News 18 Odia Digital
ଭୁବନେଶ୍ୱର: ଦୁଇ ଦିନ ଅହୋରାତ୍ର ପ୍ରତିବାଦ ପରେ ୪୮ ଘଣ୍ଟାର ମହଲତ ଦେଇଛି ବିଜେପି । କାର୍ଯ୍ୟାନୁଷ୍ଠାନ ନ ହେଲେ ୩୧ ତାରିଖ ନବୀନ ନିବାସ ଘେରିବାକୁ ଚେତାବନୀ ଦେଇଛି । ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସହ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ଘଟଣାରେ ସରକାରଙ୍କୁ କାଠାଗଡାକୁ ଟାଣିଛି ବିଜେପି ।
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଓ ଅର୍ଚ୍ଚନା ନାଗ ସହିତ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ଅହୋରାତ୍ର ଧାରଣା ଆଜି ଶେଷ ହୋଇଛି । ଦୁଇ ଘଟଣାରେ କାର୍ଯ୍ୟାନଷ୍ଠାନ ପାଇଁ ବିଜେପି ୪୮ ଘଣ୍ଟାର ମହଲତ ଦେଇଛି । ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ ବୋଲି ବିଜେପି କହିଛି । ଏହା ସତ୍ୱେ ବି ସରକାର କୌଣସି ପଦକ୍ଷେପ ନ ନେଲେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ପାଇଁ ସବ ଡିଭିଜନ ସ୍ତରରେ ବିଜେପି ଆନ୍ଦୋଳନ କରିବ ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ପୋଲିସ ଡିଜି ଓ ପୋଲିସ କମିଶନରଙ୍କୁ ଆମେ ୪୮ ଘଣ୍ଟା ମହଲତ ଦେଉଛୁ । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଏଥିରେ ମନ୍ତ୍ରୀଙ୍କ ସହ ଜଣେ ମହିଳା ବି ସଂପୃକ୍ତ ଅଛନ୍ତି । କିନ୍ତୁ ପୋଲିସ ନୀରବ ଦ୍ରଷ୍ଟା ସାଜିିଛି ।
ସେପଟେ ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଘଟଣା ଉପରେ ସରକାର ଓ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାକୁ ତର୍ଜମା କଲେ ସରକାର ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାନ୍ତି । ଯେତେ ପ୍ରସଙ୍ଗ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ତଦନ୍ତ ତା ବାଟରେ ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ ଦେଉଛନ୍ତି । ସେମାନଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ । ବିରୋଧୀ ଦଳ ଭାବେ ସେ ତାଙ୍କ କାମ କରୁଛନ୍ତି । ଧାମନଗର ଉପନିର୍ବାଚନରେ ତାଙ୍କର ଯେପରି ଦୟନୀୟ ସ୍ଥିତି ହେବାକୁ ଯାଉଛି ତା ଉପରୁ ଦୃଷ୍ଟି ଏଡାଇବାକୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ତାଙ୍କ ୪୮ ଘଣ୍ଟା ମହଲତ ଉପରେ ସରକାର କାର୍ଯ୍ୟ କରିବନି । ତଦନ୍ତର ସୀମା ସରହଦ ରହିଛି । ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ସଠିକ୍ ଭାବେ କାର୍ଯ୍ୟକ୍ରମ ଚାଲିଛି ।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଏହି ଘଟଣାରେ କଂଗ୍ରେସ ନିରବ ହୋଇ ବାସିନାହିଁ । ଛାତ୍ର କଂଗ୍ରେସ ତରଫରୁ ବିରୋଧ ପଦର୍ଶନ କରାଯାଇଛି । କିନ୍ତୁ ଯେହେତୁ ଏହି ମାମଲାଟି ବର୍ତ୍ତମାନ କୋଟ ଅଧୀନରେ ରହିଛି ତେଣୁ ବିରୋଧ କରିବା ଆବଶ୍ୟକତା ନାହିଁ । ଯଦି ରାଜ୍ୟ ସରକାର ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରିବେ ତେବେ କଂଗ୍ରେସ ଚୁପ ବସିବନି । ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।