ଭୁବନେଶ୍ବରର ହାଟ ଓ ମାର୍କେଟର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇଛି BMC
News18 Odia Digital
ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବି.ଏମ.ସି.। ହଟସ୍ପଟ ଭୁବନେଶ୍ୱରର ସମସ୍ତ ଜନଗହଳିପୂର୍ଣ ସ୍ଥାନ ଉପରେ ରହିଛି ନଜର। ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ହାଟ ଓ ମାର୍କେଟର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବି.ଏମ.ସି. କମିଶନର।
ସମସ୍ତ ତିନୋଟି ଜୋନର ଡେପୁଟି କମିଶନର, ଏନଫୋର୍ସମେଣ୍ଟ ସ୍କ୍ୱାର୍ଡଙ୍କୁ ପୋଲିସ ସହାୟତାରେ କ୍ରିୟାଶୀଳ ହେବାକୁ ଦେଇଛନ୍ତି ନିର୍ଦ୍ଦେଶ। ପ୍ରଥମ ପର୍ଯ୍ୟାୟରେ ୟୁନିଟ ୪ ଓ ୟୁନିଟ ୧ ମାର୍କେଟ ଓ ହାଟକୁ ଭିଡ ଶୂନ୍ୟ କରିବାକୁ କୁହାଯାଇଛି। ମଙ୍ଗଳବାର ଦିନ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଉଭୟ ମାର୍କେଟ ଯାଇ ବ୍ୟବସାୟୀ ସଙ୍ଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ଠାରୁ ବଦଳିବ ହାଟର ଠିକଣା। ରାସ୍ତା କଡ଼ରେ କୋଭିଡ କଟକଣା ଭିତରେ ହେବ ବ୍ୟବସାୟ।
"ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଏଥି ପାଇଁ ହାଟ ବଜାରର ଗହଳି କମାଇବା ପାଇଁ ରାସ୍ତା କଡ଼ରେ ଛାଡ଼ି ଛାଡ଼ି କରି ପରିବା ଓ ମାଛ ମାର୍କେଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ପ୍ରଥମ ପର୍ଯ୍ୟାୟରେ ୟୁନିଟ ୧ ହାଟ ଓ ୟୁନିଟ ୪ ହାଟକୁ ବିକେନ୍ଦ୍ରୀକରଣ କାଟି ରାସ୍ତା କଡ଼ ଓ ପଡ଼ିଆକୁ ସ୍ଥାନାନ୍ତର କରାଯାଉଛି। ଗୁରୁବାର ଠାରୁ ଏହି ନୂଆ ନିୟମରେ ବସି ହାଟ,’’ କହିଛନ୍ତି, ବିଏମସିର ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ।
ପୂର୍ବ ପରି ୧ ନମ୍ବର ହାଟ ମଦର୍ସ ପବ୍ଲିକ ସ୍କୁଲ ପଡ଼ିଆକୁ ଉଠିଯିବ। ଗୋଟିଏ ପଟେ ଖୁଚୁରା ବ୍ୟବସାୟୀ ଓ ଅନ୍ୟପଟେ ହୋଲେସେଲ ବ୍ୟବସାୟୀ ବସିବେ। ସେହିଭଳି ୟୁନିଟ ୪ ମାର୍କେଟ ଉଠିବ ରେଡକ୍ରସ ଭବନ ପାଖ ରାସ୍ତା କଡ଼କୁ। ବର୍ତ୍ତମାନର ସଂକ୍ରମଣ ସ୍ଥିତିକୁ ନେଇ ସମସ୍ତେ ଚିନ୍ତିତ ଓ ସଚେତନ ମଧ୍ୟ। ତଥାପି ବି.ଏମ.ସି.ର ଆଗୁଆ ସତର୍କତା ମୂଳକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବ୍ୟବସାୟୀ ସଙ୍ଘ।
ନିଜ ଆଡୁ ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ସହମତି ପ୍ରଦାନ କରିଛନ୍ତି ଉଭୟ ମାର୍କେଟ ସଙ୍ଘ। ଅନ୍ୟପକ୍ଷେ ପୂର୍ବ ବର୍ଷମାନଙ୍କ ଭଳି ହଠାତ୍ କିଛି ନିଷ୍ପତ୍ତି ନେବା ପରିବର୍ତ୍ତେ ବ୍ୟବସାୟୀଙ୍କ ସହ ଆଲୋଚନା ଓ ୨ ଦିନର ସମୟ ଦିଆଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବ୍ୟବସାୟୀମାନେ। ବ୍ୟବସାୟ ପ୍ରଭାବିତ ହେବ ସତ କିନ୍ତୁ ଜୀବନ ବଞ୍ଚାଇ ଜୀବିକା କରିବାକୁ ପଡ଼ିବ ବୋଲି କହିଛନ୍ତି କିଛି ବ୍ୟବସାୟୀ।
"ପୂର୍ବ ପରି ଏଥର ବି ମାର୍କେଟ ଉଠାଇ ରାସ୍ତା କଡ଼କୁ ନେବାକୁ ଆଲୋଚନା ହୋଇଛି। ନିଜେ ବି.ଏମ.ସି. ଜେଡିସି ଆସି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଜୀବିକା ପ୍ରଭାବିତ ହେଲେ ବି ଜୀବନ ପାଇଁ କରିବାକୁ ହେବ,’’ କହିଛନ୍ତି ଭୌମନଗର ହାଟ ବ୍ୟବସାୟୀ ସଙ୍ଘ ସାଧାରଣ ସମ୍ପାଦକ ବଦ୍ରି ନାରାୟଣ ମିଶ୍ର।
ପ୍ରକାଶ ଥାଉକି ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ହୋଇସାରିଛି। ଆଗକୁ ପିକ୍ ହେବା ସମ୍ଭାବନା ରହିଛି। ଏବେଠାରୁ ସଜାଗ ନହେଲେ ଅସମ୍ଭାଳ ହେବ ସ୍ଥିତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।