ଆବାସ ଯୋଜନାକୁ ନେଇ CM ନବୀନଙ୍କ ବଡ଼ ଘୋଷଣା ପରେ ରାଜନୀତି ମହଲରେ ହଇଚଇ

ବିଜେଡିକୁ ପୁଣି ଟାର୍ଗେଟ କଲା ବିଜେପି । ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଘୋଷଣାକୁ ନେଇ ରାଜନୀତି ।

ଆବାସ ଯୋଜନାକୁ ନେଇ CM ନବୀନଙ୍କ ବଡ଼ ଘୋଷଣା ପରେ ରାଜନୀତି ମହଲରେ ହଇଚଇ

ଆବାସ ଯୋଜନାକୁ ନେଇ CM ନବୀନଙ୍କ ବଡ଼ ଘୋଷଣା ପରେ ରାଜନୀତି ମହଲରେ ହଇଚଇ

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆବାସ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଶେଷ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଶାସକ ଦଳ ଅଣ୍ଟା ଭିଡିଥିବା ବେଳେ ଏହାକୁ କଡ଼ା ଶବ୍ଦରେ ସମାଲୋଚନା କରିଛି ବିଜେପି ।

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ। ସେ କହିଛନ୍ତି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏହା ଦ୍ବାରା ରାଜ୍ୟରେ ୩୦ ଲକ୍ଷ ପରିବାର ଉପକୃତ ହେବେ।

ସେ ଆହୁରୀ କହିଛନ୍ତି ଯେ ଏଥିପାଇଁ ୧,୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ। କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ। ଯଦି କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବିକୁ ଗ୍ରହଣ ନ କରନ୍ତି, ତେବେ କେନ୍ଦ୍ର ଯୋଜନାରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଦେବା ପାଇଁ ପଦକ୍ଷେପ ନେବେ। ୨୦୧୪ରୁ ରାଜ୍ୟରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୨୨,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ଆବାସ ଯୋଜନା ପ୍ରସଙ୍ଗରେ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ନେଇ ବିଜେପି ନେତା ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘‘ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖଉଛନ୍ତି ରାଜ୍ୟ ସରକାର । ମୁଖ୍ୟ ମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କରିଥିବା ଘୋଷଣା ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ। ଯଦି ଲୋକଙ୍କ ପାଇଁ ତାଙ୍କର ଏତେ ଆନ୍ତରିକତା ଥିଲା ଆଗରୁ ସହାୟତା କାହିଁକି ଦେଉ ନଥିଲେ? ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେରେ ୨୬ ଲକ୍ଷ ୫୫ ହଜାର ୮୫୭ ଘର ଓଡ଼ିଆ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଘର ଦେଇଛନ୍ତି ନା ନାହିଁ ସ୍ପଷ୍ଟ କରନ୍ତୁ? ଓଡ଼ିଶାର ଆବାସ ପ୍ଲସ୍ ୱେବ ସାଇଟ ଖୋଲି ରଖିଛନ୍ତି କେନ୍ଦ୍ର ସରକାର। କିନ୍ତୁ ହିତାଧିକାରୀଙ୍କ ନା' କାହିଁକି ସାମିଲ କଲେ ନାହିଁ ରାଜ୍ୟ ସରକାର?’’

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ସିଂହ ଭାଗ ଟଙ୍କା ଦେଉଥିବା ବେଳେ ସେ ଜାଗାରେ ରାଜ୍ୟ ସରକାର ଅଧିକା ଅର୍ଥ ଦେବା ଦାବି କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ ଆହୁରୀ କହିଛନ୍ତି, ‘‘ଆବାସ ଯୋଜନାରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ଗାଁ ଗହଳିରେ ଚଞ୍ଚକତା କରି ବଣ୍ଟା ଯାଉଛି। ସେହିପରି ଘର ବଣ୍ଟନରେ ସ୍ଵଛତା ନେଇ କେତେ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ୩୦ ଲକ୍ଷ ହିତାଧିକାରୀ କିଏ, ତାଙ୍କ ଠିକଣା କ'ଣ, କୋଉଠୁ ପାଇଲେ ତାକୁ ସାର୍ବଜନୀନ କରାଯାଉ।’’

୨୦୧୪ ମସିହାରେ ବିଜେଡି ଘୋଷଣା କରିଥିଲା ୨୦୧୯ ମସିହା ସୁଦ୍ଧା ସମସ୍ତଙ୍କ ଘର ଛାତ ହେବ । ଏବେ ୨୦୨୧ ସରିବାକୁ ବସିଲାଣି, ହେଲେ ସମସ୍ତଙ୍କ ମୁଣ୍ଡରେ ଛାତ ନାହିଁ। ପ୍ରତିଶୃତି ଗଲା କୁଆଡେ ଗଲା ବୋଲି ବିଜେପି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି । ଏ ନେଇ କଂଗ୍ରେସ କିଛି ପ୍ରତିକ୍ରିୟା ରଖିନାହିଁ।
Published by:Lipina Das
First published:
)}