News18 Odia Digital
ଭୁବନେଶ୍ବର: ବିଜେପି ଓଡ଼ିଶାରେ ଲୋକସଭା ଉପରେ ଫୋକସ କରୁଛି। ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କଟକ ଗସ୍ତ ଅବସରରେ ୧୬ ଲୋକସଭା ଆସନରେ ବିଜେପି ଜିତିବ ବୋଲି କହିଥିଲେ।
ସାତ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସୂଚାଉଛି ବିଜେପିର ଆଖି ଓଡ଼ିଶା ଉପରେ। ପୁରୀ ଠାରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ଚଳିତ ମାସ ତୃତୀୟ ସପ୍ତାହରେ ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ମିସନ ୧୨୦ ନାରା ଦେଉଥିବା ବିଜେପି ୨୦ ବିଧାନସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେବଳ ଲୋକସଭା କଥା କହୁଥିବା ବେଳେ ବିଧାନସଭା ଆସନ କଥା କହୁନାହାଁନ୍ତି।
ସେପଟେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆସିବା କିଛି କାର୍ଯ୍ୟକ୍ରମ କରିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଆସିଥିଲେ। ଏବେ ୧୬ ଲୋକସଭା ଆସନ କଥା କହିବା ବିଜେପିର ଦିବା ସ୍ୱପ୍ନ। ତାଙ୍କର ଯାହା କାର୍ଯ୍ୟକ୍ରମ ଓଡ଼ିଶା କି ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ଓଡ଼ିଶାର ଲୋକ ବିଜେଡି ଓ ନବୀନ ବାବୁଙ୍କ ସହିତ ଅଛନ୍ତି। ବିଜେପି ପାଇଥିବା ଆସନ ଆଗାମୀ ନିର୍ବାଚନରେ ବଜାୟ ରଖିବା କଷ୍ଟକର ହୋଇପଡ଼ିବ।
ଓଡିଶାକୁ କେନ୍ଦ୍ର ମନ୍ତ୍ରୀମାନଙ୍କ ଧାଡ଼ି ଲାଗିଛି। ସାତ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଅର୍ଜୁନ ମୁଣ୍ଡା ଯାଜପୁର, ନିତ୍ୟାନନ୍ଦ ରାୟ କଟକ, ଅଶ୍ୱନୀ ଚୌବେ ଭୁବନେଶ୍ୱର, ବିଶେଶ୍ୱର ଟୁଡୁ ମୟୁରଭଞ୍ଜ, ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର, ନିଶିଥ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ଦଳୀୟ ସଙ୍ଗଠନ ସମ୍ପର୍କରେ ମଧ୍ୟ ଆଲୋଚନା କରି ଫେରିଯାଇଛନ୍ତି।
ନିକଟରେ ବିଜେପି ତାହାର ଓଡ଼ିଶା ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛି। ପୁରେନ୍ଦେଶ୍ୱରୀଙ୍କ ସ୍ଥାନରେ ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ପାଇବାପରେ ତାଙ୍କର ଓଡ଼ିଶା ଗସ୍ତ ଆରମ୍ଭ କରିଛନ୍ତି। ଅଳ୍ପଦିନ ତଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରି ଫେରିଥିବାବେଳେ ଆସନ୍ତା ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଯଦିଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା ନାଁରେ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି ତଥାପି ନଡ୍ଡାଙ୍କ ରାଜନୈତିକ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଗସ୍ତକୁ ରାଜନୈତିକ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।