ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୌର ନିର୍ବାଚନ ପାଇଁ BMCର ସଂରକ୍ଷଣ ତାଲିକା ପ୍ରସ୍ତୁତ; ପୂର୍ବ ଭଳି ୬୭ରେ ସୀମିତ ରହିବ ୱାର୍ଡ଼

ପୌର ନିର୍ବାଚନ ପାଇଁ BMCର ସଂରକ୍ଷଣ ତାଲିକା ପ୍ରସ୍ତୁତ; ପୂର୍ବ ଭଳି ୬୭ରେ ସୀମିତ ରହିବ ୱାର୍ଡ଼

୬୭ଟି ୱାର୍ଡ଼ ମଧ୍ୟରୁ ତିନୋଟି ଅନୁସୂଚିତ ଜନଜାତି, ଛଅଟି ଅନୁସୂଚିତ ଜାତି, ୧୮ଟି ପଛୁଆ ବର୍ଗ, ୨୦ଟି ସାଧାରଣ ବର୍ଗର ମହିଳାଙ୍କ ପାଇଁ ଓ ଅବଶିଷ୍ଟ ୨୦ଟି ଅଣ ସଂରକ୍ଷିତ ୱାର୍ଡ଼ କରାଯାଇଥିବା ସୂଚନା ମିଳିଛି ।

ପୌର ନିର୍ବାଚନ ପାଇଁ BMCର ସଂରକ୍ଷଣ ତାଲିକା ପ୍ରସ୍ତୁତ; ପୂର୍ବ ଭଳି ୬୭ରେ ସୀମିତ ରହିବ ୱାର୍ଡ଼
ପୌର ନିର୍ବାଚନ ପାଇଁ BMCର ସଂରକ୍ଷଣ ତାଲିକା ପ୍ରସ୍ତୁତ
  • News18 Odia
  • Last Updated: November 17, 2021, 3:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨୦୧୧ ଜନଗଣନା ଆଧାରରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଏଥି ପାଇଁ ବି.ଏମ.ସି. ପକ୍ଷରୁ ପ୍ରସ୍ତୁତ ୱାର୍ଡ଼ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି । ବି.ଏମ.ସି.ର ୱାର୍ଡ ସଂଖ୍ୟା ବୃଦ୍ଧି ନପାଇ ପୂର୍ବ ଭଳି ୬୭ରେ ଅପରିବର୍ତ୍ତିତ ରହିବ । ତେବେ ଚିଠା ସଂରକ୍ଷଣ ତାଲିକାରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମର ପରିସୀମା ବୃଦ୍ଧି ପାଇବ ।

୬୭ଟି ୱାର୍ଡ଼ ମଧ୍ୟରୁ ତିନୋଟି ଅନୁସୂଚିତ ଜନଜାତି, ଛଅଟି ଅନୁସୂଚିତ ଜାତି, ୧୮ଟି ପଛୁଆ ବର୍ଗ, ୨୦ଟି ସାଧାରଣ ବର୍ଗର ମହିଳାଙ୍କ ପାଇଁ ଓ ଅବଶିଷ୍ଟ ୨୦ଟି ଅଣ ସଂରକ୍ଷିତ ୱାର୍ଡ଼ କରାଯାଇଥିବା ସୂଚନା ମିଳିଛି । ତେବେ ବି.ଏମ.ସି. ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିଠା ତାଲିକାରେ ନଗର ଉନ୍ନୟନ ବିଭାଗର ଅନୁମୋଦନ ଜରୁରୀ ବୋଲି କହିଛନ୍ତି ବି.ଏମ.ସି. ଅତିରିକ୍ତ କମିଶନର।

ବି.ଏମ.ସି. ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ‘‘ବି.ଏମ.ସି. ଅଞ୍ଚଳରେ ରିଜରଭେସନ ଓ ସହରକୁ ୱାର୍ଡ଼ରେ ବିଭକ୍ତ କରିବାର ଦାୟିତ୍ୱ ଆମକୁ ଦିଆଯାଇଥିଲା। ଆମେ କିଛି ଅଧିକାରୀ ମିଶି ଏହାକୁ ତୁଲାଇଛୁ। ନଗର ଉନ୍ନୟନ ବିଭାଗକୁ ଏକ ଡ୍ରାଫ୍ଟ ପଠାଇଛୁ। ଏଥିରେ ମୋହର ଲାଗିଲେ କାମ ଆଗକୁ ବଢ଼ିବ ।"

ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ରହିଛି ଅନେକ ପଞ୍ଚାୟତ । ତଥାପି ସେମାନେ ବି.ଏମ.ସି.ର ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ । ଦିର୍ଘ ଦିନରୁ ପ୍ରାୟ ୧୫ଟି ପଞ୍ଚାୟତର ଲୋକେ ବିଏମ.ସି.ରେ ସାମିଲ ହେବାକୁ ଦାବି କରିଆସୁଥିଲେ । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ପାଇକରାୟପୁର, କଳାରାହାଙ୍ଗ, ଭଗବାନପୁର, ସୁବୁଦ୍ଧିପୁର, ପାତ୍ରପଡା ଓ ଶଙ୍କରପୁର ଭଳି ୬ଟି ପଞ୍ଚାୟତ ବି.ଏମ.ସି.ରେ ସାମିଲ କରାଯାଉଛି ।

ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସମ୍ପୃକ୍ତ ପଞ୍ଚାୟତବାସୀ । ଏହା ଦ୍ବାରା ସେମାନଙ୍କ ଅଞ୍ଚଳର ବିକାଶ ହେବ ଓ ସେମାନେ ବିଭିନ୍ନ ସହରୀ ଯୋଜନାରେ ସାମିଲ ହୋଇପାରିବେ। ଦୁଇ ବର୍ଷ ବିଳମ୍ବରେ ହେବାକୁ ଯାଉଛି ପୌର ନିର୍ବାଚନ । ବିଳମ୍ବରେ ହେଲେ ମଧ୍ୟ ନିର୍ବାଚନ ହେଲେ ଲୋକପ୍ରତିନିଧିଙ୍କ ଦ୍ବାରା ସ୍ଥାନୀୟ ସମସ୍ୟାର ସମାଧାନ ହୋଇପାରିବ । ସେପଟେ ବି.ଏମ.ସି.ର ମୋଟ ୬୭ଟି ୱାର୍ଡରେ ହେବାକୁ ଥିବା ସଂରକ୍ଷଣରେ ସେମିତି କିଛି ବଡ଼ ପରିବର୍ତ୍ତନ ହେଉନଥିବା ବେଳେ ମହିଳାଙ୍କୁ ଦିଆଯାଇଛି ଗୁରୁତ୍ବ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଶତକଡା ୫୦ ଭାଗ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ ବ୍ୟବସ୍ଥା । ଯାହାକୁ ସ୍ବାଗତ କରିଛନ୍ତି ପୂର୍ବତନ କର୍ପୋରେଟର ।

ଭୁବନେଶ୍ବରର ପୂର୍ବତନ କର୍ପୋରେଟର ଶାଶ୍ବତି ମିଶ୍ର କହିଛନ୍ତି, "ସରକାର ଓ ବି.ଏମ.ସି.ର ଏ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଅଧିକ ମହିଳା ସିଟ୍ ଆସିବ ବୋଲି ଆଶା କରୁଛୁ। ଗତ ବର୍ଷ ୬୭ ୱାର୍ଡରେ ୩୮ ମହିଳା କର୍ପୋରେଟର ଥିଲେ। ମହିଲାମାନେ ଏବେ ସବୁଥିରେ ଆଗରେ। ଏଣୁ ଆଗକୁ ବି ଭଲ କାମ କରିବୁ ବୋଲି ଆଶା ନେଇ ଆଗକୁ ବଢୁଛୁ ।"

୨୦୧୪ମସିହାରେ ନିର୍ବାଚନ ବେଳେ ଭୁବନେଶ୍ବର ମହାନଗର ନିଗମର ୱାର୍ଡ ସଂଖ୍ୟା ୬୦ରୁ ୬୭କୁ ବୃଦ୍ଧି ପାଇଥିଲା।
Published by: Lipina Das
First published: November 17, 2021, 3:33 PM IST