News 18 Odia Digital
ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ଘଟଣାରେ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦୁଇଟି ଘଟଣାରେ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦାବି କରିଛି । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତାକାଲିଠୁ ପୋଲିସ କମିଶନରେଟ ଅଫିସ ଆଗରେ ଅହୋରାତ୍ର ଆନ୍ଦୋଳନ କରିବ ବିଜେପି । ଯେପର୍ଯ୍ୟନ୍ତ ସତ ସାମ୍ନାକୁ ନ ଆସିଛି ବିଜେପି ପ୍ରତିବାଦ ଜାରି ରଖିବ ।
୪୮ ଘଣ୍ଟା ମଧ୍ୟରେ ଧର୍ମେନ୍ଦ୍ର ସାହୁଙ୍କ ଘଟଣାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ସହ ଅର୍ଚ୍ଚନା ନାଗ ଘଟଣାରେ ସଂପୃକ୍ତ ଥିବା ଲୋକଙ୍କ ସଂପୃକ୍ତି ସାମ୍ନାକୁ ନ ଆଣିଲେ ଘଣ୍ଟା ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯିବାକୁ ଚେତାବନୀ । ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ଶାସକଦଳ ଭ୍ରଷ୍ଟାଚାରରେ ବୁଡ଼ିକି ରହିଛି । ବିନା ଲାଞ୍ଚରେ ପତ୍ର ହଲୁନି । ରାଜ୍ୟରେ ଅନ୍ୟାଚାର ଓ ବ୍ୟଭିଚାର ଚାଲିଛି । ପୂର୍ବରୁ ଇତିଶ୍ରୀ, ବେବିନା, ପରୀ, ପିହୁ , ମମିତା ମେହେର ପରି ଘଟଣାରେ ଶାସକ ଦଳର ସଂପୃକ୍ତି ଆସିଛି । ଏବେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଶାସକ ଦଳ ମନ୍ତ୍ରୀଙ୍କ ସିଧାସଳଖ ସଂପୃକ୍ତି ରହିଛି । ପୋଲିସ ଯେପରି ତଦନ୍ତ କରିବା କଥା କରୁନି । ଅଡିଓ ,ଭିଡିଓ ଭାଇରାଲ ହେଉଛି । ସବୁ ତଥ୍ୟ ଘୁରି ବୁଲୁଥିଲେ ବି ପୋଲିସ୍ କି ରାଜ୍ୟ ସରକାର ମୁହଁ ଖୋଲୁ ନାହାନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କିତ ଅଡିଓକୁ ପୋଲିସ ଗୁରୁତ୍ଵ ଦେଉନି । ଏହି ଅଡିଓକୁ ମୃତ୍ୟୁ କାଳୀନ ଜମାନ ବନ୍ଦୀ କହିଲେ ଅତ୍ୟୁକ୍ତି ହେବନି । କିନ୍ତୁ ଏହାକୁ ପୋଲିସ ଘଣ୍ଟ ଘୋଡାଉଛି । ପ୍ରତିମାସ ଧର୍ମେନ୍ଦ୍ର ସାହୁଙ୍କ ଠାରୁ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ମୋଟା ଅଙ୍କ ଅର୍ଥ ଆଦାୟ କରୁଥିଲେ । ସେ କଥା କାହିଁକି ସାମ୍ନାକୁ ଅଣାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ପଞ୍ଚାୟତ ନିର୍ବାଚନ ପରେ ଦୁଇ ଥର ୨୫ ଲକ୍ଷ ଓ ୩୦ ଲକ୍ଷ ଟଙ୍କା ମନ୍ତ୍ରୀଙ୍କ ପାଖକୁ ଯାଇଛି । ମନ୍ତ୍ରୀଙ୍କ ସମ୍ପୃକ୍ତି ସ୍ପଷ୍ଟ ଭାବେ ଜଣାପଡ଼ିଥିଲେ ସୁଦ୍ଧା ଜାଣି ଶୁଣି ତଦନ୍ତ କରୁନି । ଘଟଣାରେ ଜଣେ ଲେଡି କିଙ୍ଗ ପିନ୍ ଅଛନ୍ତି। ଯିଏ ମନ୍ତ୍ରୀଙ୍କ ପାଇଁ ସବୁ ଘଟଣା ପରିଚାଳିତ କରୁଛନ୍ତି । ମନ୍ତ୍ରୀଙ୍କ ସଂପୃକ୍ତି ଥିବା ସତ୍ତ୍ବେ କାହା ଇଙ୍ଗିତରେ ଘଣ୍ଟ ଘୋଡା ଯାଉଛି ? ଆଇନ ତା ବାଟରେ ଯିବା କଥା କହୁଛନ୍ତି । କିନ୍ତୁ ଆଇନ କିପରି ତା ବାଟରେ ଯିବ ସେ ନେଇ ରାସ୍ତା ତିଆରି କରାଯିବା ଆବଶ୍ୟକ । କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଜେରା କରାଯାଉ ନାହିଁ । ପୋଲିସ ତଦନ୍ତ କଲେ ବିଜେପି ପାଖରେ ଯାହା ତଥ୍ୟ ଅଛି ତାହା ପୋଲିସକୁ ଦିଆଯିବ। ଯଦି ପୋଲିସ ଏଭଳି ନୀରବଦ୍ରଷ୍ଟା ସାଜେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ବିଜେପି ଯାହା କରିବା କଥା କରିବ ବୋଲି ଚେତାବନୀ ଦେଇଛି ବିଜେପି।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବି ସରକାରଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ଅଭିଯୋଗ କରିଛି ଜଣେ ଲେଡି ବ୍ଲାକମେଲର ସରକାରଙ୍କୁ ଚଳାଉଛନ୍ତି । ଡଜନେ ମନ୍ତ୍ରୀଙ୍କୁ ନଚାଉଥିଲେ । ସଚିବାଳୟ, ବିଧାନସଭାକୁ ଅବାଧ ପ୍ରବେଶ କରୁଥିଲେ । ବାରବାଟି ମ୍ୟାଚ୍ ପାଇଁ ଏକାଧିକ ପାସ ନେଉଥିଲେ। ଟେଣ୍ଡର ଫିକ୍ସିଂଠୁ ଆରମ୍ଭ କରି ସରକାରୀ ସୁବିଧା କାହାକୁ ମିଳିବ ସେ ନେଇ କାମ କରୁଥିଲେ । ସେ ଗିରଫ ହୋଇଥିଲେ ବି ପୋଲିସ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି । କାହା ସହାୟତାରେ ସେ ଏପରି କରିଥିଲା, କିଏ ତାକୁ ସହଯୋଗ କରୁଥିଲା । ସେ ନେଇ ସରକାର ତଥ୍ୟ ରଖନ୍ତୁ ବୋଲି ଦାବି କରିଛି ।
କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି " ବିଜେପି ଡ୍ରାମା କରୁଛି । ମମିତା ମେହେର ଘଟଣାରେ ଏତେ କହୁଥିଲେ ଏବେ କଣ ହେଲା ? । ବିଜେପି ଶୋଇପଡ଼ିଲା । ବିଜେପି ଓ ବିଜେଡ଼ି ଦଳର ବହୁ ନେତାଙ୍କର ଫଟୋ ଅଛି ଅର୍ଚ୍ଚନା ସହ । ପୋଲିସ କମିଶନରଙ୍କୁ ଟାର୍ଗେଟ କରି କହିଛନ୍ତି ଗତକାଲି ସାମ୍ବାଦିକଙ୍କ ପ୍ରଶ୍ନରେ ପୋଲିସ କମିଶନର ମୁହଁ ବୁଲେଇ ଚାଲିଗଲେ । ତା ଅର୍ଥ ପୋଲିସ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାପ ଅଛି । ଦୁଇ ଦଳର ନେତାଙ୍କୁ ଲୁଚେଇବା ଲାଗି ଚାପ ଅଛି ପୋଲିସ ଉପରେ । ଆମର ତ ସଂଖ୍ୟା କମ । ତଥାପି ବିଧାନସଭାରେ ଆମେ ଉଠେଇବୁ ଅର୍ଚ୍ଚନା ଗଙ୍ଗାରେ କିଏ ଗାଧେଇଛନ୍ତି । ଆମ ଦଳର କେହି ବୁଡ ପକେଇ ନାହାନ୍ତି ବୋଲି ସେ କହିଛନ୍ତି ।
ସେପଟେ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି "ଓଡ଼ିଶାବାସୀ ଜାଣିଛନ୍ତି ବେଆଇନ କାମକୁ ମୁଖ୍ୟମନ୍ତ୍ରୀ କେବେ ପ୍ରଶୟ ଦିଅନ୍ତି ନାହିଁ । ସବୁବେଳେ ଜିରୋ ଟୋଲରାନ୍ସ ନିତି ଆପଣାଇଥାନ୍ତି । ଆଇନ ଶୁଙ୍ଖଳା କଥା ଆସିଲେ ମୁଖ୍ୟମନ୍ତ୍ରୀ କାହାକୁ ଘଣ୍ଟ ଘୋଡାଇବାର ନଜିର ନାହିଁ । ଆଇନ ତା ବାଟରେ ଯିବ । ତଦନ୍ତ ଚାଲିଛି । ଧର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ । ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।