News18 Odia Digital
ଭୁବନେଶ୍ୱର : ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ବେଆଇନ କାମ କରୁଛନ୍ତି। ସବଠାରୁ ବଡ଼ କଥା, ଆଇଟି ସଚିବଙ୍କ ମନୋମୁଖୀ ଓ ଅଣସାମ୍ବିଧାନିକ ପଦକ୍ଷେପ ନେଇଛନ୍ତି। ବିଜେପିର ବରିଷ୍ଠ ନେତା ସୁଦର୍ଶନ ନାୟକ ସାମ୍ବାଦିକ ସମ୍ମିଳନୀ କରି ଆଇଟି ସଚିବ ମନୋଜ ମିଶ୍ରଙ୍କ ଠିକା ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି, ମନୋଜ ମିଶ୍ରଙ୍କ ନିଯୁକ୍ତି ଅଣସାମ୍ବିଧାନିକ। ଏଣୁ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ବାତିଲ ଲାଗି ଦାବି କରିଛି ରାଜ୍ୟ ବିଜେପି। ବିଜେପି କହିଛି, ବିନା ବିଜ୍ଞାପନରେ କୌଣସି ସରକାରୀ କର୍ମଚାରୀଙ୍କ ନିଯୁକ୍ତି ହୋଇପାରିବ ନାହିଁ। ଏଭଳି କ୍ଷେତ୍ରରେ ମନୋଜ ମିଶ୍ରଙ୍କ ନିଯୁକ୍ତି ସମ୍ବିଧାନର ଧାରା ୧୪ ଓ ୧୬ର ଉଲ୍ଲଘଂନ କରୁଛି। ଏହା ଛଡ଼ା ଓଡ଼ିଶାରେ ୯ଟି ପ୍ରିନ୍ସିପାଲ୍ ସେକ୍ରେଟାରୀ କ୍ୟାଡ଼ର ରହିଛି । ପ୍ରିନ୍ସିପାଲ୍ ସେକ୍ରେଟାରୀ ଲାଗି ୯ଟି ଏକ୍ସ କ୍ୟାଡ଼ର ପୋଷ୍ଟ ରାଜ୍ୟ ସରକାର ନିଯୁକ୍ତି ଦେଇପାରିବେ। ଏବେ ୧୮ଟି ଯାକ ପୋଷ୍ଟ ପୂରଣ ହୋଇସାରିଛି। ଏହା ବାଦ୍ କିଭଳି ମନୋଜ ମିଶ୍ରଙ୍କୁ ପ୍ରିନ୍ସିପାଲ୍ ସେକ୍ରେଟାରୀ ପଦବୀ ମିଳିଲା ବୋଲି ପ୍ରଶ୍ନ କରିଛି ବିଜେପି।
ବିଜେପି ପୁନଶ୍ଚ ଅଭିଯୋଗ କରିଛି, ଏ ସରକାର ଏକ କମିଟେଡ ବ୍ୟୁରୋକ୍ରାସି ଗଠନ ପାଇଁ ଚେଷ୍ଟା କରୁଛନ୍ତି। ମନୋଜ ମିଶ୍ରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେପି ବିରୋଧୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ମନୋଜ ମିଶ୍ର ନିଜ ହ୍ୱାଟସଆପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଅହଙ୍କାରୀ ଦର୍ଶାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଦାଚାରୀ ବୋଲି କହିଛନ୍ତି। ଏହାର ପ୍ରମାଣ ସ୍ୱରୂପ ହ୍ୱାଟସଆପ ମେସେଜ ସ୍କ୍ରିନ ସଟ ଦେଖାଇଛି ବିଜେପି । ଏଥିପାଇଁ ତାଙ୍କୁ ରାଜ୍ୟ ସରକାର ଏଭଳି ନିଯୁକ୍ତି ଦେଇଛନ୍ତି ବୋଲି ବିଜେପିର ଅଭିଯୋଗ। ଏହା କେବଳ ଅଣସାମ୍ବିଧାନିକ ନୁହେଁ, ଏହା ଭାରତୀୟ ପ୍ରଶାସନିକ ସେବା ନିୟମକୁ ବି ଉଲ୍ଲଘଂନ କରୁଛି । ଏମିତି ଚାଲିଲେ, ହୁଏତ ଆଗକୁ କାହାକୁ ରାଜ୍ୟ ସରକାର ଚୁକ୍ତିଭିତ୍ତିରେ ମୁଖ୍ୟ ଶାସନ ସଚିବ ପଦରେ ବି ନିଯୁକ୍ତି ଦେଇଦେବେ । ନିରପେକ୍ଷତା ହେଉଛି ବ୍ୟୁରୋକ୍ରସିର ହଲମାର୍କ । ତାହା କିଭଳି ନଷ୍ଟ ହେବ, ସେଥିପାଇଁ ନବୀନ ବାବୁ କାମ କରୁଛନ୍ତି । ଯେଉଁ ଲୋକଙ୍କର IT ବା ଇଲେକ୍ଟ୍ରୋନିକସରେ ଜ୍ଞାନ ନାହିଁ, ତାଙ୍କୁ କିଭଳି IT ସଚିବ କରାଗଲା ବୋଲ ବିଜେପି ପ୍ରଶ୍ନ କରିଛି।
ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଆଇଟି ସଚିବ ଭାବେ ମନୋଜ ମିଶ୍ର ଭଲ କାମ କରିଛନ୍ତି। ତାଙ୍କ ସମୟରେ ବହୁ ଶୀର୍ଷ ସ୍ତରର ଆଇଟି କମ୍ପାନୀ ଓଡିଶାକୁ ଆସିଛନ୍ତି। ଆଉ ରାଜ୍ୟରେ ସେମାନଙ୍କର ଶାଖା ଖୋଲିଛନ୍ତି। ଯାହା ଦ୍ୱାରା ଓଡିଶାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି। ଏଭଳି ଜଣେ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ବଜେପି କେବେ ପ୍ରଶଂସା କରି ନାହିଁ। ତାଙ୍କ ଭଲ କାମକୁ ସ୍ୱୀକୃତି ଦେଇ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଉଛନ୍ତି। ସେତେବେଳେ ବିଜେପି କାହିଁକି ଏତେ ପ୍ରତିକ୍ରିୟାଶୀଳ ହୋଇ ପଡୁଛି। ତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ବିଜେପି କାହିଁକି ଏତେ ଭୟଭୀତ ହେଉଛି। ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ବିଜେଡି ପ୍ରଶ୍ନ କରିଛି।
କେନ୍ଦ୍ର ଏଭଳି ଅନେକ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବିଭାଗରେ ନିଯୁକ୍ତି ହେଉଛି। ସେ ସମ୍ପର୍କରେ ବିଜେଡି ତ କେବେ ପ୍ରଶ୍ନ ଉଠାଇ ନାହିଁ। ଏହାକୁ ନେଇ ବିରୋଧରେ କିମ୍ବା ସପକ୍ଷରେ ବିଜେଡି କେବେ ମନ୍ତବ୍ୟ ଦେଇ ନାହିଁ। ଏହା ଏକ ପ୍ରଶାସନିକ ବ୍ୟାପାର। ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିବା ଉଚିତ ନୁହେଁ। ପ୍ରଶାସନ କାହାକୁ ନିଯୁକ୍ତି ଦେଵ। କେତେବେଳେ ଦେଵ। ତାହା ପ୍ରଶାସନ ନିଷ୍ପତ୍ତି ନେବ। ଓଡିଶା ବିଜେପି ଜଣେ ସରକାରୀ ଅଧିକାରୀଙ୍କ ନିଯୁକ୍ତିରେ ଏତେ ଵ୍ୟସ୍ତ ବିବ୍ରତ ହେଉଛି କାହିଁକି? କାହିଁକି ଏତେ ଭୟଭୀତ। ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ବିଜେଡି କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।