ସରିଲା BJPର ରାଜ୍ୟ କାର୍ଯ୍ୟକାରିଣୀ; ୧୬ଟି ରାଜନୈତିକ ଚିଠା ପ୍ରସ୍ତାବ ଉପରେ ବାଜିଲା ମୋହର

ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀରେ ଆଗାମୀ ୩ ମାସ ପାଇଁ ଦଳର କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତ ହୋଇଥିଲା ରାଜନୈତିକ ଚିଠା ପ୍ରସ୍ତାଵ। ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଉପରେ ଜୋର ଦିଆଯାଇଛି।

ସରିଲା BJPର ରାଜ୍ୟ କାର୍ଯ୍ୟକାରିଣୀ

ସରିଲା BJPର ରାଜ୍ୟ କାର୍ଯ୍ୟକାରିଣୀ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ସହିତ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ଼ମ୍ୟପ ପ୍ରସ୍ତୁତ ଲକ୍ଷ୍ୟରେ ୧୬ଟି ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ସହିତ ଶେଷ ହୋଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ। ଏଥି ସହିତ ଆଗାମୀ ତିନି ମାସ ଧରି କଣ ରହିବ ଦକୀୟ କାର୍ଯ୍ୟକ୍ରମ ଧାରା ସେ ନେଇ ଦଳର ନେତା ଓ ଅଧିକାରୀଙ୍କୁ ଦିଆଯାଇଛି ଗୁରୁମନ୍ତ୍ର।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସୂଚନା ଅନୁସାରେ, ମୋଦିଙ୍କ ସରକାର ଓଡ଼ିଶା ଭଳି ରାଜ୍ୟର ବିକାଶ ପାଇଁ ଟ୍ରେଜେରି ଖୋଲି ଦେଇଛନ୍ତି। ପର୍ଯ୍ୟାପ୍ତ ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର ଯେଉଁ ଟଙ୍କା ଆସୁଛି ତାହା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ରାଜ୍ୟର ବିକାଶ କରିବା ଦିଗରେ ଓଡ଼ିଶା ସରକାର ବାଧକ ସାଜିଛନ୍ତି। ଗତ ୨୩ ବର୍ଷର ଏହି ସରକାରଙ୍କର କୌଣସି ଭିଜନ ନାହିଁ। ଓଡ଼ିଶାର ବିକାଶ ପ୍ରସଙ୍ଗ ବିଜୁ ଜନତା ଦଳର ଭିଜନ ନୁହେଁ, ବରଂ କଳେ ବଳେ କୌଶଳ କ୍ରମେ କ୍ଷମତାରେ ରହିବା ହେଉଛି ବିଜୁ ଜନତା ଦଳର ଲକ୍ଷ୍ୟ। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି। ଚାଷୀଙ୍କ ଆୟ ପ୍ରସଙ୍ଗରେ ତଳ ଆଡୁ ଦୁଇ ନମ୍ବରରେ ରହିଛି ଓଡ଼ିଶା। ସେହିଭଳି ପିଏମ କିସାନ ଯୋଜନାରେ ଓଡ଼ିଶାର ଚାଷୀ ଲାଭ ପାଇ ପାରୁନାହାଁନ୍ତି। ରାଜ୍ୟ ସରକାର ବାଧକ ସାଜିଛନ୍ତି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦ ଟଙ୍କା ବଢ଼ାଇଲେ ହେଲେ ଓଡ଼ିଶାର ଚାଷୀ ତାହା ପାଉ ନାହାଁନ୍ତି। ଏଠି ମିଲର ଓ ସରକାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ହେଉଛି। ପକ୍କା ଘର ଦଳୀୟ ଭତିରେ ବଣ୍ଟା ଯାଉଛି।

ସେ ଆହୁରି କହିଛନ୍ତି ଯେ, ୨୦୧୭ ପୂର୍ବରୁ ମହାନଦୀ ମହାନାଟକ ରଚିଥିଲା ବିଜେଡି। ନିର୍ବାଚନରେ ବିଜେପିକୁ ବଦନାମ କରିବା ପାଇଁ ଯୋଜନା କରିଥିଲା। ଆଉ ନିର୍ବାଚନ ସରିବା ପରେ ବିଜେଡି ଚୁପ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ମମିତା ମେହେର, ପରି ଓ ମାହାଙ୍ଗା ଭଳି ଘଟଣାରେ ସରକାରଙ୍କ ମନ୍ତ୍ରୀ ମାନଙ୍କ ନାଁ ଆସିଲା ସରକାର ବହୁ ବିଳମ୍ବରେ କେବଳ ତାଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବାହାର କଲେ। ମାତ୍ର ସେହି ଘଟଣା ସେତିକିରେ ରହିଗଲା। ଏଭଳି ୧୬ ଟି ବଛା ବଛା ପ୍ରସଙ୍ଗକୁ ନେଇ ବିଜେପି ଆଗତ କରିଛି ରାଜନୈତିକ ଚିଠା ପ୍ରସ୍ତାବ। ବୁଧବାର ଭୁବନେଶ୍ୱର ଉପକଣ୍ଠ କୁରାଙ୍ଗ ଶାସନର ଏକ ଘରୋଇ ରିସର୍ଟରେ ଆୟୋଜିତ କାର୍ଯ୍ୟକାରିଣୀରେ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏସବୁ ପ୍ରସଙ୍ଗ ସହିତ ବିଜୁଳିର ଦର ବୃଦ୍ଧି, କୁପୋଷଣ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଘୋଟଲା ଆଦି ପ୍ରସଙ୍ଗରେ ଏହି କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚନା ହୋଇଥିଲା।

ରାଜ୍ୟ କାର୍ଯ୍ୟ କାରିଣୀ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ‘‘ପ୍ରଧାନମନ୍ତ୍ରୀଙ୍କ ୮ ବର୍ଷ କାର୍ଯ୍ୟକାଳ ଓଡ଼ିଶା ପାଇଁ ସୁବର୍ଣ୍ଣ ସମୟ। ଏହି ସମୟ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣର ପ୍ରୟୋଗ ଶାଳ ହୋଇଛି। ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ଆଶା ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରିଛନ୍ତି। ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଅଗ୍ନୀବୀର ଯୋଜନା ଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ଏହା ବାଦ ଆକାଂକ୍ଷା ଜିଲ୍ଲା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ସାମିଲ ହୋଇଛି। ଉଡାଣ ଯୋଜନାରେ ଜୟପୁର, ଝାରସୁଗୁଡା ଓ ରାଉରକେଲା ସହରକୁ ସାମିଲ କରାଯାଇଛି। ପିଏମ ଗତି ଯୋଜନାରେ ଓଡ଼ିଶାକୁ ପ୍ରାଧାନ୍ୟ ମିଳିଛି। ଭାରତ ମାଳା ଓ ସାଗର ମାଳା ପ୍ରକଳ୍ପ ଦ୍ବାରା ଓଡ଼ିଶା ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ଦିଗରେ ନିଆଯାଇଛି। ବଡ଼ ନିଷ୍ପତ୍ତି, ଫନି, ଅମ୍ଫାନ, ହୁଡହୁଡ଼, ୟସ୍ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ସହିତ ଛିଡା ହୋଇଛନ୍ତି ମୋଦି ସରକାର। ଏଥି ସହିତ ୧୮୧୭ ମସିହାର ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ସହ ପାଠ୍ୟ ପୁସ୍ତକରେ ସାମିଲ, ଖୋର୍ଦ୍ଧା ବରୁଣେଇରେ ପାଇକ ସ୍ମାରକୀ ଶିଳାନ୍ୟାସ ଓ ୨୦୦ କୋଟିର ସହାୟତା ତଥା ୩ ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଦାୟିତ୍ୱ, ୫ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ, ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତି ବିଶେଷମାନଙ୍କୁ ମର୍ଯ୍ୟାଦା ଜନକ ସମ୍ମାନ ଓ ଦାୟିତ୍ୱ ପ୍ରଦାନ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ କୃତଜ୍ଞତା ଦିଆଯାଇଥିଲା।

ମୋଟ ଉପରେ ଏହି ରାଜ୍ୟ କାର୍ଯ୍ୟକାରିଣୀରେ ଆଗାମୀ ୩ ମାସ ପାଇଁ ଦଳର କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତ ହୋଇଥିଲା ରାଜନୈତିକ ଚିଠା ପ୍ରସ୍ତାଵ। ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଉପରେ ଜୋର ଦିଆଯାଇଥିଲା। ବିଜେପିର ଏହି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜନ୍ତ ପଣ୍ଡା, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ସଭାପତି ମନ ମୋହନ ସାମଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ସଭାପତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Published by:Lipina Das
First published: