ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପିର ନିଆରା ପ୍ରତିବାଦ; ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ

ଲଗାତାର ତିନି ଦିନ ଧରି ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଗୃହରେ ତୁମ୍ବୀ ତୋଫାନ କରୁଥିବା ବେଳେ ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ନିଆରା ପ୍ରତିବାଦ ଦେଖିବାକୁ ମିଳିଥିଲା। ଝାଡୁ, ଗୋବର ପାଣି ଓ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିଲା ବିଜେପି।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପିର ନିଆରା ପ୍ରତିବାଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପିର ନିଆରା ପ୍ରତିବାଦ

  • Share this:
News18 Odia Digital

ଭୁବନେଶ୍ବର: ତୃତୀୟ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ମମିତା ମେହେର ଝଡ଼ରେ ଆଜି ବି ଧୋଇଗଲା ପ୍ରଶ୍ନକାଳ। ଗୃହ କାର୍ଯ୍ୟ ଆରମ୍ଭରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଏକାଠି ହୋଇଛି ଉଭୟ ବିରୋଧୀ। ବିଜେପି ସିବିଆଇ ଦାବି କରିଥିବା ବେଳେ ଏସଆଇଟି ତଦନ୍ତ ଜିଦରେ କଂଗ୍ରେସ।

ଲାଗତାର ତିନି ଦିନ ଧରି ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଗୃହରେ ତୁମ୍ବୀ ତୋଫାନ କରୁଥିବା ବେଳେ ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ନିଆରା ପ୍ରତିବାଦ ଦେଖିବାକୁ ମିଳିଥିଲା। ଝାଡୁ, ଗୋବର ପାଣି ଓ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିଲା ବିଜେପି। ମନ୍ତ୍ରୀଙ୍କ ପ୍ରବେଶ ଯୋଗୁ ଗୃହ ଅପବିତ୍ର ହୋଇଥିବାରୁ ପବିତ୍ର କରିବା ବାର୍ତ୍ତା ଦେଇ ଏଭଳି ଅଭିନବ ପ୍ରତିବାଦ କରିଥିଲା ଦଳ।

ପ୍ରଶ୍ନକାଳ ଆରମ୍ଭରୁ ଫ୍ଲା କାର୍ଡ଼ ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ଦଳ। ମନ୍ତ୍ରୀ ଦିଦ୍ୟଶଙ୍କରଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି। ମନ୍ତ୍ରୀଙ୍କୁ ବହିଷ୍କାର,ଏସାଇଟି ତଦନ୍ତ ସହ ସବୁ ଆଲୋଚନା ବାତିଲ କରି ଏ ସମ୍ପର୍କିତ ମୋସନ ଉପରେ ଆଲୋଚନା ଦାବି କରିଥିଲା କଂଗ୍ରେସ।

ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା ଯୋଗୁଁ ବାଚସ୍ପତି ଗୃହ ମୁଲତବୀ କରିବା ପରେ ବାହାରେ ଗର୍ଜିଥିଲେ ବିରୋଧୀ। ବିଧାନସଭାର ବିଭିନ୍ନ ପ୍ରବେଶ ପଥ ସହ ଚତୁର୍ପର୍ଶ୍ଵ ବୁଲି ଗୋବର ପାଣି, ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିଲେ ବିଜେପି। କଂଗ୍ରେସ ବି ଗୃହ ମୁଲତବୀ ପରେ ବାହାରେ ଆସି ଫ୍ଲା କାର୍ଡ଼ ଧରି ନାରାବାଜି କରିଥିଲେ। ଏପରିକି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ପାଇଁ କଂଗ୍ରେସ ବିଧାୟକଦଳ ନେତା ଚେତାବନୀ ଦେଇଛନ୍ତି।

ବିଜେପି ବିଧାୟକ ଜୟନାରାୟନ ମିଶ୍ର କହିଥିଲେ, ‘‘ଗୃହ ଚାଲି ପାରୁନାହିଁ। କିପରି ଚାଲିବ ତାହା ଉପରେ ବି ଦୃଷ୍ଟି ନାହିଁ। ଗୃହରେ ଅଚଳାବସ୍ଥା ଦେଖାଗଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତି କିନ୍ତୁ ଏଯାଏ କିଛି ପଦକ୍ଷେପ ନେଇ ନାହାଁନ୍ତି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଏପରି ପ୍ରତିବାଦ ଜାରି ରହିବ ।

ସେହିପରି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଖୁବ୍ ଶୀଘ୍ର ହାଇ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହାଇ କୋର୍ଟଙ୍କ ତତ୍ୱବାଧାନରେ ଏସଆଇଟି ଗଠନ ଦାବି ନେଇ ଜନସ୍ୱାର୍ଥ ମାମଲା ରୁଜୁ କରିବେ ନରସିଂହ । ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତା ହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ। ବାଚସ୍ପତି ତୁରନ୍ତ ସବୁ ଦଳକୁ ଡାକି ବୈଠକ ବସାନ୍ତୁ ଓ ଗୃହକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରନ୍ତୁ। ମୁଖ୍ୟ ମନ୍ତ୍ରୀ କାହିଁକି ମୌନ ବତ୍ର ଅବଲମ୍ବନ କରିଛନ୍ତି ଜଣା ନାହିଁ। ମୁଖ୍ୟ ମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ନରସିଂହ।

ବିରୋଧୀଙ୍କ ପ୍ରତିବାଦର ଜବାବ ରଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, "ପ୍ରଥମେ ବିଜେପି ଲୋକସଭା ଓ ଉତ୍ତର ପ୍ରଦେଶ ବିଧାନସଭାକୁ ଶୋଧନ କରନ୍ତୁ। ସେଠାରେ ଅନେକ ନରହତ୍ୟାକାରୀ ଅଛନ୍ତି। ଗଙ୍ଗା ବି ସେଠୁ ପାଖ। ଆମେ ବାରମ୍ବାର କହି ଆସିଛୁ ଯେଉଁ ନିର୍ଦ୍ଧିଷ୍ଟ ଥାନାରେ କେସ୍ ହୋଇଛି ସେହି ଥାନାରେ ମନ୍ତ୍ରୀଙ୍କ ନାଁରେ ସେ ଏତଲା ଦେଇଛନ୍ତି କି।’’

କେନ୍ଦ୍ର ମନ୍ତ୍ରୀଙ୍କ ନାଁ ରେ ଅଭିଯୋଗ ଥାଇ ମଧ୍ୟ ସେମାନେ ସଂସଦ ଆସୁଛନ୍ତି। ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କ'ଣ ବୋଲି ପ୍ରଶ୍ନ କଲା ଶାସକ ଦଳ। ଆମେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ। କିନ୍ତୁ ବିରୋଧୀଙ୍କ ମାନସିକତା ଠିକ ନାହିଁ ତେଣୁ ସେମାନେ ଆଲୋଚନା ପାଇଁ ଆଗକୁ ଆସୁନାହାଁନ୍ତି। ବିଭିନ୍ନ ନାଟକ କରି ବିଧାନସଭାର ସମୟ ବର୍ବାଦ କରୁଛନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଏଭଳି କରୁଛନ୍ତି। ଲୋକ ଜାଣିସାରିଲେଣି। ଏଭଳି କଲେ ବିରୋଧୀ ସଫା ହୋଇଯିବେ। ଗୃହରେ ଯଦି ଏଭଳି ଅଚଳାବସ୍ଥା ଜାରି ରହେ ତେବେ ଗୃହକୁ ଚଳାଇବା ପାଇଁ ବାଚସ୍ପତି ପଦକ୍ଷେପ ନେବେ ବୋଲି କହିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ତେବେ ଅପରାହ୍ନ ଅଧିବେଶନ ଆରମ୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ବିବୃତି ରଖିଛନ୍ତି। ମୁଖ୍ୟ ମନ୍ତ୍ରୀ କହିଛନ୍ତି, ‘‘ବିନା ଭୟରେ ବିନା ଚାପରେ ପୋଲିସ କାର୍ଯ୍ୟ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଉଛି। ଯିଏ ବି ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟନୁଷ୍ଠାନ ହେବ। ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ରାଜନୀତି କାରଣ କରାନଯାଉ। ଓଡ଼ିଶାବାସୀଙ୍କ ନ୍ୟାୟ ଦେବାକୁ ସରକାର କହୁଛି। ମୁଁ ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ।’’
Published by:Lipina Das
First published:
)}