ସଫଳ ହେଲା BMCର ବସ୍ତ୍ର ଉପହାର ଯୋଜନା; ଆଗାମୀ ଦିନରେ ଆହୁରି ଖୋଲିବ ଏହି କେନ୍ଦ୍ର

ଲୋକଙ୍କୁ ବସ୍ତ୍ର ଆବଶ୍ୟକ ସେମାନେ ଏହି କେନ୍ଦ୍ରକୁ ଆସି ନିଜର ମନ ପସନ୍ଦର ବସ୍ତ୍ର ନେଉଛନ୍ତି। ଗତ ଆଠ ମାସ ମଧ୍ୟରେ ଏହି ବସ୍ତ୍ର ଉପହାର କେନ୍ଦ୍ର ୫୦ ହଜାରରୁ ଅଧିକ ବସ୍ତ୍ର ସଂଗ୍ରହ କରିଥିବା ବେଳେ ପ୍ରାୟ ୨୦ ହଜାର ବସ୍ତ୍ର ମାଗଣାରେ ବଣ୍ଟନ କରିଛି।

ସଫଳ ହେଲା BMCର ବସ୍ତ୍ର ଉପହାର ଯୋଜନା

ସଫଳ ହେଲା BMCର ବସ୍ତ୍ର ଉପହାର ଯୋଜନା

  • Share this:
News18 Odia Digital

ବ୍ରହ୍ମପୁର: ଆଦୃତ ହୋଇପାରିଲା ବିଏମସି ବସ୍ତ୍ର ଉପହାର। ବସ୍ତ୍ର ଉପହାର କେନ୍ଦ୍ରରେ ଏବେ ଭର୍ତ୍ତି ହୋଇଛି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବସ୍ତ୍ର। ମାତ୍ର କିଛି ଦିନ ମଧ୍ୟରେ ଏହି ବସ୍ତ୍ର ଉପହାର କେନ୍ଦ୍ର ଲୋକଙ୍କ ପାଇଁ ବେଶ ଆବଶ୍ୟକୀୟ ହୋଇପଡ଼ିଛି। ଲୋକେ ନିଜର ବ୍ୟବହାର କରୁନଥିବା ବସ୍ତ୍ରକୁ ଏହି କେନ୍ଦ୍ରରେ ଦେଇ ଯାଇଥାନ୍ତି।

ସେହିଭଳି ଯେଉଁ ଲୋକଙ୍କୁ ବସ୍ତ୍ର ଆବଶ୍ୟକ ସେମାନେ ଏହି କେନ୍ଦ୍ରକୁ ଆସି ନିଜର ମନ ପସନ୍ଦର ବସ୍ତ୍ର ନେଉଛନ୍ତି। ଗତ ଆଠ ମାସ ମଧ୍ୟରେ ଏହି ବସ୍ତ୍ର ଉପହାର କେନ୍ଦ୍ର ୫୦ ହଜାରରୁ ଅଧିକ ବସ୍ତ୍ର ସଂଗ୍ରହ କରିଥିବା ବେଳେ ପ୍ରାୟ ୨୦ ହଜାର ବସ୍ତ୍ର ମାଗଣାରେ ବଣ୍ଟନ କରିଛି।
ସେହିପରି ବଳକା ୨୫ ହଜାରରୁ ଅଧିକ ବସ୍ତ୍ର ବର୍ତ୍ତମାନ ଏହି କେନ୍ଦ୍ରରେ ମହଜୁଦ ହୋଇ ରହିଛି। ବସ୍ତ୍ର ଉପହାର କେନ୍ଦ୍ରର ଏଭଳି ସଫଳତା ହେବା ପରେ ସହରର ଆଉ କିଛି ସ୍ଥାନରେ ଏହି କେନ୍ଦ୍ର ଖୋଲିବା ନିମନ୍ତେ ଲକ୍ଷ୍ୟ ରଖିଛି ବିଏମସି।

ସମାଜରେ କୌଣସି ମଧ୍ୟ ସାମଗ୍ରୀ ଅନାବଶ୍ୟକୀୟ ନୁହେଁ। ତାହାକୁ ପୁନଃବ୍ୟବହାର କରାଯାଇପାରିବ। ଯାହାର ନିଚ୍ଛକ ଉଦହାରଣ ହେଉଛି ବସ୍ତ୍ର। ବସ୍ତ୍ରର ପୁନଃ ବ୍ୟବହାର ପାଇଁ ଗତ ଆଠ ମାସ ପୂର୍ବରୁ ବିଏମସି ପକ୍ଷରୁ ଖୋଲାଯାଇଥିଲା ବସ୍ତ୍ର ଉପହାର କେନ୍ଦ୍ର। ଏହି କେନ୍ଦ୍ରରେ ଯେଉଁ ଲୋକେ ନିଜର ବ୍ୟବହାର କରୁନଥିବା ବସ୍ତ୍ରକୁ ଏଠାରେ ଆସି ଦେଇପାରିବେ। ସେହିପରି ଯେଉଁମାନଙ୍କୁ ବସ୍ତ୍ରର ଆବଶ୍ୟକ ରହିଛି ସେମାନେ ଏହି କେନ୍ଦ୍ରକୁ ଆସି ନିଜର ମନ ପସନ୍ଦ ମୁତାବକ ବସ୍ତ୍ର ନେଇପାରିବେ। ଏହି କେନ୍ଦ୍ର ଖୋଲିବା ପରେ ପ୍ରଥମେ ଲୋକେ ବସ୍ତ୍ର ଦେବା ଓ ବସ୍ତ୍ର ନେବା ପାଇଁ ଆସୁନଥିଲେ। କିନ୍ତୁ କିଛି ମାସ ପରେ ସହରବାସୀ ଏହି କେନ୍ଦ୍ର ସମ୍ପର୍କରେ ଜାଣିବା ପରେ ବର୍ତ୍ତମାନ ଏହି କେନ୍ଦ୍ରରେ ବସ୍ତ୍ରର ମାତ୍ର ବୃଦ୍ଧି ପାଇବାରେ ଲାଗିଛି।

‘‘ଏହି ବସ୍ତ୍ର ଉପହାର କେନ୍ଦ୍ରରେ ଯେଉଁମାନେ ବସ୍ତ୍ର ଦେବା ନିମନ୍ତେ ଆସିଥାନ୍ତି। ସେମାନଙ୍କର ସମସ୍ତ ପ୍ରକାରର ତଥ୍ୟ ରଖିଥାନ୍ତି କେନ୍ଦ୍ରରେ କାର୍ଯ୍ୟରତ ଥିବା ତ୍ରିଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ। ପ୍ରତିଦିନ ପ୍ରାୟ ୫୦ରୁ ଅଧିକ ଲୋକେ କେନ୍ଦ୍ରକୁ ଆସି ବସ୍ତ୍ର ଦେଉଛନ୍ତି ଓ ଠିକ୍ ସେହିପରି ପ୍ରାୟ ୩୦ରୁ ଅଧିକ ଲୋକେ କେନ୍ଦ୍ରରେ ରହିଥିବା ବସ୍ତ୍ରକୁ ମଧ୍ୟ ନେଉଛନ୍ତି। ବସ୍ତ୍ର ଉପହାର କେନ୍ଦ୍ରକୁ ଆସି ଲୋକେ ଯେଉଁ ଉତ୍ସାହର ସହିତ ବସ୍ତ୍ର ପ୍ରଦାନ କରୁଛନ୍ତି ସେହିପରି ଆବଶ୍ୟକ ଥିବା ଲୋକେ ବସ୍ତ୍ରକୁ ନେଇ ସେତେ ଖୁସୀ ଥାଆନ୍ତି,’’ କହିଛନ୍ତି କେନ୍ଦ୍ରରେ ନିୟୋଜିତ ମହିଳା ସଞ୍ଜୁକ୍ତା ପଣ୍ଡା।

ବସ୍ତ୍ର ଗୁଡ଼ିକୁ ସଂଗ୍ରହ କରିବା ପରେ ପ୍ରଥମେ ତାକୁ ସଫେଇ କରି ଆଇରନ କରିଥାନ୍ତି। ଏହାପରେ ବସ୍ତ୍ରରେ ଯଦି କିଛି ଚିରାଫଟା ରହିଥାଏ ତାକୁ ସିଲେଇ କରି ବସ୍ତ୍ର ପ୍ରଦର୍ଶନ କୋଠାରୀରେ ରଖିଥାନ୍ତି। ଯାହାଫଳରେ ବସ୍ତ୍ରର ଆବଶ୍ୟକ ରହିଥିବା ଲୋକେ କେନ୍ଦ୍ରକୁ ଆସି ନିଜର ମନ ପସନ୍ଦର ବସ୍ତ୍ର ନେଇଥାନ୍ତି ବୋଲି କହିଛନ୍ତି କେନ୍ଦ୍ରରେ ନିୟୋଜିତ ମହିଳାମାନେ ଉମାମଣୀ ସାବତ।

ଏହି ବସ୍ତ୍ର ଉପହାର କେନ୍ଦ୍ରରେ ମହିଳା, ପୁରୁଷ ଓ ପିଲାମାନଙ୍କ ନିମନ୍ତେ ବସ୍ତ୍ର ରହିଛି। ପୁରୁଷମାନଙ୍କ ନିମନ୍ତେ ପ୍ୟାଣ୍ଟ, ସାଟ୍, ଟି-ସାର୍ଟ, ସ୍ବଟର, ଜାକେଟ୍‌, ଟାୱାଲ୍‌ ରହିଛି। ସେହିପରି ମହିଳାମାନଙ୍କ ନିମନ୍ତେ ଶାଢ଼ୀ, ଚୁଡ଼ିଦାର୍‌, ଘାଗରା, ଚୁନି ରହିଥିବା ବେଳେ ପିଲାମାନଙ୍କ ନିମନ୍ତେ ମଧ୍ୟ ପ୍ୟାଣ୍ଟ ଓ ସାର୍ଟ ରହିଛି। ଏହା ସହିତ କିଛି ଲୋକେ ବ୍ୟବହାର କରୁନଥିବା ନିଜର ବ୍ଲେଜର ଓ ସୁଟ୍ ମଧ୍ୟ ଦେଇଛନ୍ତି କେନ୍ଦ୍ରକୁ।

‘‘ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବସ୍ତ୍ରକୁ ପାଇବା ପରେ କେନ୍ଦ୍ରରେ ରହିଥିବା ମହିଳାମାନେ ତାହାର ଯେଉଁଭଳି ଯତ୍ନ ନେଉଛନ୍ତି ତାହା ସ୍ବାଗତଯୋଗ୍ୟ। ଏହାଛଡ଼ା ଏହି ବସ୍ତ୍ର ଉପହାର କେନ୍ଦ୍ର ହେବା ପରେ ଅନେକ ଗରୀବ, ବସ୍ତିବାସିନ୍ଦ, ଅସହାୟ ଲୋକେ ବେଶ ଉପକୃତ ହେଉଛନ୍ତି। ତେଣୁ ବିଏମସିର ଏଭଳି ପଦକ୍ଷେପ ଆଗାମୀ ଦିନରେ ବ୍ୟାପକ କରିବା ସହିତ ଅଧିକ ଲୋକେ ଜାଣିବେ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଅଶୋକ ଶୁକ୍ଳ।

‘‘ଏହି ବସ୍ତ୍ର ଉପହାର କେନ୍ଦ୍ର ୧୨ ଲକ୍ଷ ଟଙ୍କାରେ ବିଏମସି ପକ୍ଷରୁ ଆରମ୍ଭ କରାଯାଇଥିଲା। ସହରବାସୀ ଏହି ବସ୍ତ୍ର ଉପହାର କେନ୍ଦ୍ର ସମ୍ପର୍କରେ ଜାଣିବା ଏହାର ଲାଭ ଉଠାଇପାରୁଛନ୍ତି। କମ ସମୟ ମଧ୍ୟରେ ଏହି କେନ୍ଦ୍ର ଲୋକଙ୍କ ନିମନ୍ତେ ବେଶ୍‌ ଆବଶ୍ୟକ ହୋଇପଡ଼ିଛି। ତେଣୁ ଏହାର ସଫଳତାକୁ ନେଇ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ଏଭଳି କେନ୍ଦ୍ର ଖୋଲାଯିବ। ଯାହାଫଳରେ ଅନାବଶ୍ୟକ ଭାବି ଫୋପାଡ଼ି ଦେଉଥିବା ବସ୍ତ୍ର ଗୁଡ଼ିକ ପୁନଃ ବ୍ୟବହାର ହୋଇପାରିବା ସହିତ ସହରରେ ବଢ଼ୁଥିବା ବସ୍ତ୍ର ଜନିତ ଆବର୍ଜନା ମଧ୍ୟ କମିପାରିବ,’’ କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର।

ଏହି ବସ୍ତ୍ର ଉପହାର କେନ୍ଦ୍ରରେ କେବଳ ଯେ ବ୍ରହ୍ମପୁରର ଲୋକେ ବସ୍ତ୍ର ଦେଉଛନ୍ତି ଓ ବସ୍ତ୍ର ନେଉଛନ୍ତି ତାହା ନୁହେଁ ବରଂ ସହର ନିକଟରେ ରହିଥିବା ଅନେକ ଗାଁରୁ ମଧ୍ୟ ଲୋକେ ଏଠାକୁ ଆସି ବସ୍ତ୍ର ନେଣ ଦେଣ କରୁଥିବା ନଜର ରହିଛି।
Published by:Lipina Das
First published: