ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»‘ଯଦି କଂଗ୍ରେସ NRCକୁ ନେଇ ରାଜନୀତି କରୁଛି, ବିଜେପି କଣ ଆଶ୍ରମ ଖୋଲି ବସିଛି?’ ପଚ଼ାରିଛନ୍ତି ନିରଞ୍ଜନ

‘ଯଦି କଂଗ୍ରେସ NRCକୁ ନେଇ ରାଜନୀତି କରୁଛି, ବିଜେପି କଣ ଆଶ୍ରମ ଖୋଲି ବସିଛି?’ ପଚ଼ାରିଛନ୍ତି ନିରଞ୍ଜନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଲୋକଙ୍କୁ ଉସ୍‌କାଉଛି । ତେଣୁ ଏ ବିଷୟରେ ଜାନୁୟାରୀ ମାସରେ ରାଜ୍ୟରେ ଏକ କୋଟି ଲୋକଙ୍କୁ ବିଜେପି ଜାଗ୍ରତ କରିବ ବୋଲି କହିଛନ୍ତି ସେ ।

‘ଯଦି କଂଗ୍ରେସ NRCକୁ ନେଇ ରାଜନୀତି କରୁଛି, ବିଜେପି କଣ ଆଶ୍ରମ ଖୋଲି ବସିଛି?’ ପଚ଼ାରିଛନ୍ତି ନିରଞ୍ଜନ
ବିଜେପିର ସଚ଼େତନତା କର୍ମଶାଳାରେ ଭାଗ ନେଉଥିବା ନେତା ଓ କର୍ମୀଗଣ ।
  • News18 Odia
  • Last Updated: December 26, 2019, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମନୋଜ ଜେନା | News18 Odia Digital

ଭୁବନେଶ୍ବର: ନାଗରିକତା ସଂଶୋଧନ ବିଲ୍‌ (CAA) ଓ ଜାତୀୟ ନାଗରିକତା ପଞ୍ଜୀକରଣ (NRC) ପ୍ରସଙ୍ଗକୁ ନେଇ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ଦଳ – ବିଜେପି ଓ କଂଗ୍ରେସ ।

ଖୋଲାଖୋଲି କଂଗ୍ରେସକୁ ଟାର୍ଗେଟ୍‌ କରି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଲୋକଙ୍କୁ ଉସ୍‌କାଉଛି । ତେଣୁ ଏ ନେଇ ଜାନୁୟାରୀ ମାସରେ ରାଜ୍ୟରେ ଏକ କୋଟି ଲୋକଙ୍କୁ ବିଜେପି ଜାଗ୍ରତ କରିବ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଧାନ ।

‘‘ଦେଶକୁ ଭାଗ ଭାଗ କରୁଥିବା ଦଳ ଏବେ ଅରାଜକତାର କଥା କହୁଛି । ଯଦି କଂଗ୍ରେସ ରାଜନୀତି କରୁଛି, ତେବେ ବିଜେପି କଣ ଆଶ୍ରମ ଖୋଲି ବସିଛି କି?’’ ନିଜ ଜବାବରେ ଛିଗୁଲେଇ ପ୍ରଶ୍ନ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ନାଗରିକତା ସଂଶୋଧନ ବିଲ୍‌ ଓ ଜାତୀୟ ନାଗରିକତା ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ


‘‘ବହୁ ବିଳମ୍ବରେ ହେଲେ ମଧ୍ୟ ମୋଦି ସରକାରଙ୍କର ଏହା ଏକ ଐତିହାସିକ ନିର୍ଣ୍ଣୟ । କାରଣ ୧୯୪୭ ମସିହାରେ ଧାର୍ମିକ ଆଧାରରେ ଅଲଗା ହୋଇଥିଲା ଦେଶ । ପରବର୍ତ୍ତୀ ସମୟରେ ଭାରତର ତିନି ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ରହୁଥିବା ସଂଖ୍ୟାଲଘୁ  ହିନ୍ଦୁ, ଜୈନ, ପାର୍ଶି, ଶିଖ, ବୌଦ୍ଧ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ଭାରତ ଚ଼ାଲିଆସିଥିଲେ । ବିଡ଼ମ୍ବନା ହେଲା ଯେ ୭୫ ବର୍ଷରୁ ଅଧିକ ସମୟ ପରେ ବି ସେହି ଲୋକମାନେ ଏ ପର୍ଯ୍ୟନ୍ତ ଭାରତୀୟ ନାଗରିକତାର ମାନ୍ୟତା ପାଇନାହାନ୍ତି ।  ଏକ ଅବହେଳିତ ମାନସିକତା ଭିତରେ ସେମାନେ ଯନ୍ତ୍ରଣାର ସହ ବଞ୍ଚୁଛନ୍ତି । ତେଣୁ ସେମାନଙ୍କୁ ନାଗରିକତାର ମାନ୍ୟତା ଦେବାର ସାହାସିକତା ଦେଖାଇଛନ୍ତି ନରେନ୍ଦ୍ର ମୋଦି । ଦେଶରେ ଏଭଳି ଶରଣାର୍ଥୀଙ୍କ ସଂଖ୍ୟା ପ୍ରାୟ ଦେଢ଼କୋଟି,’’ କହିଛନ୍ତି ପ୍ରଧାନ ।

ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଏହି ’’ଐତିହାସିକ ନିଷ୍ପତ୍ତି’’କୁ ନେଇ ଅସହିଷ୍ଣୁତା ପ୍ରଦର୍ଶନ କରୁଛନ୍ତି କଂଗ୍ରେସ ଓ ଅନ୍ୟ କିଛି ଦଳ । ’’କେବଳ ବିରୋଧ କରିବା ଆଳରେ କଂଗ୍ରେସ ଅରାଜକତା ସୃଷ୍ଟି କରିବା ସହ ଲୋକଙ୍କୁ ବିଭ୍ରାନ୍ତି କରୁଛି । CAA ହେଉଛି ଏକ ଯୋଡି଼ବାର ବ୍ୟବସ୍ଥା, କାହାକୁ ବାହାର କରିବା ଲକ୍ଷ୍ୟ ନୁହେଁ । ଭାରତରେ ଥିବା ସମସ୍ତ ମୁସଲମାନ ଏଇଠି ରହିଛନ୍ତି ଓ ରହିବେ । ନୂଆ ଆଇନ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁନାହିଁ । ସମ୍ବିଧାନର ଧାରା ୧୪ କୁ CAA ଉଲଙ୍ଘନ କରୁନାହିଁ। ସମ୍ବିଧାନ ଧାରା ୧୪ରେ ଭାରତୀୟ ନାଗରିକଙ୍କ ସମ୍ପର୍କରେ ସ୍ପଷ୍ଟତା ଅଛି । କିନ୍ତୁ ଯେଉଁମାନେ ଭାରତୀୟ ନାଗରିକ, CAA ରେ ସେମାନଙ୍କ ସମ୍ପର୍କରେ କିଛି ଲେଖା ଯାଇନାହିଁ। ଏଥିରେ କେବଳ ବିଦେଶରୁ ଆସିଥିବା ଲୋକ ତଥା ନୂଆ ଲୋକଙ୍କ ନାଗରିକତା କଥା କୁହାଯାଇଛି,’’ ସ୍ପଷ୍ଟ କରିଛନ୍ତି ସେ ।

ବିଜେପିର ସଚ଼େତନତା କର୍ମଶାଳାରେ ଭାଗ ନେଉଥିବା ନେତା ଓ କର୍ମୀଗଣ ।


‘‘ତେବେ ଏ ନେଇ ରାଜ୍ୟ ସାରା ସଚେତନତା କରିବ ବିଜେପି । ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବା ସହ ସମସ୍ତଙ୍କୁ ସଚ଼େତନ କରଯିବ। କେବଳ ଜାନୁୟାରୀରେ ରାଜ୍ୟର ୧ କୋଟି ଲୋକଙ୍କ ସହ ଯୋଡି଼ ହେବ ବିଜେପି,’’ କହିଛନ୍ତି ଧର୍ମେନ୍ଦ୍ର ।

ଏନ୍‌ଆର୍‌ସି କେବଳ ଆସାମ ସହ ଜଡିତ ଓ ଏହାକୁ ସାରା ଦେଶରେ ଏବେ ଲାଗୁ କରିବାର କୌଣସି ଯୋଜନା ମଧ୍ୟ ନାହିଁ ବୋଲି ଦୋହରାଇ ପ୍ରଧାନ କହିଛନ୍ତି ଯେ NPR ଗୋଟିଏ ଅଲଗା ପ୍ରକ୍ରିୟା । ‘‘ପ୍ରତି ୧୦ ବର୍ଷରେ ଜନଗଣନା ହୁଏ । ଏକା ସମୟରେ କମ୍‌ ଖର୍ଚ୍ଚରେ ଉଭୟ ଜନଗଣନା ଓ NPR କରିବା ପାଇଁ କେନ୍ଦ୍ର ସରକାର ଚି଼ନ୍ତା କରିଛନ୍ତି । ତାକୁ ମଧ୍ୟ ବିରୋଧ କରାଯିବା ଦୁର୍ଭାଗ୍ୟଜନକ,’’ ସେ କହିଛନ୍ତି ।

ଏହି ଉପଲେକ୍ଷ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା । ଏଥିରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିଲେ ଦଳର ବହୁ ତୁଙ୍ଗ ନେତା । କର୍ମଶାଳାରେ ଯୋଗ ଦେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି: ‘‘କେନ୍ଦ୍ର ସରକାର ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଏହାକୁ କେବଳ ବିରୋଧ କରିବା ଆଳରେ ବିରୋଧ କରୁଛନ୍ତି ବିରୋଧୀ । ଖାସ୍‌ କରି ସିଏଏ ଓ ଏନଆରସି ଭଳି ମହତ ଉଦ୍ୟମକୁ ଇର୍ଷ୍ୟାନ୍ବିତ ହୋଇ କଂଗ୍ରେସ ବିରୋଧ କରୁଛି । କର୍ମଶାଳାରେ ପ୍ରତି ବିଜେପି ସଦସ୍ୟ ତୃଣମୂଳସ୍ତରରେ ଲୋକଙ୍କୁ ଅବଗତ କରିବେ ।’’

ଧର୍ମେନ୍ଦ୍ର ଓ ବସନ୍ତଙ୍କ ସମାଲେଚ଼ନାକୁ କଡ଼ା ଶବ୍ଦରେ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ ।
Published by: Anand Shankar Thankur Das
First published: December 26, 2019, 10:24 PM IST