News18 Odia Digital
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ରହିଛି ୧୦୦ରୁ ଅଧିକ ଘରୋଇ କ୍ଲିନିକ। ଆଉ ଏହି ଘରୋଇ କ୍ଲିନିକ ଗୁଡ଼ିକ ମଧ୍ୟରୁ ଅନେକ କ୍ଲିନିକରେ ସରକାରୀ ନିୟମକୁ ପାଳନ କରାଯାଉନାହିଁ। ଏନେଇ ଗତ ୯ ତାରିଖରେ ବିଏମସି ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଚଢ଼ାଉ ହେବା ପରେ କ୍ଲିନିକ ଗୁଡ଼ିକରେ କିଭଳି ଚାଲିଛି ରୋଗୀ ସେବା ତାହା ସାମ୍ନାକୁ ଆସିଥିଲା।
ପ୍ରାଥମିକ ପର୍ଯ୍ୟାୟରେ ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରିବା ସମୟରେ ଅନେକ ତ୍ରୁଟି ପାଇବା ପରେ ସମ୍ପୃକ୍ତ କ୍ଲିନିକ ଗୁଡ଼ିକୁ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସ କରାଯାଇଛି। ଏହାସହିତ ବିଏମସି ପକ୍ଷରୁ ଗଠିତ ହୋଇଥିବା ସ୍ବାସ୍ଥ୍ୟଟିମ ସହରରେ ରହିଥିବା ଘରୋଇ କ୍ଲିନିକ ଗୁଡ଼ିକୁ ଯାଇ ସେଠାରେ କିଭଳି ରୋଗୀଙ୍କୁ ପ୍ରଦାନ କରାଯାଉଛି ସ୍ବାସ୍ଥ୍ୟସେବା ସେ ନେଇ ତଦନ୍ତ କରିବେ। ପ୍ରାଥମିକ ପର୍ଯ୍ୟାୟରେ ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିବା ବେଳେ ସ୍କାନରରେ ଆଉ ୧୧୫ଟି କ୍ଲିନିକ ରହିଥିବା ଜଣାପଡ଼ିଛି।

୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ ପରେ ସେମାନଙ୍କୁ ନୋଟିସ ଜାରି କଲା ବିଏମସି
ସାବଧାନ ହୋଇଯାଆନ୍ତୁ ଘରୋଇ କ୍ଲିନିକ। କାରଣ ଅତର୍କିତ ଭାବେ ଚଢ଼ାଉ କରିପାରେ ବିଏମସି। ବିଏମସିର ସ୍କାନରରେ ଅଛନ୍ତି ଏବେ ଆଉ ୧୧୫ଟି ଘରୋଇ କ୍ଲିନିକ। ଗତ ୯ ତାରିଖରେ ବିଏମସି ପକ୍ଷରୁ ବ୍ରହ୍ମପୁର ସହରରେ ରହିଥିବା ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରିଥିଲା ବିଏମସି ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଟିମ।
ଚଢ଼ାଉ ସମୟରେ ଏହି ୬ଟି ଘରୋଇ କ୍ଲିନିକ ମଧ୍ୟରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। କେଉଁଠି ଅଯୋଗ୍ୟ କର୍ମଚାରୀମାନେ ଓଟି ଭଳି ଗୁରୁତ୍ବପୂର୍ଣ୍ଣ କକ୍ଷରେ କାମ କରୁଥିବା ବେଳେ ଆଉ ସରକାରୀ ନିୟମର ଧର୍ଯ୍ୟା ଉଡ଼ାଇ ଦେଇଥିଲେ କ୍ଲିନିକ ମାଲିକ। ଆଉ ଏହି ତ୍ରୁଟି ଦେଖାଯିବା ପରେ ଏହି ୬ଟି ଘରୋଇ କ୍ଲିନିକ ଗୁଡ଼ିକୁ ନୋଟିସ ଜାରି କରିଛି ବିଏମସି।
’’କ୍ଲିନିକ ଗୁଡ଼ିକରେ ରହିଥିବା ସମସ୍ୟା ସହ ସରକାରୀ ନିୟମକୁ ପାଳନ କରୁନଥିବା ଅଭିଯୋଗର ଜବାବ ୧୫ ଦିନ ମଧ୍ୟରେ ରଖିବା ନିମନ୍ତେ ସମସ୍ତ କ୍ଲିନିକ ଗୁଡ଼ିକୁ କୁହାଯାଇଛି। ଆଉ ଏହି ୧୫ ଦିନ ମଧ୍ୟରେ ଯଦି କ୍ଲିନିକ ଗୁଡ଼ିକ ଜବାବ ନ ରଖନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ସହରରେ ରହିଥିବା ଆଉ ୧୧୫ଟି ଘରୋଇ କ୍ଲିନିକ ଗୁଡ଼ିକ ଉପରେ ମଧ୍ୟ ଖୁବ୍ ଶୀଘ୍ର ଚଢ଼ାଉ କରାଯିବ। ଏହି ୧୧୫ ଘରୋଇ କ୍ଲିନିକ ଗୁଡ଼ିକରେ କିଭଳି ରହିଛି ସ୍ଥିତି ଏବଂ ରୋଗୀମାନେ ଉଚିତ୍ ଚିକିତ୍ସା ସେବା ପାଉଛନ୍ତି କି ନାହିଁ ତାହାର ତଦାରଖ କରିବା ନିମନ୍ତେ ସ୍ବାସ୍ଥ୍ୟଟିମ ଗଠନ କରାଯାଇଛି। ଏହି ସ୍ବାସ୍ଥ୍ୟଟିମ ଏହି ୧୧୫ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରି ତଥ୍ୟ ସଂଗ୍ରହ କରିବା ପରେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ ବିଏମସି କମିଶନର ଜେ.ସୋନାଲ।
‘‘ଦୀର୍ଘ ବର୍ଷ ପରେ ବିଏମସି ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି। ତେବେ ଏତେ ବର୍ଷ ପରେ ଏଭଳି ଅତର୍କିତ ଚଢ଼ାଉ ପରେ ଘରୋଇ କ୍ଲିନିକ ଗୁଡ଼ିକରେ ଅନେତ ତ୍ରୁଟି ଥିବା ଦେଖିବାକୁ ମିଳିଛି। ତେବେ ତ୍ରୁଟି ନେଇ କେବଳ ନୋଟିସ ଦେଇ ଜୋରିମନା ଆଦାୟ କରି ବିଏମସି ଚୁପ ବସିବା ଆଦୌ ଉଚିତ୍ ନୁହେଁ ବରଂ ଏଭଳି ଚଢ଼ାଉ ନିୟମିତ କରାଯିବା ସହିତ ଯେଉଁମାନେ ସରକାରୀ ନିୟମକୁ ପାଳନ ନ କରି ଘରୋଇ କ୍ଲିନିକ ଗୁଡ଼ିକ ଚଳାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଅବନୀ ଗୟା।
ବ୍ରହ୍ମପୁର ବାସିନ୍ଦା ରବିନ୍ଦ୍ରନାଥ ମିଶ୍ର କହିଛନ୍ତି, ‘‘ସହରର ସାହି ସାହିରେ ଅନେକ ଘରୋଇ କ୍ଲିନିକ ରହିଛି। ଆଉ ଏହି କ୍ଲିନିକ ଉପରେ ରୋଗୀମାନେ ଖୁବ୍ ଶୀଘ୍ର ଚିକିତ୍ସା ସେବା ପାଇବା ଆଶାରେ ଯାଇଥାନ୍ତି। କିନ୍ତୁ କ୍ଲିନିକକୁ ଯାଇ ଚିକିତ୍ସା ସେବା ତ ଦୂରର କଥା ବରଂ ଲକ୍ଷାଧିକ ଟଙ୍କା ସାରିବା ପରେ ମଧ୍ୟ ରୋଗ ଭଲ ହୋଇନଥିବା ଦେଖିବାକୁ ମିଳିଛି। କାରଣ ନା ସେଠାରେ ଯୋଗ୍ୟତା ପ୍ରାପ୍ତ କର୍ମଚାରୀ ରହୁଛନ୍ତି ନା କୌଣସି ଉତ୍ତମ ବ୍ୟବସ୍ଥା। ତେଣୁ ସହରରେ ରହିଥିବା ସମସ୍ତ ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯିବା ସହିତ କିଭଳି ଭାବେ ସମସ୍ତ ସରକାରୀ ନିୟମକୁ ପାଳନ କରିବେ ଏବଂ ଯୋଗ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବେ ସେ ନେଇ କ୍ଲିନିକ କର୍ମଚାରୀ ମାନେ କାର୍ଯ୍ୟ କରିବେ ସେ ନେଇ ଧ୍ୟାନ ଦେବା ଆବଶ୍ୟକ।
ସହରରେ ରହିଥିବା ୬ଟି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯିବା ପରେ ସେମାନଙ୍କୁ ନୋଟିସ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଏମସି ଏବେ ତାହା ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।