News18 Odia Digital
ଭୁବନେଶ୍ବର: ଦୁଇ ଦିନ ଅଚଳାବସ୍ଥା ପରେ ସ୍ବଭାବିକ ହୋଇଛି ଗୃହ କାର୍ଯ୍ୟ। ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ହୋଇଛି ଆଲୋଚନା। ସମବାୟ ମନ୍ତ୍ରୀଙ୍କ ବଦଳରେ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ।
ଏହାକୁ ବିରୋଧ କରି ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଆଗରେ ଧାରଣାରେ ବସିରହିଥିଲେ। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବୁଝାସୁଝା କରିଥିଲେ ମଧ୍ୟ ଧାରଣାରୁ ଉଠିନଥିଲେ ବିଜେପି ବିଧାୟକ।
ବିଜେଡି ଓ କଂଗ୍ରେସ ବିଜେପିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କୋଠର ସମାଲୋଚନା କରିଥିଲେ। ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଆଲୋଚନା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ପଦ୍ମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର। ଏତେ ବିଳମ୍ବରେ କାହିଁକି ସରକାରଙ୍କୁ ଇନପୁଟ ସବସିଡି କଥା ମନେ ପଡ଼ିଲା। ଫସଲ ବୀମା ଯୋଜନାରେ କେନ୍ଦ୍ରକୁ ସମାଲୋଚନା କରି ସାଲୁଜା କହିଛନ୍ତି ଯେ ଜୁଲାଇ ୩୧ ସୁଦ୍ଧା ଚାଷୀମାନେ ଟଙ୍କା ପାଇବା କଥା। ମାତ୍ର ଏ ପର୍ଯ୍ୟନ୍ତ କାହିଁକି ଚାଷୀ ପାଇଲେ ନାହିଁ। ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟର ସେୟାର ସମାନ ରହିଛି। ତେଣୁ କାହିଁକି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରହିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର କୋଟି ଟଙ୍କାର ସ୍କାମ ହୋଇଛି। ପଦ୍ମପୁର ଭୋଟ ପ୍ରଧାନମନ୍ତ୍ରୀ ଫସଲ ଟଙ୍କା ଦିଆଗଲା। ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି। କଟଣି ଛଟଣିର ଶିକାର ହେଉଛନ୍ତି ଚାଷୀ। ଛତିଶଗଡ଼ରେ ଧାନ ମୂଲ୍ୟ ୨୫୦୦ ଟଙ୍କା ହୋଇଥିବାରୁ ଓଡ଼ିଶାର ଧାନ ଛତିଶଗଡ଼କୁ ଚାଲି ଯାଉଛି। ଘୋଷଣା ସତେ ଏଠି ଚାଷୀ ବୋନସ୍ ବି ଦିଆ ଯାଉନି।
ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିଲେ ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା କିନ୍ତୁ ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ। ଶନିବାର ୨୧ ଜଣ ମନ୍ତ୍ରୀରୁ ୧୭ରୁ ୧୮ ମନ୍ତ୍ରୀ ଅନୁପସ୍ଥିତ ଥିଲେ। ବାଚସ୍ପତି ଏହାର ମଧ୍ୟ ଯଥାର୍ଥ ଉତ୍ତର ଦେଇପାରିଲେନି। ଏହା ଏକ ନିର୍ଲଜ ସରକାର। ରାଜ୍ୟ ସରକାର ପାଇଁ ବିଧାନସଭା ବଡ଼ ନା ପଦ୍ମପୁର ଉପ ନିର୍ବାଚନ ବଡ଼। ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ସେଥିପାଇଁ ଆଜି ଆମେ ଧାରଣା ଦେଲୁ, ଯେ ପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେବେ ନାହିଁ ଆଗାମୀ ଦିନରେ ବିଧାନସଭାରେ ଉଠାଇବୁ ବୋଲି କହିଛନ୍ତି ସେ।
ମନ୍ତ୍ରୀ ପ୍ରଦୀପ ଅମାତ ଆହୁରି କହିଥିଲେ ଯେ କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମଏସଟି ବୃଦ୍ଧି ପାଇଁ ବିଜେପି ବିଧାୟକମାନେ ଧାରଣା ଦେବାକୁ ଯୋଡହସ୍ତରେ ନିବେଦନ କରିଥିଲେ। ସର୍ବନିମ୍ନ ସହାୟତା ମୂଲ୍ୟ ୨୦୧୫ରେ ୨୯୩୦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହା କି ଏବେ ୩୩୦୦ ରୁ ୩୪୦୦ ହେବା ଉଚିତ୍।
ବିଜେପି ବିଧାୟକଙ୍କ ଧାରଣା ଦେବା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଏହା ଏକ କଲେକଟିଭ ରେସପନସିବିଲିଟି। ଯଦି ମନ୍ତ୍ରୀ ଅନୁପସ୍ଥିତ ରହିବେ ସେ ଅନ୍ୟ ମନ୍ତ୍ରୀଙ୍କୁ ପ୍ରସ୍ତାଵ ଦେବେ ଓ ଏହି ପ୍ରସ୍ତାବକୁ ବାଚସ୍ପତି ସମ୍ମତି ଦେଲେ ସେ ଉତ୍ତର ରଖି ପାରିବେ। ଏମିତି କି ଅନ୍ୟ ବିଧାୟକଙ୍କ ପ୍ରଶ୍ନ ଆଉ ଜଣେ ମଧ୍ୟ ପଚାରି ପାରିବେ। ଫସଲ ବୀମା ବାବଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ର ସରକାରଙ୍କୁ ୧୪ ରୁ ୧୫ ଚିଠି ଲେଖି ସାରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।