ପୌର ନିର୍ବାଚନ ପାଇଁ ପ୍ରସ୍ତୁତ BMC; ସର୍ବଦଳୀୟ ବୈଠରେ ପ୍ରଶାସନର ପ୍ରସ୍ତାବକୁ ବିରୋଧ

ସବିଶେଷ ତଥ୍ୟ କହୁଛି ଏଥର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୨୭ ହଜାରରୁ ଅଧିକ ଥିବା ବେଳେ ୱାର୍ଡ଼ ସଂଖ୍ୟା ସେହି ୬୭ରେ ସୀମିତ ରହିଛି। ନିର୍ବାଚନ ପରିଚାଳନା ପାଇଁ ମୋଟ ୨୧୯ଟି ପୁଲିଂ ସେଣ୍ଟର ଥିବା ବେଳେ ୬୯୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ।

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି BMC

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି BMC

  • Share this:
News18 Odia Digital

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମର ପ୍ରସ୍ତୁତି। ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ଆୟୋଜିତ ହୋଇଥିଲା ସର୍ବଦଳୀୟ ବୈଠକ। ବିଶେଷ କରି ଭୋଟର ତାଲିକା ସଂଶୋଧନ, ବିଭିନ୍ନ ୱାର୍ଡ଼ର ସୀମା ନିର୍ଦ୍ଧାରଣ, ବୁଥ୍ ସଂଖ୍ୟା ଓ ଏହାର ପରିଚାଳନା ପ୍ରସଙ୍ଗରେ ଏହି ସର୍ବଦଳୀୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଭୁବନେଶ୍ୱର ଏଡ଼ିଏମ ପ୍ରଫୁଲ୍ଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଏଡ଼ିଏମ ପ୍ରଫୁଲ୍ଲ ସ୍ୱାଇଁଙ୍କ ସୂଚନା ଅନୁସାରେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସୀମା ପୁର୍ନଗଠନ ଓ ଭୋଟର ତାଲିକା ସଂଶୋଧନ କରାଯାଇଛି। ସବିଶେଷ ତଥ୍ୟ କହୁଛି ଏଥର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭ ଲକ୍ଷ ୨୭ ହଜାରରୁ ଅଧିକ ଥିବା ବେଳେ ୱାର୍ଡ଼ ସଂଖ୍ୟା ସେହି ୬୭ରେ ସୀମିତ ରହିଛି।

ନିର୍ବାଚନ ପରିଚାଳନା ପାଇଁ ମୋଟ ୨୧୯ଟି ପୁଲିଂ ସେଣ୍ଟର ଥିବା ବେଳେ ୬୯୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ବୈଠକରେ ଏନେଇ ବିଭିନ୍ନ ରାଜନୈତିକ ଦଳର ମତାମତ ଆହ୍ୱାନ କରାଯିବା ସହିତ ଆପତ୍ତି ଅଭିଯୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୱାର୍ଡ଼କୁ ନେଇ ବିଭିନ୍ନ ଆପତ୍ତି ଅଭିଯୋଗ ଓ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଏହି ୩ ଦିନ ମଧ୍ୟରେ କିଛି ଆପତ୍ତି ଅଭିଯୋଗ ଥିଲେ ତାହା ଏଡ଼ିଏମଙ୍କ ଅବଗତ କରାଯିବ। ଆପତ୍ତି ଠିକ୍ ଥିଲେ ତାକୁ ସଂଶୋଧନ ପାଇଁ ଉଦ୍ୟମ କରାଯିବ।

ତେବେ ଏହି ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନେ ୱାର୍ଡ଼ ପୁର୍ନଗଠନ ତଥା ଭୋଟର ତାଲିକା ସଂଶୋଧନକୁ ନେଇ ଆପତ୍ତି ଉଠାଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ଅଭିଯୋଗ ଉଦେଶ୍ୟମୂଳକ ଭାବେ ବିଭିନ୍ନ ୱାର୍ଡ଼ର ସୀମାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି। ଶାସକ ଦଳକୁ ସୁହାଇଲା ଭଳି ବିଭିନ୍ନ ୱାର୍ଡ଼ରେ ଭୋଟର ତାଲିକା ସଂଶୋଧନ କରାଯାଇଛି। ଏନେଇ ଭୋଟରଙ୍କ ପାଖରେ ଆପତ୍ତି ରଖିବ କଂଗ୍ରେସ।

ସେହିପରି ବରିଷ୍ଠ ବିଜେପି ନେତା ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି, ‘‘ଶାସକ ଦଳ ଇଙ୍ଗିତରେ ନିର୍ବାଚନ ପରିଚାଳନା ହେଉଛି। ସେମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଛି। ଆସନ୍ତା ନିର୍ବାଚନରେ ଶାସକ ଦଳକୁ ଏହାର ଜବାବ ଦେବେ ଭୋଟର।’’

ତେବେ ବିଜେଡ଼ର ପ୍ରତିନିଧି ତଥା ଦଳୀୟ ମୁଖପାତ୍ର ସୁଲତା ଦେଓ କହିଛନ୍ତି, ‘‘କୌଣସି ଭାବେ ଶାସକ ଦଳ ଇଙ୍ଗିତରେ ନିର୍ବାଚନ ଆୟୋଗ ପରିଚାଳିତ ନୁହେଁ। ବିରୋଧ କରିବା ଦ୍ୱାହି ଦେଇ ବିରୋଧି ଏଭଳି ଆପତ୍ତି ଅଭିଯୋଗ ଆଣୁଛନ୍ତି। ଏହା ପ୍ରଭାବହୀନ ହେବ।’’

ପ୍ରକାଶ ଥାଉକି ବୈଠକରେ ସିପିଆଇ, ସିପିଏମ ତଥା ଅନ୍ୟ ଏକାଧିକ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ବି.ଏମ.ସି. ପକ୍ଷରୁ ପ୍ରକାଶ ପାଇଥିବା ଭୋଟର ତାଲିକା ଓ ୱାର୍ଡ଼ ପୁର୍ନଗଠନକୁ ବିରୋଧ କରିଥିଲେ।
Published by:Lipina Das
First published: