News18 Odia Digital
ଭୁବନେଶ୍ବର: ବିଜେଡି ନେତା, ମନ୍ତ୍ରୀ, ବିଧାୟକମାନେ ହତ୍ୟା ଓ ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ସହ ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି
ପ୍ରମାଣ ନଷ୍ଟରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର।
ବିଜୁ ଜନତା ଦଳର କ୍ରମାଗତ ଶାସନରେ ଆଜି ଓଡ଼ିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ।
ଶାନ୍ତିପ୍ରିୟ ଓଡ଼ିଶା ରାଜ୍ୟରେ ରାଜନୀତିକୁ ଅପରାଧୀକରଣ ଏବଂ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯ୍ୟାତନାକୁ ବିଜେପି ବିରୋଧ କରୁଛି।
ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସାଧାରଣ ନାଗରିକଙ୍କୁ ନେଇ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହରେ ସାମିଲ ହେବାକୁ ରାଜ୍ୟ ସଭାପତି ଦେଇଛନ୍ତି। ଆହ୍ୱାନ।
ବିଜେଡି ଓଡ଼ିଶାବାସୀଙ୍କ କାଳ ସାଜିଛି। ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକମାନେ ଆଜି ହତ୍ୟା, ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ସହ ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୋଲିସ ସାହାଯ୍ୟରେ ହତ୍ୟା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀକୁ ନେଇ ମାହାଙ୍ଗା ମର୍ଡର ଘଟଣାର ୧୩ ନମ୍ବର ମୁଦାଲା ଭାବେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି। ନିଜ ଦଳର ନେତାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମଧ୍ୟ ଟ୍ରକ ଚଢ଼ାଇ ହତ୍ୟା କରାଗଲା। ବହୁଚର୍ଚ୍ଚିତ ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ମୃତ୍ୟୁ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ନିଜ ମୃତ୍ୟୁ ପୂର୍ବରୁ କହିଥିଲେ। ନୟାଗଡର ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କ ସମ୍ପକ୍ତି ସମ୍ପର୍କରେ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିବା ସହିତ ବର୍ତମାନ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକ ଲୋଚନକୁ ଆସିପାରିଲା ନାହିଁ।
ଏପରିକି ବିଜେଡି ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ ନାହିଁ। ପ୍ରମାଣ ନଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବିଜୁ ଜନତା ଦଳର କ୍ରମାଗତ ଶାସନରେ ଆଜି ଓଡ଼ିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ମହାନ୍ତି।
ଶାନ୍ତିପ୍ରିୟ ଓଡ଼ିଶା ରାଜ୍ୟରେ ରାଜନୀତିକୁ ଅପରାଧୀକରଣ ଓ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯାତନାକୁ ବିଜେପି ବିରୋଧ କରୁଛି। ଏହା ପ୍ରତିବାଦରେ ଆସନ୍ତା ୨୬ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ମଣ୍ଡଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ ପାଳନ କରାଯିବ।
ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସାଧାରଣ ନାଗରିକଙ୍କୁ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ରାଜ୍ୟ ସଭାପତି ମହାନ୍ତି ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।