News18 Odia Digital
ଭୁବନେଶ୍ୱର: ବିଜେପିର ଫୋକସ ଓଡ଼ିଶା। ଲୋକଙ୍କୁ ନିଜର କରିବାକୁ ବିଜେପି ମାଷ୍ଟର ପ୍ଲାନ କରୁଛି। ହେଲେ ଆକ୍ସନ ପାଇଁ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜେ.ପି.ନଡ୍ଡା ଓଡିଶା ଆସିବେ। ହେଲେ ଓଡ଼ିଶାରେ ଓନଲି ନବୀନ ବୋଲି ବିଜେଡି କହିଛି। ଆଉ ରାହୁଲଙ୍କ ଭାରତ ଯୋଡ ଯାତ୍ରାର ପ୍ରଭାବ ପଡିଛି ତେଣୁ ହାତ ଭଲ କରିବ ବୋଲି କହିଛି କଂଗ୍ରେସ।
ଓଡ଼ିଶା ଦଖଲ ପାଇଁ ବିଜେପି ମାଷ୍ଟର ପ୍ଲାନ କରୁଛି। ସେଥିପାଇଁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲଙ୍କୁ ମିଶାଇ ୩ ଜଣିଆ ଟିମ ଗଠନ କରାଯାଇଛି। ଏହି ଟିମ ବିଜେପିର ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟ ସମୀକ୍ଷା କରିବ।ସେହିପରି ଦଳର ଟପବ୍ରାସଙ୍କୁ ନେଇ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ସେହି କ୍ରମରେ ଆଗକୁ ଓଡ଼ିଶାରେ ରହିଛି ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ସାହା ଓ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ କାର୍ଯ୍ୟକ୍ରମ। ତିନି ତିନି ଜଣ ଷ୍ଟଲୱାର୍ଟ ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ଜନସଭା କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଗତ ୮ ବର୍ଷରେ ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ମନ ଭିତରେ ଭରସା ବଢ଼ିଛି। ୧୭-୧୮ ପ୍ରତିଶତ ଭୋଟ ପାଉଥିବା ବିଜେପି ୩୫-୪୦ ପ୍ରତିଶତ ପାଇବା ଦକ୍ଷତା ହାସଲ କରି ସାରିଛି। ବିଜେପି ବିଗତ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ। ଏହାର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ବୁଥରେ ପାର୍ଟିର ସଙ୍ଗଠନକୁ ମଜବୁତ କରିବ ବିଜେପି। କେନ୍ଦ୍ରର ଲୋକାଭିମୁଖୀ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଦଳ।
ସେପଟେ ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି ଦିଲ୍ଲୀକୁ ଯେଉଁମାନେ ଭରସା କରୁଛନ୍ତି ଏମସିଡ଼ି ନିର୍ବାଚନରେ ଲୋକେ ଦେଖାଇ ଦେଇଛନ୍ତି ଦିଲ୍ଲୀ କଣ?ଓଡିଶାରେ ଏକ ପାଖିଆ ନିର୍ବାଚନ ହେଉଛି। ବିଜେଡି ପ୍ରତି ଲୋକଙ୍କ ସମର୍ଥନ ବଢୁଛି । ତେଣୁ ମୋଦି, ଶାହଙ୍କ ଗସ୍ତର କୌଣସି ଫରକ ପଡ଼ିବନି। ବିଜେଡ଼ି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ୨୦୨୪ ନିର୍ବାଚନୀ ବର୍ଷ। ସବୁ ଦଳର ନିଜସ୍ବ ଏଜେଣ୍ଡା ରହିଛି। ତେଣୁ ସବୁ ଦଳ ରାଜନୈତିକ କାର୍ଯ୍ୟକ୍ରମ କରିବେ। ଅନ୍ୟପଟେ କଂଗ୍ରେସ କହିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାର ପ୍ରଭାବ ରହିଛି। ଓଡ଼ିଶାରେ ପିସିସି ସଭାପତିଙ୍କ ପ୍ରତି ସମର୍ଥନ ବଢୁଛି। ଦେଶରେ କଂଗ୍ରେସ ଏବଂ ରାଜ୍ୟରେ ବି କଂଗ୍ରେସ।
ପୂର୍ଵପେକ୍ଷା ଓଡ଼ିଶାରେ ବିଜେପି ଅଧିକ ଆକ୍ଚିଭ। ବିଧାନସଭା ଠାରୁ ଆରମ୍ଭ କରି ବ୍ଲକସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଜୋରସୋରରେ ଉଠାଉଛି। ଆଉ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ମୋଦି, ଶାହ ଓ ନଡ୍ଡାଙ୍କ ଆଶା ରଖିଛି ରାଜ୍ୟ ବିଜେପି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।