News18 Odia Digital
ଭୁବନେଶ୍ୱର: ଓଡ଼ିଶା ଲୋକଙ୍କ ପାଇଁ ଖୁସି ଖବର। ଚର୍ଚ୍ଚାରେ ଥିବା କୋରାପୁଟ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟର ଶୁଭାରମ୍ଭ ହୋଇଛି । କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ (କେଡ଼ିଏଫ୍) ନିଜର ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା ପ୍ରଥମ ଥର ପାଇଁ ଏହି କୋରାପୁଟ କଫିର ସର୍ବଭାରତୀୟ ଖୁଚୁରା ବିକ୍ରି ବ୍ୟବସ୍ଥା ଆରମ୍ଭ କରିଛି।
ସୂଚନା ଅନୁସାରେ ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ହେଉଛି ଭାରତର ସର୍ବବୃହତ ସ୍ପେସିଆଲିଟି କଫି ରୋଷ୍ଟର। ଚଳିତବର୍ଷ ପର୍ଯ୍ୟନ୍ତ, ବ୍ଲୁ ଟୋକାଇ ଦ୍ୱାରା ସମସ୍ତ କଫି କର୍ଣ୍ଣାଟକ ଓ ତାମିଲନାଡ଼ୁରେ ଅବସ୍ଥିତ ପ୍ରମୁଖ ଫାର୍ମ ଏବଂ ଇଷ୍ଟେଟରୁ କ୍ରୟ କରାଯାଇଥିଲା । କେଡ଼ିଏଫ୍ ଉଦ୍ୟମରେ ବ୍ଲୁଟୋକାଇ ଦଳ ଏବେ କୋରାପୁଟର କଫିର ଖୁଚୁରା ବିକ୍ରି ଉପରେ ଗୁରୁତ୍ୱ ଦେଉଛନ୍ତି।
ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କୋରାପୁଟର ଏକାଧିକ ଫାର୍ମରୁ କଫିର ସ୍ୱାଦ ଚାଖିବାରେ ସକ୍ଷମ ହୋଇଥିଲେ ଏହି ଟିମ। ଏହାପରେ ସ୍ବାଦ ଓ ଗୁଣବତ୍ତା କାରଣରୁ ପ୍ରଥମଥର ପାଇଁ ପାନ୍-ଇଣ୍ଡିଆ ଲଞ୍ଚ ପାଇଁ କୋରାପୁଟ ଜିଲ୍ଲାର ଦୁଇଟି ଫାର୍ମରୁ କଫି ଚୟନ କରାଯାଇଥିଲା । ଭାରତରେ ଉତ୍ପାଦିତ ହେଉଥିବା କେତେକ ସର୍ବୋତ୍ତମ କଫି ଭଳି ଗୁଣାତ୍ମକ ଉତ୍ପାଦନରେ କୋରାପୁଟର କଫି ମଧ୍ୟ ପଛରେ ନାହିଁ। କାରଣ ଏହା ଚାଷୀଙ୍କ ଦ୍ୱାରା କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ଉଦ୍ୟମର ପ୍ରମାଣ। ଦୁଇଟି କୃଷି ଉଦ୍ୟୋଗ ହେଉଛି ମଧୁ ଆଗ୍ରୋ ପ୍ଲାଣ୍ଟେସନ୍ ଓ ମା’ ମଙ୍ଗଳା ପ୍ଲାଣ୍ଟେସନ୍ । ବ୍ଲୁ ଟୋକାଇ ଦ୍ୱାରା ଏହି ଉଭୟ ସଂସ୍ଥା ମନୋନୀତ ହୋଇଛନ୍ତି ।
ଏହି ଅବସରରେ, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ପରିଷଦ ଆବାହକ ସୁକିର୍ତ୍ତୀ ପଟ୍ଟନାୟକ ଏବଂ ସହ-ଆବାହକ ତନୟା ପଟ୍ଟନାୟକ ବ୍ୟବସାୟକୁ ଉତ୍ସାହିତ କରିଥିଲେ । ସୁକିର୍ତ୍ତୀ କହିଛନ୍ତି ପ୍ରୀତି ଆମର ଗର୍ବ ଏବଂ ସମସ୍ତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା । ଆମେ ନିଶ୍ଚିତ ଯେ ଏହି କେଡ଼ିଏଫ୍ ବ୍ରାଣ୍ଡ୍ କୁ ଓଡ଼ିଶା ସହ ସାରା ବିଶ୍ୱ ଏହାକୁ ଉତ୍କୃଷ୍ଟ ରୂପେ ଗ୍ରହଣ କରିବ । ସେହିପରି ତନୟା ପଟ୍ଟନାୟକ କହିଥିଲେ ଯେ କେଡ଼ିଏଫ୍ ସହିତ ବ୍ଲୁଟୋକାଇର ସହଯୋଗ ଓଡ଼ିଶାର କଫି ଇଣ୍ଡଷ୍ଟ୍ରି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛି । ଏହି ପ୍ରୟାସ ସମସ୍ତଙ୍କୁ ଉତ୍ସାହିତ କରୁଛି ।
ଏହି କାର୍ଯ୍ୟକ୍ରମରେ ଆଇ.ସି.ସି. ମହିଳା କାଉନସିଲର ପ୍ରମୁଖ ସଦସ୍ୟା ତଥା କେଡ଼ିଏଫ୍ର ପ୍ରତିଷ୍ଠାତା ପ୍ରୀତି ପଲ୍ଲଭି ପଟ୍ଟନାୟକଙ୍କ ଓ ସହ ପ୍ରତିଷ୍ଠାତା ଅଂଶୁମାନ ରଥ, ଅନ୍ୟ ସହପ୍ରତିଷ୍ଠାତା ଲାବଣେନ୍ଦୁ ଦାସଙ୍କ ସହିତ ଆଇ.ଏନ୍.ଡ଼ବ୍ଳ୍ୟୁ.ଇ.ସି.ର ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।