ମାସ ମାସ ଧରି ହିତାଧିକାରୀ ପାଉନାହାଁନ୍ତି ଭତ୍ତା ଟଙ୍କା; BMCରେ ଘଟିଛି ବଡ଼ ଧରଣର ସ୍କାମ

ଶୁକ୍ରବରରେ ବିଏମସର ପ୍ରଥମ କାଉନ୍ସିଲ ବୈଠକ ଥିବା ବେଳେ ଏଠାରେ ଭତ୍ତା ଟଙ୍କା ହଡ଼ପ ଘଟଣାକୁ ନେଇ ପ୍ରବଳ ହୋ ହାଲ୍ଲା ହେବା ସମ୍ଭାବନା ରହିଛି।

BMCରେ ଘଟିଛି ବଡ଼ ଧରଣର ସ୍କାମ

BMCରେ ଘଟିଛି ବଡ଼ ଧରଣର ସ୍କାମ

  • Share this:
News18 Odia Digital

ଭୁବନେଶ୍ବର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ବିଏମସିରେ ପଦାକୁ ଆସିଛି ବଡ଼ ଧରଣର ଭତ୍ତା ସ୍କାମ୍। ମାସ ମାସ ଧରି ହିତାଧିକାରୀଙ୍କ ପାଖରେ ପହଁଞ୍ଚିପାରୁନି ସେମାନଙ୍କ ପ୍ରାପ୍ୟ ଅର୍ଥ। ବିଭିନ୍ନ ଯୋଜନାରେ ପ୍ରାୟ ୨୫୦୦ରୁ ଅଧିକ ହିତାଧିକାରୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣାର ଖୋଳତାଡ ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ। ନାମ ଗାଣ୍ଡୁ ସେଠୀ। ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଭାବେ ବିଏମସରୁ ମାସିକ ୫୦୦ ଟଙ୍କା ପାଉଥିଲେ। ଇତିମଧ୍ୟରେ ସେ ପକ୍ଷାଘାତରେ ପୀଡିତ। ଘରୁ ବାହାରକୁ ବାହାରିବା ସମ୍ଭବପର ନଥିବା ବେଳେ ଗତ ସେପ୍ଟମ୍ବର ମାସରୁ ତାଙ୍କୁ ମିଳିନାହିଁ ତାଙ୍କ ଭତ୍ତା।

ସେହିଭଳି ଆଉ ଜଣେ ହେଉଛନ୍ତି ଉଲ୍ଲାସ ସାହୁ। ଗତ ୫ ରୁ ୬ ମାସ ଧରି ତାଙ୍କୁ ମଧ୍ୟ ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା। ବିଏମସକୁ ଦୌଡି ଦୌଡି ଥକି ଯାଇଛନ୍ତି। ଭତ୍ତା ଟଙ୍କା ମିଳିବା ତ ଦୂରର କଥା ତାଙ୍କ ଅଭିଯୋଗ ଶୁଣିବାକୁ ମଧ୍ୟ କେହି ପ୍ରସ୍ତୁତ ନାହାଁନ୍ତି। ଭାଗ୍ୟକୁ ଆଦରି ଚୁପ୍ ରହିଲେ ଉଲ୍ଲାସ । ହେଲେ କେବଳ ଏହି ଦୁଇ ଜଣ ନୁହଁନ୍ତି ବିଏମସର ସମସ୍ତ ୬୭ଟି ୱାର୍ଡରେ ଏକା ଅବସ୍ଥା। ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ମାସ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ କରି ଏକାଧିକ ଥର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯାଇଛି।

ବାର୍ଦ୍ଧକ୍ୟ ଭତ୍ତା ହେଉ କି ବିଧବା ଭତ୍ତା ଏପରିକି ଭିନ୍ନକ୍ଷମ ଭତ୍ତାରେ ମଧ୍ୟ ହୋଇଛି ହେରଫେର। ବ୍ୟାଙ୍କ ଜରିଆରେ ହିତାଧିକାରୀଙ୍କୁ ଭତ୍ତା ଅର୍ଥ ପ୍ରଦାନ ପରଠାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ସଙ୍ଗଠିକା ଓ ବ୍ୟାଙ୍କ କର୍ମଚାରୀଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କୁ ସାମିଲ କରାଯାଇନାହିଁ। ବିଏମସର ସମସ୍ତ ୱାର୍ଡରେ ଏଭଳି ସମସ୍ୟା ରହିଥିବା ବେଳେ ଏଥିରେ ଦୁର୍ନୀତି ହୋଇଥିବା ସନ୍ଦେହ କରିଛନ୍ତି କର୍ପୋରେଟର।

ସେପଟେ ମଙ୍ଗଳବାର ବିଏମସର କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକରେ ଏ ସମ୍ପର୍କରେ ଜଣାପଡ଼ିଥିଲା।

୪୭୦ ଜଣ ଶଯ୍ୟାଶାୟୀ ଓ ବ୍ୟାଙ୍କ ଆକାଉଣ୍ଟ ନଥିବା ହିତାଧିକାରୀଙ୍କ ସମେତ ୨୧୦୦ ଅନ୍ୟ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଦୀର୍ଘ ମାସ ଧରି ଭତ୍ତା ଟଙ୍କା ମିଳିନଥିବା ଜଣାପଡ଼ିଥିଲା। ଘଟଣାର ତଦନ୍ତ ପାଇଁ କମିଟି ଗଠନ କରି ତୁରନ୍ତ ଲୋକଙ୍କ ନିକଟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସେପଟେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର।

ଆସନ୍ତା ୧୦ ତାରିଖରେ ବିଏମସର ପ୍ରଥମ କାଉନ୍ସିଲ ବୈଠକ ଥିବା ବେଳେ ଏଠାରେ ଭତ୍ତା ଟଙ୍କା ହଡ଼ପ ଘଟଣାକୁ ନେଇ ପ୍ରବଳ ହୋ ହାଲ୍ଲା ହେବା ସମ୍ଭାବନା ରହିଛି।
Published by:Lipina Das
First published: