ନଦୀରେ ଭାସୁଥିବା ଅଖା ଭିତରୁ ବାହାରିଲା ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଅଖାଟି ନ ଭାସି ପାଣିରେ ବୁଡ଼ି ରହିବା ସୁନିଶ୍ଚିତ କରିବା ପାଇଁ ସେଥିରେ ବଡ଼ବଡ଼ କେତୋଟି ପଥର ବି ରଖାଯାଇଥିଲା । ମୃତ ଦେହ ଦୁଇଟିରୁ ଉଭୟଙ୍କ ବୟସ ପଚ଼ିଶିରୁ ତିରିଶି ଭିତରେ ହେବ ବୋଲି ଅନୁମାନ କରାଯାଉଛି ।

ନଦୀରେ ଭାସୁଥିବା ଅଖା ଭିତରୁ ବାହାରିଲା ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ; ହତ୍ୟା ସନ୍ଦେହ
ଗ୍ରାମବାସୀମାନେ ଅଖା ଖୋଲି ମୃତ ଦେହ ଦୁଇଟିକୁ ବାହାର କରୁଛନ୍ତି ।
  • News18 Odia
  • Last Updated: February 8, 2020, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେଉଁଝର: ବୈତରଣୀ ନଦୀରେ ଭାସୁଥିବା ଗୋଟେ ଅଖା ଭିତରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ମିଳିଛି । ଶବ ଦୁଇଟିକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠେଇଛି ବାରିଆ ଥାନା ପୋଲିସ ।

ଫୁଲକଅଁଳେଇ ଗାଆଁ ନିକଟରେ ବହିଯାଉଥିବା ବୈତରଣୀ ନଦୀରେ ଅଖାଟି ଭାସୁଥିବାର ଗ୍ରାମବାସୀମାନେ ଗତ କାଲି ଦେଖିଥିଲେ । ଆଜି ସକାଳେ ଅଖାଟିକୁ କୂଳକୁ ଟାଣି ଆଣି ତାକୁ ଖୋଲି ଦେଖିବାରୁ ସେଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ଥିବା ଦେଖି ଗ୍ରାମବାସୀମାନେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

ମୃତ ପୁରୁଷଙ୍କ ଦେହରେ ଏକ ନୀଳ ଜିନ୍ସ୍‌ ଓ ଏକ ସାର୍ଟ ଅଛି ଓ ମୃତା ମହିଳା ଏକ ଶାଢ଼ୀ ଓ ତା’ ଉପରେ ଜିନ୍ସ୍‌ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ପୁରୁଷ ଜଣଙ୍କ ପାଦରେ ବୁଟ୍‌ ଜୋତା ଅଛି । ତାଙ୍କ ଦୁଇ ପାଦ ଏକ ଦଉଡ଼ିରେ ବନ୍ଧାଯାଇଥିବା ଅବସ୍ଥାରେ ଅଖା ଭିତରୁ ମିଳିଥିଲା ।

ଅଖାଟି ନ ଭାସି ପାଣିରେ ବୁଡ଼ି ରହିବା ସୁନିଶ୍ଚିତ କରିବା ପାଇଁ ସେଥିରେ ବଡ଼ବଡ଼ କେତୋଟି ପଥର ବି ରଖାଯାଇଥିଲା । ମୃତ ଦେହ ଦୁଇଟିରୁ ଉଭୟଙ୍କ ବୟସ ପଚ଼ିଶିରୁ ତିରିଶି ଭିତରେ ହେବ ବୋଲି ଅନୁମାନ କରାଯାଉଛି ।

‘‘ମିଳିଥିବା ମୃତ ଦେହ ଦୁଇଟିର ପରିଚ଼ୟ ମିଳି ପାରି ନାହିଁ । ପୋଷ୍ଟ ମର୍ଟମ୍‌ ପାଇଁ ପଠା ଯାଇଛି ଓ ଗୋଟେ ମାମଲା ରୁଜୁ ହୋଇ ସେ ସଂକ୍ରାନ୍ତରେ ତଦନ୍ତ ଚ଼ାଲିଛି,’’ କହିଛନ୍ତି କେଉଁଝରର ଡିଏସପି (ଭିଜିଲାନସ୍) ସୁରେଶ ଚନ୍ଦ୍ର ପାତ୍ର ।

ମୃତ ଶରୀର ଦୁଇଟିକୁ ଦେଖି ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ଏହା ହତ୍ୟାର ପରିଣାମ ବୋଲି ସନ୍ଦେହ କରୁଛନ୍ତି । ପୋଷ୍ଟ ମର୍ଟମରୁ ମୃତ୍ୟୁର କାରଣ ଜଣା ପଡ଼ିବ ଓ ଅନୁସନ୍ଧାନରୁ ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚ଼ୟ ଜଣା ପଡ଼ିବ ବୋଲି କହିଛି ପୋଲିସ ।
First published: February 8, 2020, 5:24 PM IST