News18 Odia Digital
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ରହିଥିବା ଘରୋଇ କ୍ଲିନିକ୍ ଉପରେ ବିଏମସି ଓ ଜିଲ୍ଳା ପ୍ରଶାସନର ଅତର୍କିତ ଚଢ଼ାଉ। ସହରରେ ରହିଥିବା ମୋଟ ୬ଟି କ୍ଲିନିକ ଉପରେ ଚଢ଼ାଉ କରିଥିଲେ ବିଏମସି କମିଶନର ଓ ଉପ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଟିମ।
ଚଢ଼ାଉ ସମୟରେ ଏହି ୬ଟି କ୍ଲିନିକରେ କାହାରି ଅକ୍ୟୁପେସନ ସାର୍ଟିଫିକେଟ ନାହିଁ ତ ଆଉ କାହାର ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ ତ କେଉଁଠି ଏକ୍ସରେ ଓ ଅଲଟ୍ରାସାଉଣ୍ଡ ନିମନ୍ତେ ରହିଥିବା ବୈଧତା ଶେଷ ହୋଇ ଯାଇଥିଲା। କେବଳ ଏତିକି ନୁହେଁ ବରଂ ଓଟି ଠାରୁ ଆରମ୍ଭ କରି ସାଧରଣ ୱାର୍ଡ଼ରେ ନାହାଁନ୍ତି ଯୋଗ୍ୟତାପ୍ରାପ୍ତ କର୍ମଚାରୀ। ଏଭଳି ତ୍ରୁଟି ଦେଖାଯିବା ପରେ ସମସ୍ତ କ୍ଲିନିକ ଗୁଡ଼ିକୁ ନୋଟିସ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଭୟ କମିଶନର ଓ ଉପ ଜିଲ୍ଲାପାଳ।
ସେପଟେ ପ୍ରଶାସନ ଯାଞ୍ଚ କରୁଥିବା ବେଳେ କ୍ଲିନିକ ଗୁଡ଼ିକୁ ନିଜର ପକ୍ଷରୁ ରଖିବା ନିମନ୍ତେ ଦିଆଯାଉନଥିବା ନେଇ କ୍ଲିନିକ ମାଲିକ ଅଭିଯୋଗ କରୁଥିବା ବେଳେ ଏଭଳି ଚଢ଼ାଉ ନିୟମିତ ହେବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ।
ଘରୋଇ କ୍ଲିନିକର ଓଟିରେ କାମ କରୁଛି ଯୁକ୍ତ ଦୁଇ ଛାତ୍ର। ରୋଗୀଙ୍କୁ ଇଞ୍ଜେକସନ ଠାରୁ ସେଲାଇନ ଦେଉଛନ୍ତି ନର୍ସିଂ ପାଠପଢ଼ିନଥିବା କର୍ମଚାରୀ। ସେହିପରି କ୍ଲିନିକର ମେଡ଼ିସିନ୍ ଦୋକାନରେ ରୋଗୀଙ୍କୁ ମେଡ଼ିସିନ ଦେଉଛନ୍ତି ଫାର୍ମା ପାଠପଢ଼ିନଥିବା କର୍ମଚାରୀ। ଏଭଳି କିଛି କ୍ଲିନିକର ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରେ। ବ୍ରହ୍ମପୁର ସହରରେ ଛତୁ ଫୁଟିଲା ଭଳି ଏମକେସିଜି ମେଡ଼ିକାଲର ଚତୁଃପାର୍ଶ୍ବରେ ଶହ ଶହ ଘରୋଇ କ୍ଲିନିକ ଖୋଲାଯାଇଛି। ଏହି କ୍ଲିନିକମାନେ ଏମକେସିଜି ମେଡ଼ିକାଲରେ ଦଲାଲ ଲଗାଇ ନିଜ ହସ୍ପିଟାଲକୁ ନେଇ ସେଠାରେ ରୋଗୀଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ଆସିଥିଲା।
ଅଭିଯୋଗକୁ ଭିତ୍ତି କରି ଗତକାଲି ସନ୍ଧ୍ୟା ସମୟରେ ବିଏମସି କମିଶନର ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ନେଇ ଗଠିତ ହୋଇଥିବା ଟିମ ସହରର ୬ଟି କ୍ଲିନିକ ଉପରେ ଚଢ଼ାଉ କରିଥିଲା। ଚଢ଼ାଉରେ କ୍ଲିନିକ ଗୁଡ଼ିକର ବିଲ୍ଡିଂ ଅକ୍ୟୁପେନ୍ସି ସାର୍ଟିଫିକେଟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରେଡ଼ ଲାଇସେନ୍ସ, କ୍ଲିନିକାଲି ଏଷ୍ଟାବ୍ଲିଷମେଣ୍ଟ ସାଟିଫିକେଟ, ଏକ୍ସରେ ଓ ଅଲଟ୍ରାସାଉଣ୍ଡର ବୈଧତାର ରହିଛି କି ନାହିଁ ସେନେଇ ତନ୍ନ ତନ୍ନ କରି ଦେଖାଯାଇଥିଲା। ଯାହାଫଳରେ ଅନେକ କ୍ଲିନିକ ଗୁଡ଼ିକରେ ଏହି ସବୁ କ୍ଷେତ୍ରରେ ବୈଧତା ନଥିବା ବେଳେ ବେଆଇନ ଭାବେ କ୍ଲିନିକ ପରିଚାଳନା ହେଉଥିବା ଜଣାପଡ଼ିଥିଲା। ଏପରିକି ଅଭିଜ୍ଞତା ଓ ଯୋଗ୍ୟତା ନଥିବା କର୍ମଚାରୀଙ୍କ ଦ୍ବାରା ରୋଗୀ ସେବା କ୍ଲିନିକ ପକ୍ଷରୁ ଯୋଗାଇ ଦିଆଯାଉଛି। ତେଣୁ ଏହି ସମସ୍ତ କ୍ଲିନିକ ଉପରେ ନୋଟିସ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର।
ଏହା ସହିତ କ୍ଲିନିକରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ରୋଗୀମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ମେଡ଼ିକାଲରୁ ଘରୋଇ କ୍ଲିନିକକୁ ଅଣାଯାଉଛି କି ନାହିଁ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଇଥିବା କାର୍ଡ଼ର ବ୍ୟବହାର ହେଉଛି କି ନାହିଁ ଏବଂ ମେଡ଼ିସିନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଧିକ ଟଙ୍କା ନେଉଛି କି ନାହିଁ ସେ ନେଇ ରୋଗୀଙ୍କୁ ପଚାରି ବୁଝାଯାଇଥିଲା। ଏଥିମଧ୍ୟରୁ କିଛି କ୍ଲିନିକକୁ ଯିବା ନିମନ୍ତେ ସରକାରୀ ଡ଼ାକ୍ତରମାନେ ପଠାଇଥିବା ବେଳେ ଅନ୍ୟ କିଛି ରୋଗୀମାନେ ନିଜେ କ୍ଲିନିକକୁ ଆସିଥିବା ଜଣାପଡ଼ିଛି। ରୋଗୀ, ଘରୋଇ କ୍ଲିନିକ ଓ ସରକାରୀ ମେଡ଼ିକାଲ ମଧ୍ୟରେ କିଛି ଦଲାଲ କାମ କରୁଥିବା ଜଣାପଡ଼ିଛି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଖୁବ୍ ଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ।
ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ ସେମାନେ ଯାହା ସାର୍ଟିଫିକେଟ ମାଗିଥିଲେ ତାହା ସେମାନଙ୍କୁ ଦେଖାଇ ଦିଆଯାଇଛି। ଆଉ କିଛି ସାର୍ଟିଫିକେଟ କ୍ଲିନିକରେ ନଥିବା ଯୋଗୁଁ ସେମାନଙ୍କୁ କିଛି ସମୟ ମଗାଯାଇଛି। ସରକାରୀ ନିୟମ ପ୍ରକାରରେ କ୍ଲିନିକରେ ସମସ୍ତ ବ୍ୟବସ୍ଥା ଚାଲୁ ରହିଛି। ଏହାସହିତ ସମସ୍ତ କର୍ମଚାରୀମାନେ ଯୋଗ୍ୟ ରହିଛନ୍ତି। ଦକ୍ଷତା ଭିତ୍ତିରେ କର୍ମଚାରୀମାନଙ୍କୁ ରୋଗୀ ସେବା ପ୍ରଦାନ କରିବା ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଇଛି। ରୋଗୀମାନଙ୍କର କୌଣସି ଅସୁବିଧା ହେଉନାହିଁ। ଏହାଛନା ସରକାରୀ ମେଡ଼ିକାଲରୁ ନୁହେଁ ବରଂ ରୋଗୀମାନେ ନିଜ ଇଚ୍ଛା ମୁତାବକ କ୍ଲିନିକକୁ ଆସୁଛନ୍ତି ଏବଂ ଆସିବା ପରେ ସେମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି କ୍ଲିନିକର ଡ଼ାକ୍ତର।
ସେପଟେ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବିଏମସିର ଏଭଳି ଚଢ଼ାଉ ନିହାତି ଭାବେ ସ୍ବାଗତଯୋଗ୍ୟ। ଘରୋଇ କ୍ଲିନିକମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ସରକାରୀ ମେଡ଼ିକାଲରୁ ଘରୋଇ କ୍ଲିନିକକୁ ନେବା ପରେ ରୋଗୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ବର୍ତ୍ତମାନ ୬ଟି କ୍ଲିନିକ ଉପରେ ଚଢ଼ାଉ କରିଥିବା ବେଳେ ସେମାନଙ୍କ ଠାରୁ କେବଳ ଜୋରିମନା ଆଦାୟ ନ କରାଯାଇ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ତାହାହେଲେ ହିଁ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି କହିଛନ୍ତି ବୁଦ୍ଧିଜୀବୀ।
ପ୍ରାଥମିକ ପର୍ଯ୍ୟାୟରେ ୬ଟି ଘରୋଇ କ୍ଲିନକ ଉପରେ ଚଢ଼ାଉ କରାଯାଇଥିବା ବେଳେ ସହରରେ ରହିଥିବା ସମସ୍ତ କ୍ଲିନିକ ଉପରେ ଚଢ଼ାଉ କରାଯିବା ନେଇ ବିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉ ପରେ ସମ୍ପୃକ୍ତ କ୍ଲିନିକ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।