ବେଆଇନ୍‌ଭାବେ ଚ଼ାଲିଥିବା ୯୪ଟି କଲ୍ୟାଣ ମଣ୍ଡପକୁ ମିଳିଲା ବିଏମସିର ନୋଟିସ; ଜାନୁଆରୀ ୩୧ ଯାଏଁ ମହଲତ

ବିନା ଟ୍ରେଡିଂ ଲାଇସେନ୍ସ ଓ ବିନା ପାର୍କିଂ ସୁବିଧା ଥାଇ ଏହି ମଣ୍ଡପଗୁଡିକ ବ୍ୟବସାୟ କରୁଥିବାରୁ ସେମାନଙ୍କୁ ନୋଟିସ ଜାରୀ କରାଯାଇଛି । କଲ୍ୟାଣ ମଣ୍ଡପଗୁଡ଼ିକ ଉପରେ ବିଏମ୍‌ସି ର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଅଡୁଆରେ ପଡିଛନ୍ତି ଅନେକ ଲୋକ, କାରଣ ସେମାନେ ଏଥିରୁ କେତେକ ମଣ୍ଡପ ବୁକିଂ କରିଛନ୍ତି ।

ବେଆଇନ୍‌ଭାବେ ଚ଼ାଲିଥିବା ୯୪ଟି କଲ୍ୟାଣ ମଣ୍ଡପକୁ ମିଳିଲା ବିଏମସିର ନୋଟିସ; ଜାନୁଆରୀ ୩୧ ଯାଏଁ ମହଲତ
ବେଆଇନ୍‌ କଲ୍ୟାଣ ମଣ୍ଡପ ଉପରେ ନଜର ।
  • News18 Odia
  • Last Updated: December 24, 2019, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍‌ (ବିଏମସି) ଅଞ୍ଚଳରେ ବେଆଇନଭାବେ ପରିଚ଼ାଳିତ ୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ ଜାରି କରାଯାଇଛି । ନୋଟିସରେ ବିଏମସିର ତାଗିଦ୍‌ ଯେ ଏହି କଲ୍ୟାଣ ମଣ୍ଡପଗୁଡ଼ିକରେ ଯଦି ଅନିୟମିତା ଥାଏ ତାହେଲେ ସେମାନେ ୩୧ ଜାନୁୟାରୀ ୨୦୨୦ ସୁଦ୍ଧା କାଗଜପତ୍ର ଠିକ୍‌ କରନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ହେବ । କଲ୍ୟାଣ ମଣ୍ଡପଗୁଡ଼ିକ ସିଲ୍‌ ହେବ ଓ ବଡ ଆର୍ଥିକ ଜୋରିମାନା ବି ହେବ ।

ଭୁବନେଶ୍ବର ମହାନଗର ନିଗମ (BMC) ଅଞ୍ଚଳରେ ବେଆଇନଭାବେ ପରିଚାଳିତ ବିଭିନ୍ନ ଘରୋଇ କଲ୍ୟାଣ ମଣ୍ଡପ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ମୋଟ୍‌ ୯୪ଟି ମଣ୍ଡପକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ନୋଟିସ ମହାନଗର ନିଗମର ଉତ୍ତର ଭାଗରେ ଥିବା ୩୭ରୁ ଅଧିକ ମଣ୍ଡପକୁ ଉପରେ ହୋଇଛି ।

ବିନା ଟ୍ରେଡିଂ ଲାଇସେନ୍ସ ତଥା ବିନା ପାର୍କିଂ ସୁବିଧା ଥାଇ ଏହି ମଣ୍ଡପଗୁଡିକ ବ୍ୟବସାୟ କରୁଥିବାରୁ ଏ ସମସ୍ତଙ୍କୁ ନୋଟିସ ଜାରୀ କରିଛି ବିଏମସି ।

କଲ୍ୟାଣ ମଣ୍ଡପ ଉପରେ ବିଏମସିର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଅଡୁଆରେ ପଡିଛନ୍ତି ଅନେକ ଲୋକ । ସେମାନେ ଏକ ପ୍ରକାର ଆଶା ଓ ଆଶଙ୍କା ଭିତରେ ଅଛନ୍ତି । ସେମାନଙ୍କ ଆଶଙ୍କା ଯେ ହୁଏତ ସେମାନେ ବୁକିଂ କରିଥିବା କଲ୍ୟାଣ ମଣ୍ଡପ ଉପରେ ଏହାର ପ୍ରଭାବ ପଡି଼ପାରେ ।

‘‘ଆସନ୍ତା ଫେବୃଆରୀରେ ଭଉଣୀର ବାହାଘର ପାଇଁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଲ୍ୟାଣ ମଣ୍ଡପରେ ମୁଁ ବୁକିଂ କରିଛି । ନଭେମ୍ବର ପ୍ରଥମ ସପ୍ତାହରେ ବୁକିଂ ସରିଛି । ଅନ୍ୟ ପ୍ରସ୍ତୁତି ମଧ୍ୟ ସରିଛି । ହେଲେ ମଣ୍ଡପ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମୁଁ ଆତଙ୍କିତ,’’ କହିଛନ୍ତି ଭୁବନେଶ୍ବର ଟଙ୍କପାଣି ରୋଡ଼ ବାସିନ୍ଦା ଟ୍ରକ ଡ୍ରାଇଭର ସୋମନାଥ ବେହେରା

ସୋମନାଥଙ୍କ ଭଳି ଏଭଳି ଆଶା ଓ ଆଶଙ୍କା ଭିତରେ ଅନ୍ୟ ଅନେକ ରାଜଧାନୀ ବାସିନ୍ଦା ଥିବାର ଜଣା ପଡ଼ିଛି। ବରଗଡ଼ ବ୍ରିଟ୍‌ କଲୋନୀ ବାସିନ୍ଦା ପ୍ରିୟଦର୍ଶୀ ରଥ କହିଛନ୍ତି: ‘‘ବିଏମସିର ନିଷ୍ପତ୍ତି ସ୍ବାଗତଯୋଗ୍ୟ, କାରଣ ବେଆଇନ କଲ୍ୟାଣ ମଣ୍ଡପସବୁ ଏବେ ମନ ଇଛା ଚ଼ାଲିଛି । ଯିଏ ଯେଉଁଠି ପାରିଲା ମଣ୍ଡପ ଖୋଲି ବେପାର କରୁଛି । ଲୋକଙ୍କ ଅସୁବିଧା ପ୍ରତି କାହାରି ନଜର ନାହିଁ । ଏଭଳି ନିଷ୍ପତ୍ତି ଦ୍ବାରା ଲୋକେ ସୁଧୁରିବେ।’’

ବିଏମ୍‌ସିର ଆଭିମୁଖ୍ୟକୁ ଅନେକ କଲ୍ୟାଣ ମଣ୍ଡପ ମାଲିକ ବି ସ୍ବାଗତ କରିଛନ୍ତି ।

‘‘କଲ୍ୟାଣ ମଣ୍ଡପଗୁଡି଼କୁ ଟ୍ରେଡ୍‌ ଲାଇନସେନ୍ସ, ପାର୍କିଂ ପ୍ଲେସ୍‌ ଆଦିର ବ୍ୟବସ୍ଥା କରିବା ପାଇଁ ବିଏମ୍‌ସି ସେମାନଙ୍କୁ ଅତିକମରେ ୬ ମାସର ମହଲତ ଦେବା ଉଚିତ । ଏହି ସମୟ ଭିତରେ ସେମାନେ କାଗଜପତ୍ର ଠିକ୍‌ କରିପାରିବେ,’’ କହିଛନ୍ତି ଜିଜିପି କେନାଲ୍‌ ରୋଡ ସ୍ଥିତ ଏସ୍‌ଆର କନଭେନସନ୍‌ କଲ୍ୟାଣ ମଣ୍ଡପର ପରିଚ଼ାଳକ ଆର୍ତ୍ତତ୍ରାଣ ମହାରଣା ।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି: ‘‘ଛଅ ମାସ ନୁହେଁ, ମଣ୍ଡପ ମାଲିକଙ୍କୁ କାଗଜପତ୍ର ଠିକ୍‌ କରିବା ପାଇଁ ମାତ୍ର ଜାନୁୟାରୀ ୩୧, ୨୦୨୦ ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ଏହି ସମୟ ମଧ୍ୟରେ କାଗଜପତ୍ର ଠିକ୍‌ ନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏହା ପୂର୍ବରୁ ବେଆଇନଭାବେ ମଣ୍ଡପ ଚଳାଉଥିବା ମାଲିକଙ୍କୁ ତାଗିଦ୍‌ କରାଯାଇଥିଲେ ମଧ୍ୟ ସେମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ବ ଦେଇନାହାନ୍ତି । ତେବେ ଜାନୁୟାରୀ ୩୧ ପରେ କୌଣସି ମଣ୍ଡପ ବୁକିଂ କରୁଥିଲେ ଜନସାଧାରଣ ସେ ମଣ୍ଡପକୁ ଆଇନଗତ ପ୍ରମାଣପତ୍ର ମାଗନ୍ତୁ ।’’

ପୂର୍ବରୁ ଏକାଧିକ ଥର ବିଏମ୍‌ସି ବିଭିନ୍ନ କଲ୍ୟାଣ ମଣ୍ଡପକୁ ନୋଟିସ ଜାରୀ କରିଛି । ହେଲେ ଏହାର ସୁଫଳ ମିଳିନାହିଁ । ଏହି କାରଣରୁ ଏବେକାର ଉଦ୍ୟମ ଉପରେ ସମସ୍ତଙ୍କ ନଜର ।
First published: December 24, 2019, 5:23 PM IST
corona virus btn
corona virus btn
Loading