News 18 Odia Digital
ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନ ମୈଦାନରେ ପ୍ରଚାର କରୁଛନ୍ତି ସବୁ ଦଳର ନେତା, କର୍ମୀ ଓ ଷ୍ଟାର ପ୍ରଚାରକ । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ପ୍ଲାନିଂ ସହ କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ, ବିଜେପି ଓ ଶାଶକ ଦଳ । ତେବେ ଏହି ନିର୍ବାଚନୀ ମାହୋଲ ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ପଦ୍ମପୁରରେ ବିଜେପି ପାଇଁ ପ୍ରଚାର କରୁଛନ୍ତି । ଏକ ସଭାରେ ଗୀତ ଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ଉକ୍ତ ସଭାରେ ଅନେକ ମହିଳା ଏକତ୍ର ହୋଇ ପିଙ୍କି ସ୍ୱରରେ ସ୍ୱର ମିଳାଇ ଗୀତ ଗାଉଥିଲେ... ତୁମ ସିଂହାସନ ଟଳମଳ ଓ ନବୀନ... ନିଜକୁ ଏବେ ସମ୍ଭାଳ.. ପଦମପୁରରେ ପଦମ ଫୁଟିବ .. ବିଜେଡିର ଏବେ ଶେଷ ଖେଳ.. ସିଂହାସନ ଟଳମଳ ଓ ନବୀନ... ନିଜକୁ ଏବେ ସମ୍ଭାଳ... ଗୀତ ଗାଉଥିବା ସମୟରେ ପିଙ୍କି ସମସ୍ତ ମହିଳାଙ୍କୁ ନିଜ ନିଜ ମୋବାଇଲର ଟର୍ଚ୍ଚ ଲାଇଟ୍ ଅନ୍ କରିବାକୁ କହିଥିଲେ । ମହିଳାମାନେ ମଧ୍ୟ ଖୁବ ଉତ୍ସାହର ସହ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଅନ କରିଥିଲେ । ତାଳିମାଡରେ କମ୍ପିଥିଲା ରାଜନୈତିକ ସଭା ।
କେବଳ ସେତିକି ନୁହେଁ, ପ୍ରଚାର ମୈଦାନରୁ ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ରାଜନୀତିକୁ ଆହୁରୀ ସରଗରମ କରୁଛି । ପିଙ୍କି ସୋସିଆଲ ମିଡିଆରେ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଓଡ଼ିଶାର ସବୁଠାରୁ କମ୍ ହାଇଟ ଥିବା ବ୍ୟକ୍ତି ଢେଙ୍କାନାଳ ପରଜଂଗର ସିଦ୍ଧାନ୍ତ ସାହୁଙ୍କ ସହ କଥା ହୋଇଛନ୍ତି । ସିଦ୍ଧାନ୍ତଙ୍କ ସହ କଥା ହୋଇ ବିଜେପି ସପକ୍ଷରେ ପ୍ରଚାର କରିବା ସହ ସୋସିଆଲ ମିଡିଆରେ #VOTE4Bjp #padmapurbyelection ଟ୍ୟାଗ୍ ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଚାରକୁ ନେଇ ପିଙ୍କି ପ୍ରଧାନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପୂର୍ବରୁ ମଧ୍ୟ ମାଠିଆ ଧରି ବିଜେପି ସପକ୍ଷରେ ପ୍ରଚାର କରିବାର ଦୃଶ୍ୟ ଭାଇରାଲ୍ ହୋଇଥିଲା । ଅଭିନୟ ମାଧ୍ୟମରେ ଲୋକପ୍ରିୟ ହେବା ପରେ ବିଜେପିରେ ଯୋଗ ଦେଇଥିଲେ ପିଙ୍କି ।
ସେପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ତିନି ଦିନ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ କରିବେ । ଡିସେମ୍ବର ୩ରେ ମଧ୍ୟ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପାଇକମାଲରେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର, ବୈଜୟନ୍ତ ପଣ୍ଡା ବ୍ୟାପକ ପ୍ରଚାର କରିଥିଲେ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ବାଇପୋଲ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ଭୋଟ୍ ଗଣନା କରାଯିବ ଡିସେମ୍ବର ୮ରେ । ଏହି ନିର୍ବାଚନରେ ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସମେତ ଦଶ ଜଣ ପ୍ରାର୍ଥୀ ରେସରେ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।