News18 Odia Digital
ଭୁବନେଶ୍ବର: ହକି ବିଶ୍ବକପ ପୂର୍ବରୁ ବିଏମସି ନେଇଛି ବଡ ନିଷ୍ପତ୍ତି। ଟ୍ରାଫିକ ସମସ୍ୟା ଦୃଷ୍ଟିରେ ରଖି ରାସ୍ତାରେ ଗୋରୁଗାଇଙ୍କ ବିଚରଣ ଉପରେ ଲାଗିଛି କଟକଣା। ରାସ୍ତାରୁ ଗୋରୁଙ୍କୁ ଉଠାଇ ନିଆଯାଉଛି ଗୋଶାଳାକୁ। ତେବେ ଜାମୁକୋଳି ଗୋଶାଳାରେ ଗୋରୁଙ୍କ ପ୍ରତି ଦୁର୍ବ୍ୟବହାର କରାଯିବା ସହ ଯତ୍ନରେ ଘୋର ଅବହେଳା ଅଭିଯୋଗ। ଗୋଶାଳାରେ ଭୁବନେଶ୍ବର ମେୟରଙ୍କ ଅତର୍କିତ ଚଢ଼ାଉ।
ଆଗକୁ ହକି ବିଶ୍ବକପ। ହକି ଆୟୋଜନ ପୂର୍ବରୁ ରାସ୍ତାରେ ଗୋରୁଗାଇଙ୍କ ଅବାଧ ବିଚରଣ ଉପରେ ରୋକ ଲଗାଇଛି ବିଏମସି। ବ୍ୟାପକ ହୋଇଛି ରାସ୍ତାରୁ ଗୋରୁ ଉଠା ଅଭିଯାନ। ଗୋରୁଙ୍କୁ ଉଠାଇ ଜାମୁକୋଳି, ଜଟଣୀ ଓ ପୁରୀ ଗୋଶାଳାକୁ ସ୍ଥାନାନ୍ତର କରାଯାଉଛି।
ଗୋରୁ ଉଠା ଅଭିଯାନ ବ୍ୟାପକ ପରେ ସପ୍ତାହକ ମଧ୍ୟରେ ଗୋଶାଳାରେ ଗୋରୁଙ୍କ ସଂଖ୍ୟା ୩ ଗୁଣା ବଢ଼ିଛି। ରାସ୍ତାରୁ ଗୋରୁଙ୍କୁ ଉଠାଇବା ପାଇଁ ଦୁଇଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବା ବେଳେ ଗୋଶାଳାର ଦାୟିତ୍ତ୍ବ ନେଇଛି ଅନ୍ୟ ଏକ ଘରୋଇ ସଂସ୍ଥା। ପ୍ରତି ଗୋରୁଙ୍କ ପାଇଁ ଦୈନିକ ୨୦୦ ଟଙ୍କା ଖର୍ଚ୍ଚ ବିଏମସି ବହନ କରୁଛି।
ସେପଟେ ଗୋଶଳାର ଉନ୍ନତି ପାଇଁ ବିଏମସି ପକ୍ଷରୁ ଖର୍ଚ୍ଚ ହେଉଛି ୨ କୋଟିରୁ ଅଧିକ ଟଙ୍କା। ତେବେ ଗୋରୁଙ୍କ ଯତ୍ନରେ ଏଠାରେ ଘୋର ଅବହେଳା ସାଙ୍ଗକୁ ଗୋରୁଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଯାହାକୁ ନେଇ ଭୁବନେଶ୍ବର ମେୟରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଜାମୁକୋଳି ଗୋଶାଳା ଉପରେ ହୋଇଛି ଅତର୍କିତ ଚଢ଼ାଉ। ଚଢ଼ାଉ ବେଳେ ଅଭିଯୋଗର ଅନେକ ସତ୍ୟତା ଜଣାପଡ଼ିବା ପରେ ବିରକ୍ତି ପ୍ରକାଶ କରିଛନ୍ତି ମେୟର।
ଗୋଶଳାରେ ଗୋରୁଙ୍କ ସ୍ଥିତି ଦେଖି ଚିନ୍ତା ପ୍ରକଟ କରିଥିଲେ ମେୟର ଓ ଟିମ୍ ସଦସ୍ୟ। ୧୦ଟି ଗୋରୁଙ୍କ ପାଇଁ ଜଣେ ବ୍ୟକ୍ତି ରଖିବା ନିୟମ ଥିଲେ ହିଁ ଏଥିରେ ହୋଇଛି ଖିଲାପ। ୬୦୦ ଗୋରୁଙ୍କ ପାଇଁ ରହିଛନ୍ତି ମାତ୍ର ୨୦ ଜଣ। ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ସହିତ ଖୋଲା ଆକାଶ ତଳେ ଗୋରୁଙ୍କୁ ରହିବାକୁ ପଡୁଛି ଦିନରାତି। ଗୋରୁଙ୍କ ପ୍ରତି ଯତ୍ନରେ ଅବହେଳା ଓ ଦୁର୍ବ୍ୟବହାର ଜାଣିବାକୁ ତୁରନ୍ତ ଲାଗିବ ସିସିଟିଭି। ଅଧିକ ସଂଖ୍ୟକ କର୍ମଚାରୀଙ୍କ ନିଯୁକ୍ତି ସହ ଗୋରୁଙ୍କ ପାଇଁ ଅଧିକ ସେଡ ନିର୍ମାଣ ଓ ୩ଟି ହାଇମାଷ୍ଟ ଲାଇଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର। ନିରୀହ ଗୋରୁଙ୍କ ପ୍ରତି ହୋଇଥଇବା ଦୁର୍ବ୍ୟବହାର ଓ ଅବହେଳା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ମେୟର।
ଜାମୁକୋଳି ଗୋଶାଳାର କ୍ଷମତା ଠାରୁ ଗୋରୁଙ୍କ ସଂଖ୍ୟା ଅଧିକ। ଏଣୁ ଆଗକୁ ଗୋରୁଙ୍କୁ ଉଠାଇ ଜଟଣୀ ଓ ପରେ ପୁରୀ ଗୋଶାଳାକୁ ପଠାଯିବ। ମେୟରଙ୍କ ନେତୃତ୍ବରେ ଏଣିକି ନିୟମିତ ବ୍ୟବଧାନରେ କରାଯିବ ସମସ୍ତ ଗୋଶାଳାର ସ୍ଥିତି ଅନୁଧ୍ୟାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।