News18 Odia Digital
ପୁରୀ: ୬ ମାସ ପରେ ଦାହ ହେଲା ଶବ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବୀରକେଶପୁରର। ଏହି ବ୍ଲକର ବାବୁଲି ବିଶ୍ବାଳ କାମ କରିବାକୁ ଓମାନ ଚାଲିଯାଇଥିଲେ। ୧୦ ବର୍ଷ ତଳେ ବାବୁଲି ଓମାନ ଯାଇ ସେଠାରେ ଏକ କମ୍ପାନୀରେ ମିସ୍ତ୍ରୀ ରୂପେ କାମ କରୁଥିଲେ। ହେଲେ ଗତ ବର୍ଷ ନଭେମ୍ବର ୧୦ ତାରିଖରେ ବାବୁଲି ଆତ୍ମହତ୍ୟା କରିଥିବା ନେଇ ପରିବାରଲୋକଙ୍କ ନିକଟକୁ ଖବର ଆସିଥିଲ।
ଶବ ଫେରାଇଲା ହେଲେ ସହାୟତା ଦେଲାନି କମ୍ପାନୀ। ବେସାହାରା ଏବେ ୪ ସନ୍ତାନ ସନ୍ତତି। ଦିନେ କି ସପ୍ତାହେ ନୁହେଁ, ମୃତ୍ୟୁର ୬ ମାସ ପରେ ଦାହ ହେଲା ଶବ। ଆଇନଗତ ଲଢ଼େଇ ଏବଂ କମ୍ପାନିର ଜିଦ୍ ଯୋଗୁଁ ଶବ ବି ମୋକ୍ଷ ପାଇବାକୁ ଲାଗିଗଲା ଦୀର୍ଘ ୬ ମାସ ୯ ଦିନ।
ଶେଷରେ ପୁରୀ ଆଣି ସ୍ବର୍ଗ ଦ୍ବାରରେ ଶବକୁ ଦାହ ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର। ଅଭାବୀ ପରିବାରର ନ୍ୟାୟିକ ଲଢ଼େଇ ଏବଂ ଦଗାଦିଆ କମ୍ପାନୀର ସମ୍ବେଦନହୀନ କାର୍ଯ୍ୟ ଦୀର୍ଘ ୬ ମାସ ହେଲା ଦୁଃଖ ଭୋଗିଛନ୍ତି ବାବୁଲି ବିଶ୍ବାଳଙ୍କ ପରିବାର।
ସ୍ବାମୀଙ୍କ ମୃତ୍ୟୁର ୬ ମାସ ପରେ ଶବକୁ ମଶାଣି ନେବା ସମ୍ଭବ ହୋଇନଥିବାରୁ ଅଦେଖା ଲୁହରେ ଭିଜୁଥିବା ବାବୁଲିଙ୍କ ପତ୍ନୀ ସାବିତ୍ରୀରେ ସ୍ବାମୀଙ୍କୁ ପାଖରେ ସିନା ପାଇଲେ, କିନ୍ତୁ ଶବ ରୂପରେ।
ମୃତ ବାବୁଲି ବିଶ୍ବାଳ ଦୀର୍ଘ ୧୦ ବର୍ଷ ହେଲା ଓମାନ ଚାଲି ଯାଇଥିଲେ। ଓମାନର ସୁଲତାନେଟରେ ‘ଅଲ ଅଦରକ ଟ୍ରେଡିଙ୍ଗ ଆଣ୍ଡ କଣ୍ଟ୍ରାକ୍ଟିଙ୍ଗ’ କମ୍ପାନୀରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପ୍ରତି ବର୍ଷ ଘରକୁ ଆସୁଥିଲେ। ମାତ୍ର ଗତ ୩ ବର୍ଷ ହେଲା ଘରକୁ ଆସିବା ବନ୍ଦ କରିଦେଇଥିଲେ। କିନ୍ତୁ ଘର ସହ ନିୟମିତ ବ୍ୟବଧାନରେ ଫୋନ ଯୋଗେ କଥା ହେଉଥିଲେ।
ଗତ ବର୍ଷ ନଭେମ୍ବର ୯ ତାରିଖରେ ଘର ଲୋକଙ୍କ ସହ ରାତିରେ କଥା ହୋଇଥିଲେ। କିନ୍ତୁ ପରଦିନ ଅର୍ଥାତ ୨୦୨୨ ନଭେମ୍ବର ୧୦ ତାରିଖରେ ଖବର ଆସିଲା, ବାବୁଲି ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। କମ୍ପାନୀର ମ୍ୟାନେଜର କହିଥିଲେ, ‘‘ତୁରନ୍ତ ଶବ ନେବାକୁ ବ୍ୟବସ୍ଥା କର। ଏଣେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ବାବୁଲିଙ୍କ ପତ୍ନୀ ସଂଯୁକ୍ତା ବିଶ୍ବାଳ ଆବାକ ହୋଇଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ଯେତିକି ମ୍ରିୟମାଣ କରିଥିଲା। ଗୋଟିଏ ପୁଅ ଓ ୩ ଝିଅଙ୍କ ପେଟକୁ କିଭଳି ଆହାର ଦେବେ ସେହି ଚିନ୍ତା ତାଙ୍କୁ ଝୁଣି ପକେଇଥିଲା।
ସଂଯୁକ୍ତା ସ୍ବାମୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନଥିଲେ। ତଥାପି ପିଲାମାନଙ୍କ ମୁହଁକୁ ଚାହିଁ ଶବ ଫେରାଇବା ସହ କିଛି ଆର୍ଥିକ ସହାୟତା ଦାବି କରିଥିଲେ। କିନ୍ତୁ ଯେଉଁ କମ୍ପାନୀକୁ ତାଙ୍କ ସ୍ବାମୀ ୧୦ ବର୍ଷ ସମର୍ପିତ କରିଦେଇଥିଲେ, ସେ କମ୍ପାନୀ ବାବୁଲିଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଲା ଓ ଶବ ନନେଲେ ପୋତି ଦେବାକୁ ଧମକ ମଧ୍ୟ ଦେଉଥିଲେ।
ତେବେ ପୁଅଙ୍କ କହିବା ଅନୁଯାୟୀ ମୃତ୍ୟୁର ପୂର୍ବଦିନ ରାତିରେ ଭଲରେ କଥା ହୋଇଥିବା ତାଙ୍କ ବାପା ଆତ୍ମହତ୍ୟା କରିବାର କୌଣସି କାରଣ ନଥିଲା। ତେଣୁ ସେ ଓ ତାଙ୍କ ପରିବାର ବାପାଙ୍କର ଶବ ବ୍ୟବଚ୍ଛେଦ ଦାବି କରିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ କରିବା ନେଇ କମ୍ପାନୀ ସହମତ ହୋଇନଥିଲା।
ପଢ଼ନ୍ତୁ ଏହି ଖବର: Worship: କାହିଁକି ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ପୂଜା କରାଯାଏ? ଜାଣନ୍ତୁ ଏହାର ମହତ୍ତ୍ବକମ୍ପାନୀଠାରୁ ନିରାଶ ହେବା ପରେ ବାଣପୁର ଥାନାରେ ସଂଯୁକ୍ତା ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ସ୍ଥାନୀୟ ସମାଜସେବୀ ବାବୁଲି ସାହୁଙ୍କ ସହଯୋଗରେ ଶବକୁ ଆଣି ଶେଷକୃତ୍ୟ କରିବା ପାଇଁ ମନସ୍ଥ କଲେ। ଆମ୍ବାସି ସହ ଯୋଗାଯୋଗ କରିବା ପରେ ଶବ ସିନା ଓଡ଼ିଶାକୁ ଫେରି ଆସିଛି, କିନ୍ତୁ ବେସାହାରା ହୋଇଯାଇଥିବା ପରିବାରକୁ ଏଯାବତ ନ୍ୟାୟ ମିଳିନଥିବା କହିଛନ୍ତି ପୁଅ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।