମାନ ଓ ସ୍ନେହରେ ‘‘ମମତା ଦିଦି’’ ଡାକନ୍ତି । ସମର୍ପିତ ରୋଗୀ ସେବା ପାଇଁ ତାଙ୍କୁ ମିଳିଛି ଜାତୀୟ ସ୍ତରରେ ନର୍ସିଂ କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ – ଫ୍ଲୋରେନ୍ସ୍ ନାଇଟିଙ୍ଗେଲ୍ ପୁରସ୍କାର ।

ସେବାର ଦେବୀ ମୂର୍ତ୍ତି: ବଲାଙ୍ଗିରର ନର୍ସ ମମତା ଭୋଇଙ୍କୁ ମିଳିଲା ଜାତୀୟ ପୁରସ୍କାର
ଜଣେ ଅସୁସ୍ଥ ମହିଳା ପାଇଁ ଔଷଧ ଲେଖୁଛନ୍ତି ନର୍ସ ମମତା ଭୋଇ ।
  • News18 Odia
  • Last Updated: December 13, 2019, 8:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଚ଼ନ୍ଦ୍ରଭାନୁ ମୋଲାଣା | News18 Odia Digital

ବଲାଙ୍ଗିର: ପାହାଡ଼ ଓ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ, ଯେଉଁଠି ନକ୍ସଲ୍‌ଙ୍କ ଭୟରେ ଲୋକେ ତ ସନ୍ଧ୍ୟା ପରେ ଘରୁ ବାହାରନ୍ତି ନାହିଁ, ସରକାରୀ ବାବୁ ବି ସେହି ଡରରେ କେବେ ଏଠାକୁ ଆସନ୍ତିନି, ଏମିତି ଅଞ୍ଚଳରେ ଗଲା ଦଶ ବର୍ଷ ହେଲା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେଇଆସୁଛନ୍ତି ଜଣେ ନର୍ସ । ଏବେ ତାଙ୍କର ନିଃସ୍ୱାର୍ଥ ସେବା ପାଇଁ ତାଙ୍କୁ ମିଳିଛି ଜାତୀୟ ସ୍ତରରେ ନର୍ସିଂ କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର ।

ସେ ହେଉଛନ୍ତି ମମତା ଭୋଇ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ସୁନାମୁଦି ଗାଁରେ ଥିବା ସରକାରୀ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଏଏନ୍‌ଏମ୍‌ (ଅଗ୍ଜିଲିଆରି ନର୍ସିଂ ମିଡ୍‌ୱାଇଫ୍‌) । ତାଙ୍କୁ ଏ ବର୍ଷର ଜାତୀୟ ଫ୍ଲୋରେନ୍ସ୍‌ ନାଇଟିଙ୍ଗେଲ୍ ପୁରସ୍କାର ମିଳିଛି । ଡିସେମ୍ୱର ୫ ତାରିଖରେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ମମତାଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ପୁରସ୍କାର ପାଇ ମମତା ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ସୁନାମୁଦି ଗାଁ । ଚାରିଆଡ଼େ ପାହାଡ଼ ଓ ଜଙ୍ଗଲ ଘେରା । ଏଠି ବି ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ । ଯେତିକି ଦୁର୍ଗମ, ସେତିକି ଦୁର୍ଭେଗ୍ୟ ଏ ଅଞ୍ଚଳ । ବଲାଙ୍ଗିରଠାରୁ ୯୨ କିଲୋମିଟର, ଆଉ ଖପ୍ରାଖାଲ ବ୍ଲକ ମୁଖ୍ୟାଳୟଠାରୁ ୨୨ କିଲୋମିଟର ଦୂରରେ ସୁନାମୁଦି ଗାଁ । ଯେଉଁ ଗାଁରେ କେବେ ସରକାରୀ ବାବୁଙ୍କ ପାଦ ପଡ଼ିନି, ସେ ଗାଁକୁ ନେଇ ଏବେ ଦିଲ୍ଲୀରେ ଚର୍ଚ୍ଚା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପୁରସ୍କାର ନେଉଛନ୍ତି ମମତା ଭୋଇ ।


ମମତା ଜାତୀୟ ପୁରସ୍କାର ପାଇବା ପରେ ସୁନାମୁଦି ଗାଁ ଓ ସେଠାକାର ସରକାରୀ ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବେ ଜାତୀୟ ଗଣମାଧ୍ୟମର ଶିରୋନାମାକୁ ଆସିଛି । ଡାକ୍ତର ନ ହୋଇ ବି ଡାକ୍ତରଙ୍କ ଭଳି ଗଳାରେ ସ୍ଟେଥୋସ୍କୋପ୍‌ ଝୁଲେଇ ରୋଗୀ ଦେଖୁଥିବା ମମତା ଭୋଇ ଏ ଅଞ୍ଚଳର ସବୁ ବାସିନ୍ଦାଙ୍କର ପ୍ରିୟ ମଣିଷ । ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମ୍ମାନ ଓ ସ୍ନେହରେ ‘‘ମମତା ଦିଦି’’ ଡାକନ୍ତି ।

ପ୍ରସବ କରେଇବା, ଶିଶୁଙ୍କ ଟିକାକରଣ କରେଇବା, ଛୋଟମୋଟ ରୋଗ ପାଇଁ ବୃଦ୍ଧବୃଦ୍ଧାଙ୍କୁ ଇଞ୍ଜେକ୍ସନ୍‌ ଦେବା, ରକ୍ତଚାପ ମାପିବା ଓ ଔଷଧ ଦେବା ଆଦି ଯାବତୀୟ ଡାକ୍ତରୀ କାମ କରନ୍ତି ମମତା ଦିଦି । ସେଥିପାଇଁ ତାଙ୍କ ପାଖରେ ପ୍ରବଳ ଭିଡ଼ । ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସେ ନିଜେ ରହୁଥିବାରୁ ରାତିଦିନ ୨୪ ଘଣ୍ଟା ଲୋକଙ୍କ ସେବା କରି ପାରନ୍ତି ।

ଦଶ ବର୍ଷ ତଳେ ଆଗଲପୁର ନଅଗାଁ (ଖ)ର ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ବଦଳି ହୋଇ ସୁନାମୁଦିକୁ ଆସିଥିଲେ ମମତା । ଭଡ଼ା ଘରେ ରହି ରୋଗୀ ସେବା ଆରମ୍ଭ କରିଥିଲେ । ଜନନୀ, ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ସବୁ ଯୋଜନାକୁ ଘର ଘର ବୁଲି ପହଞ୍ଚାଇଲେ । ମହିଳାଙ୍କ ପ୍ରସବ ହେଉ କି ଶିଶୁଙ୍କ ଟିକାକରଣ ଅବା ପରିବାର ନିୟନ୍ତ୍ରଣ, ଲୋକଙ୍କ ଘରେ ପହଞ୍ଚି ଏସବୁ ସଫଳତାର ସହ କରାଇଲେ ସେ ।

ସୁନାମୁଦି ଗାଁଠାରୁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ୧୬ କିଲୋମିଟର । ରାସ୍ତାଘାଟ ନ ଥିବାରୁ ଦେହପା’ ଖରାପ ହେଲେ ସେଠାରେ ପହଞ୍ଚିବା ମୁସ୍କିଲ୍‌ । ହେଲେ ମମତା ଦିଦି ଆସିବା ଦିନ ଠାରୁ ଲୋକଙ୍କର ଆଉ ସେ ଚିନ୍ତା ନାହିଁ । ଲୋକଙ୍କୁ ୨୪ ଘଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟସେବା ଦେଇ ଏ ଅଞ୍ଚଳରୁ ଶିଶୁ ଓ ମାତୃ ମୃତ୍ୟୁହାର ଆଶାତୀତ ଭାବେ କମେଇ ଦେଇଛନ୍ତି ସେ ।

ଜଣେ ଅସୁସ୍ଥ ମହିଳାର ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ନର୍ସ ମମତା ଭୋଇ ।


ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ମାତୃତ୍ବ ଓ ଶୈଶବକୁ ସୁରକ୍ଷିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମମତାଙ୍କୁ ମିଳିଛି ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର । ନିଜ ଜୀବନରେ ପରିବାର ଅପେକ୍ଷା ଜନ ସେବାକୁ ସେ ପ୍ରାଥମିକତା ଦେଇଛନ୍ତି ବୋଲି କହନ୍ତି ଏ ଅଞ୍ଚଳର ଲୋକେ ।

ବଲାଙ୍ଗିର ଓ ନୂଆପଡ଼ାରେ ନିଜ ଦୁଇ ଝିଅଙ୍କୁ ଆବାସିକ ସ୍କୁଲରେ ପାଠ ପଢ଼ାଇ ୧୦ ବର୍ଷ ହେଲା ମମତା ନିଜେ ରହୁଛନ୍ତି ସୁନାମୁଦି ହେଲ୍ଥ୍‌ ସବ୍‌ସେଣ୍ଟର୍‌ରେ । ଆଖପାଖ ଆଠ ଖଣ୍ଡ ଗାଁ ବୁଲି ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ଜଳ ଓ ପରିମଳର ବାର୍ତ୍ତା ବି ବାଣ୍ଟୁଛନ୍ତି ସେ । ଏବେ ସୁନାମୁଦି ଅଞ୍ଚଳରେ ସମସ୍ତଙ୍କ ମୁହଁରେ ମମତା ଦିଦିଙ୍କ ସମର୍ପିତ ସେବାର କାହାଣୀ ।

ଆଧୁନିକ ନର୍ସିଂର ଜନନୀ ବ୍ରିଟିଶ୍‌ ନର୍ସ୍‌ ଫ୍ଲୋରେନ୍ସ୍‌ ନାଇଟିଙ୍ଗେଲ୍‌ଙ୍କ ନାଆଁରେ ସ୍ଥାପିତ ଏ ଜାତୀୟ ପୁରସ୍କାର ୧୯୭୩ ରୁ ଦିଆ ହୋଇ ଆସୁଛି । ନର୍ସିଂ କ୍ଷେତ୍ରରେ ଉଲ୍ଲେଖନୀୟ ଓ ନିଃସ୍ୱାର୍ଥ ଅବଦାନ ପାଇଁ ଏ ପୁରସ୍କାର ପ୍ରତି ବର୍ଷ ଦିଆ ଯାଏ ।
First published: December 13, 2019, 8:11 PM IST
corona virus btn
corona virus btn
Loading