ତପନ ସ୍ୱାଇଁ | News18 Odia Digital
ଭଦ୍ରକ: ପାଞ୍ଚ ଦିନ ଧରି ନିଖୋଜ ଥିବା ବନ୍ଧନ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ମୃତ ଶରୀର ଆଜି ବୈତରଣୀ ନଦୀ ପଠାରୁ ଉଦ୍ଧାର ହୋଇଛି । ମୃତ ଯୁବତୀ ଆଶାଲତା ଭୁୟାଁ (୨୨ ବର୍ଷ) ଆଗରପଡ଼ା ଥାନା ଅନ୍ତର୍ଗତ ବିଶଲକଣା ଗ୍ରାମର ସନାତନ ଭୂୟାଁଙ୍କ ଝିଅ ବୋଲି ଜଣା ପଡ଼ିଛି ।
ଆଶାଲତା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଗତ ଶନିବାର ଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ଗ୍ରାମାଞ୍ଚଳ ଥାନାରେ ଏକ ମିସିଙ୍ଗ କେଶ ମଧ୍ୟ ରୁଜୁ ହୋଇଥିଲା ।
କିଛି ଦିନ ତଳେ ଆଖୁଆପଦା ବୈତରଣୀ ନଦୀ ପୋଲ ଉପରେ ଆଶାଲତାଙ୍କ ସ୍କୁଟି ମିଳିଥିଲା । ସ୍କୁଟିଟିକୁ ଜଣେ ଟ୍ରକ ଡ୍ରାଇଭର ପାଣିକୋଇଲି ପୋଲିସକୁ ହସ୍ତାନ୍ତର କରିଥିଲେ ।
ଆଜି ସକାଳେ ଆଖୁଆପଦା ସ୍ଥିତ ବୈତରଣୀ ନଦୀ ପଠାରୁ ଯୁବତୀଙ୍କ ମୃତ ଶରୀର ଭାସୁଥିବାର ଗ୍ରାମବାସୀ ଦେଖି ପୋଲିସ କୁ ଖବର ଦେଇଥିଲେ । ଭଣ୍ଡାରିପୋଖରୀ ପୋଲିସ ମୃତ ଶରୀରକୁ ଉଦ୍ଧାର କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି ।

ଆଶାଲତା ଭୁୟାଁଙ୍କ ମୃତ ଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଯୁବତୀଙ୍କ ମୃତ୍ୟୁର କାରଣ ଭୀଷଣ ସନ୍ଦେହର ଘେରରେ ରହିଛି । ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କହିଛି ପୋଲିସ । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଶାଲତାଙ୍କ ପରିଜନଙ୍କ ପକ୍ଷରୁ ମୃତ ଦେହକୁ ଭଦ୍ରକ ଏସପିଙ୍କ ଅଫିସ ସମ୍ମୁଖରେ ରଖି ଧାରଣା ଦିଆ ଯାଇଥିଲା ।
‘‘ମୋ’ ଝିଅର ମୃତ୍ୟୁ ଆଦୌ ସ୍ୱାଭାବିକ ମୃତ୍ୟୁ ନୁହେଁ । ତାକୁ ହତ୍ୟା କରାଯାଇଛି । ପୋଲିସ ତଦନ୍ତ କରି ଦୋଷୀକୁ ଶୀଘ୍ର ଗିରଫ କରି କଠୋର ଦଣ୍ଡର ବ୍ୟବସ୍ଥା କରିବା ଉଚ଼ିତ,’’ କହିଛନ୍ତି ଆଶଆଲତାଙ୍କ ବିଳାପ କରୁଥିବା ବାପା ସନାତନ ଭୁୟାଁ ।
ଘଟଣା ସ୍ଥଳରେ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଝିଅର ପରିଜନଙ୍କୁ ବୁଝାଇବା ପରେ ସେମାନେ ଧାରଣାରୁ ଉଠିଥିଲେ ଓ ଆଶାଲତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ।
ତଦନ୍ତକାରୀ ପୋଲିସ ଆସନ୍ତାକାଲି ଆଶଆଲତାଙ୍କ ସହକର୍ମୀମାନଙ୍କୁ ଓ ତାଙ୍କ ସହ ଘନିଷ୍ଠ ବନ୍ଧୁତା ଥିବା କିଛି ବ୍ୟକ୍ତିଙ୍କୁ ପଚ଼ରାଉଚ଼ରା କରିବ ବୋଲି ଜଣାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।