ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ପାଇଁ ଏଥର ବି ଫିକା ପଡ଼ିବ ଦୁର୍ଗା ପୂଜା; ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ପୂଜା କମିଟିର ଉଦ୍ୟମ

କରୋନା ପାଇଁ ଏଥର ବି ଫିକା ପଡ଼ିବ ଦୁର୍ଗା ପୂଜା; ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ପୂଜା କମିଟିର ଉଦ୍ୟମ

ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି କୋଭିଡ ସଂକ୍ରମଣ ରୋକିବା ପାଇଁ ବି.ଏମ.ସି.ର ସ୍ୱତନ୍ତ୍ର ଗାଇଡଲାଇନ। ଅନ୍ୟପକ୍ଷରେ ନିରାଡ଼ମ୍ବର କିନ୍ତୁ ସମ୍ପୂର୍ଣ ରୀତିନୀତିରେ ଦୁର୍ଗା ପୂଜା ପାଳନ କରିବାକୁ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି।

କରୋନା ପାଇଁ ଏଥର ବି ଫିକା ପଡ଼ିବ ଦୁର୍ଗା ପୂଜା; ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ପୂଜା କମିଟିର ଉଦ୍ୟମ
କରୋନା ପାଇଁ ଏଥର ବି ଫିକା ପଡ଼ିବ ଦୁର୍ଗା ପୂଜା
  • News18 Odia
  • Last Updated: October 6, 2021, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା କଟକଣା କୋହଳ ହୋଇଥିଲେ ମଧ୍ୟ ସଂକ୍ରମଣ ସମ୍ପୂର୍ଣ୍ଣ କମିନାହିଁ । ତେଣୁ ସତର୍କତା ଜରୁରୀ । ଏହି ମର୍ମରେ ବି.ଏମ.ସି. ପକ୍ଷରୁ ପାର୍ବଣ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଜାରି ହୋଇଥିଲା ବେଳେ ଏହାକୁ ଗୁରୁତ୍ୱ ଦେଇ କୋଭିଡ଼ ଏସଓପି ଗାଇଡ଼ଲାଇନ୍ ଭିତରେ ପୂଜା ପାଳନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବିଭିନ୍ନ ପୂଜା କମିଟି । ଭୁବନେଶ୍ୱରର ବରମୁଣ୍ଡା ଓ ଭିଏସସନଗର ପୂଜା କମିଟି ପକ୍ଷରୁ ନିରାଡ଼ମ୍ବର କିନ୍ତୁ ପାରମ୍ପରିକ ଧାରାରେ ପୂଜା ଆୟୋଜନ ପାଇଁ ଜାରି ରହିଛି ପ୍ରସ୍ତୁତି।

ସୁଦୃଶ୍ୟ ତୋରଣ, ରଙ୍ଗୀନ ଆଲୋକମାଳା ତଥା ନିଆରା ପୂଜା ଭୋଗ ପାଇଁ ଗତ କିଛି ବର୍ଷ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ଅନ୍ୟତମ ଅଗ୍ରଣୀ ପୂଜା ମଣ୍ଡପ ବରମୁଣ୍ଡା ପକ୍ଷରୁ ଏଥର ନିରାଡ଼ମ୍ବର ଭାବେ ପାଳନ କରାଯିବ ଦେବୀ ଦୁର୍ଗାଙ୍କ ପୂଜା ଉତ୍ସବ । ବିଶେଷ କରି ବିନା ସାଜସଜ୍ଜାରେ ଓ ସୀମିତି ସଂଖ୍ୟକ ଆୟୋଜକଙ୍କ ଉପସ୍ଥିତିରେ ପୂଜା ପାଳନ ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।

ବରମୁଣ୍ଡା ପୂଜା କମିଟିର ବରିଷ୍ଠ ସଦସ୍ୟ ବିଜୟ କୁମାର ସ୍ୱାଇଁଙ୍କ ସୂଚନା ଅନୁସାରେ, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବରେ ଓ କେବଳ ରୀତିନୀତି ଅନୁସାରେ ମଣ୍ଡପରେ ଦୁର୍ଗା ପୂଜା ପାଳନ ହେବ । ବି.ଏମ.ସି.ର ଗାଇଡ଼ଲାଇନ ଅନୁସାରେ ଭକ୍ତଙ୍କୁ ପୂଜା ମଣ୍ଡପକୁ ଆସିବାକୁ ବାରଣ କରାଯିବା ସହ ଯେଉଁ କମିଟି ସଦସ୍ୟମାନେ ଡ଼ବଲ ଡ଼ୋଜ କୋଭିଡ ଟିକା ନେଇଥିବେ କେଵଳ ସେମାନଙ୍କୁ ହିଁ ପୂଜାରେ ସାମିଲ ହେବାକୁ ଅନୁମତି ମିଳିବ ।

ସେହିଭଳି ବରମୁଣ୍ଡା ପୂଜା କମିଟିର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ, ବାଜା, ବାଣ, ରୋଶଣୀ ଓ ଆଲୋକମାଳାକୁ ଏଥର ସମ୍ପୂର୍ଣ୍ଣ ଭାବେ କୋଭିଡ ନିୟମ କାରଣରୁ ବାରଣ କରାଯାଇଛି । ସେହିଭଳି ପଖାଳ ଭୋଗ, ଖେଚୁଡ଼ି ଭୋଗକୁ କେବଳ ପରମ୍ପରା ଅନୁସାରେ ଆୟୋଜନ କରାଯିବ । ତେବେ ସର୍ବାରିଷ୍ଟ ଖଣ୍ଡନ ପାଇଁ ମଣ୍ଡପ ପକ୍ଷରୁ ଦୀପ ଦାନ କାର୍ଯ୍ୟକ୍ରମ ଥିବା ବେଳେ ସେହି ଧାର୍ଯ୍ୟ ସମୟରେ ବରମୁଣ୍ଡା ଓ ଆଖପାଖ ବାସିନ୍ଦାଙ୍କୁ ନିଜ ଘରେ ଦୀପ ଜାଳିବା ପାଇଁ ଅନୁରୋଧ କରାଯିବ ।

କରୋନା ପାଇଁ ଏଥର ବି ଫିକା ପଡ଼ିବ ଦୁର୍ଗା ପୂଜା


ଅନ୍ୟପଟେ କଲୋନୀ ବାସିନ୍ଦାଙ୍କୁ ନେଇ ଦୀର୍ଘ ବର୍ଷ ଧରି ପାରମ୍ପରିକ ପୂଜାର୍ଚ୍ଚନା ଉପରେ ଗୁରୁତ୍ୱ ଦେଇ ଆସୁଥିବା ବୀର ସୁରେନ୍ଦ୍ର ସାଏ ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ଏଥର କେବଳ ପାରମ୍ପରିକ ପୂଜା ନୀତି ପାଳନ କରାଯିବ ବୋଲି କୁହାଯାଇଛି । ପୂଜା କମିଟିର ବରିଷ୍ଠ ସଦସ୍ୟ ଦିଲୀପ ଦାସ ଶର୍ମାଙ୍କ ସୂଚନା ଅନୁସାରେ,ଏହି ପୂଜା ଉତ୍ସବ କଲୋନୀ ଲୋକଙ୍କ ଭିତରେ ସୀମିତ ଥିବାରୁ ଆମେମାନେ ସାଜ୍ଜସଜ୍ଜା ନୁହେଁ, ବରଂ ପୂଜା ରୀତିନୀତିକୁ ଗୁରୁତ୍ୱ ଦେଇଥାଉ । କୋଭିଡ଼ କଟକଣା କାରଣରୁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କେବଳ ଦେବୀଙ୍କ ପୂଜାର୍ଚ୍ଚନାକୁ ଅନୁପାଳନ କରାଯିବ । ଭକ୍ତଙ୍କୁ ମଣ୍ଡପ ଆସିବା ପାଇଁ ବାରଣ କରାଯାଇଛି । ତାଛଡ଼ା କୋଭିଡ଼ ପାଇଁ ଲାଗୁ ହୋଇଥିବା ସମସ୍ତ ଗାଇଡ଼ଲାଇନକୁ କମିଟି ଅନୁପାଳନ କରିବାକୁ ନିଶ୍ଚିତ କରିଛି । .

ମୋଟ ଉପରେ ଭୁବନେଶ୍ୱରର ସମସ୍ତ ପୂଜା କମିଟି କୋଭିଡ଼ ଗାଇଡ଼ଲାଇନକୁ ଅନୁପାଳନ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଶାନ୍ତିଶୃଙ୍ଖଳା ସହିତ ଦୁର୍ଗାପୂଜା ସମ୍ପନ୍ନ ହେବ ବୋଲି ବୁଦ୍ଧିଜୀବୀଙ୍କ ମତ ।
Published by: Lipina Das
First published: October 6, 2021, 5:28 PM IST