News18 Odia Digital
ଭୁବନେଶ୍ବର: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି। ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟନାୟକ।
ସେ ଅଭିଯୋଗ କରି କହିଛନ୍ତି ଯେ ରାଜ୍ୟ ସରକାର କହୁଛନ୍ତି ୭ ଲକ୍ଷ ସ୍ଵଂୟ ସହାୟକ ଗୋଷ୍ଠୀ ତିଆରି କରି ୭୦ ଲକ୍ଷ ମହିଳାଙ୍କୁ ସାମିଲ କରିଛନ୍ତି। ରାଜ୍ୟ ସରକାର ସବୁ ବହନ କରୁଛନ୍ତି। କିନ୍ତୁ ସୋମବାର ୧୨୫ କୋଟି ସୁଧ ଛାଡ଼ରୁ କେନ୍ଦ୍ର ସରକାରଙ୍କ ଭାଗ ୮୮ କୋଟି। ରାଜ୍ୟ ସରକାର ଭାଗ କେବଳ ୩୭ କୋଟି ଛାଡ଼ କରି ସବୁ ଛାଡ଼ କରିଥିବା କଥା କହୁଛନ୍ତି।
ବାସ୍ତବରେ ମହିଳା ସ୍ବାବଲମ୍ବୀ ହୋଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି? ସ୍ଵଂୟ ସହାୟକ ଯୋଜନା କେନ୍ଦ୍ର ସରକାରଙ୍କ। ଜାତୀୟ ଜୀବିକା ମିଶନ ଯୋଜନା ଅଧୀନରେ ପଇସା ଆସୁଛି। ଦେଶର ୬୮୦୦ ବ୍ଲକରେ ଚାଲୁଥିବା ବେଳେ ଓଡ଼ିଶାରେ ସବୁ ବ୍ଲକରେ ଚାଲିଛି। ଦିନ ଦୟାଲ ଉପାଧ୍ୟାୟ ଅନ୍ତଦୟୋ ଯୋଜନାରେ ୩ ଲକ୍ଷ ୮୪ ହଜାର ସିଆରପିଙ୍କୁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ୨୦୦୧ରେ ବାଜପେୟୀଙ୍କ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ମୋଦିଙ୍କ ସମୟରେ ବ୍ୟାପକ ହୋଇଥିଲା।

ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା
ସ୍ଵଂୟ ସହାୟକ ମହିଳାଙ୍କୁ ୧୧ ପ୍ରତିଶତ ଋଣ ଛାଡ଼ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ୭ ପ୍ରତିଶତ ଛାଡ଼ କରୁଥିବା ବେଳେ ରାଜ୍ୟ ସରକରଙ୍କ ୪ ପ୍ରତିଶତ ଛାଡ କରୁଛନ୍ତି। ସିଂହ ଭାଗ କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ନିଜ କଥା କହି ବାହା ବାହା ନେଉଛନ୍ତି। ଗତ ୩ ରୁ ୪ ବର୍ଷ ମଧ୍ୟରେ ୧୪୫୯ କୋଟି ଟଙ୍କାର ଋଣ ରାଶି ଅନୁଦାନ ସ୍ୱରୂପ ଦେଇଛନ୍ତି କେନ୍ଦ୍ର ସରକାର।
ରାଜ୍ୟ ସରକାର ୭ ଲକ୍ଷ ମହିଳା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା କଥା କହୁଥିବା ବେଳେ ବିଭାଗର ବାର୍ଷିକ ରିପୋର୍ଟରେ ମାତ୍ର ୫୯ ହାଜର ୪୦୪ ଗୋଷ୍ଠୀ ସ୍ବାବଲମ୍ବୀ ହୋଇଛନ୍ତି ବୋଲି କୁହାଯାଇଛି। ତେବେ ଅନ୍ୟମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି।
ଏହି ପ୍ରସଙ୍ଗକୁ ନେଇ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ସଚେତନ କରିବ ଦଳ। କେବଳ ଏହି ଯୋଜନା ନୁହେଁ ଅନେକ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ଫଟୋ ଲଗାଇ ବାଃ ବାଃ ନେଉଛନ୍ତି। ଏଠି ୨୩ ବର୍ଷର ସ୍ଥିର ସରକାର ହେଲେ ବିଚଳିତ ମନ। ଏହା ହୀନ ମାନ୍ୟତାର ପରିଚୟ। ମାଗଣା ଚାଉଳ, ଆବାସ, ଜନନୀ ସୁରକ୍ଷା, ରାଉରକେଲାକୁ ବିମାନ ଉଡାଣ ପରି ଏଠି ବି ହୀନ ରାଜନୀତି। ଏହି ହିସାବକୁ ନେଇ ଗାଁ ଗାଁ, ପଡ଼ା ପଡ଼ାକୁ ଯିବ ବିଜେପି ମହିଳା ମୋର୍ଚ୍ଚା।
ସେପଟେ ଜବାବରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ଯେଉଁମାନେ କାମ ନ କରିପାରନ୍ତି ସେମାନେ ଏପରି ଅଭିଯୋଗ ଆଣନ୍ତିl ବିଜେଡି କାମରେ ବିଶ୍ୱାସ କରେ ଯେଉଁଥିପାଇଁ ବିଜେଡି ଉପରେ ନିର୍ବାଚନ ପରେ ନିର୍ବାଚନରେ ଜନସାଧାରଣ ଆଶୀର୍ବାଦ କରିଆସୁଛନ୍ତିl
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।