News18 Odia Digital
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ରୋଷଇ ଘର ବିଶୃଙ୍ଖଳା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ବିଜୟଙ୍କ ଅଭିଯୋଗ ମନ୍ଦିର ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରର ବିଭ୍ରାଟ କଥା ଜାଣିଥିଲା। ଏହା ସତ୍ତ୍ବେ ବି ଏଭଳି ଘଟଣା ଘଟିଲା। ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର।
ବିଜୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାହାକୁ ସୁରକ୍ଷା ଦିଆନଯାଉ। ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା। କିନ୍ତୁ କେହି ନାହାଁନ୍ତି ଓ ଘଟଣା ଦିନ ମଧ୍ୟ ସୁରକ୍ଷା ଅଧିକାରୀ କେହି ନଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଶ୍ରୀମନ୍ଦିର ସୁରକ୍ଷା ନେଇ ୨୦୧୯ ନଭେମ୍ବର ୪ରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ୪ଟି କ୍ଷେତ୍ରରେ ଅବମାନନା କରୁଛନ୍ତି। ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାଁନ୍ତି ରାଜ୍ୟ ସରକାର। ଯାହାକି କୋର୍ଟର ନିର୍ଦ୍ଦେଶର ଅବମାନନା। ଏହା ସହ ଚତୁପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ। କିନ୍ତୁ ତାକୁ ଅନୁପାଳନ କରାଯାଇ ନାହିଁ।
ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ। ତେଣୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ରାଜ୍ୟ ସରକାର। ଆର୍ଥିକ ସ୍ୱାର୍ଥ ଓ ମନ୍ଦ ଉଦ୍ଦେଶ୍ୟ ରଖି ବଡ଼ ବାବୁମାନେ ଏଭଳି କାମ କରୁଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟ ମନ୍ତ୍ରୀ ଅନୁଧ୍ୟାନ କରିନାହାଁନ୍ତି। ତେଣୁ ତୁରନ୍ତ ସମୀକ୍ଷା ବୈଠକ କରନ୍ତୁ ମୁଖ୍ୟ ମନ୍ତ୍ରୀ ବୋଲି ସେ ଦାବି କରିଛନ୍ତି।
ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜୟ କହିଛନ୍ତି, ‘‘ଏହି ପ୍ରକଳ୍ପକୁ ନେଇ ବିବାଦ ଚାଲିଛି। ତେଣୁ ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ ଏଏସଆଇ ଓ ଏନଏମଏ ଚୁପ ବସି ବସିଛନ୍ତି। ତାଙ୍କର ଅବହେଳା ଜଣାପଡୁଛି। ଏଏସଆଇ କୌଣସି ଏକ୍ସପର୍ଟ ଟିମ ନପଠାଇ ମଧ୍ୟ ଭୁଲ କରୁଛନ୍ତି। ଗାତ ଖୋଲିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି। ଯେହେତୁ ବେଆଇନ କାମ ହୋଇଥିଲା ତେଣୁ ବାଲି ଭର୍ତ୍ତି କରାଯାଉଛି। ଏଏସଆଇ ଓ ଏନଏମଏ ଟିମ ତୁରନ୍ତ ପଠାନ୍ତୁ। ତା'ଛଡ଼ା ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟୀତ୍ୱ ଦେବା ବେଆଇନ। ଆରଡିସି ସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଭାବେ ଦାୟୀତ୍ୱରେ ରହିବା କଥା।’’ ତେବେ ଏହି ପ୍ରସଙ୍ଗରେ ଏଯାବତ ପକ୍ଷ ରଖିନାହିଁ ବିଜେଡ଼ି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।