ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର

ଧାନ କିଣା ପ୍ରସଙ୍ଗ ଅସମାହିତ ରହି ଥଣ୍ଡା ପଡ଼ିବା ପରେ ଏବେ ମାହାଙ୍ଗା ଡବଲ୍ ମର୍ଡ଼ର୍ ବନାମ ନୂଆପଲ୍ଲୀ ଗୁଣ୍ଡାରାଜ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଶାସକ ଦଳ BJD ଓ ବିରୋଧୀ ଦଳ BJP ଭୁବନେଶ୍ୱରରେ ରାଲି ବାହାର କରିଛନ୍ତି ।

ବିଜେପି ଓ ବିଜେଡି ପକ୍ଷରୁ ଶନିବାର ଦିନ ବାହାରିଥିବା ରାଲିର ଦୃଶ୍ୟ

ବିଜେପି ଓ ବିଜେଡି ପକ୍ଷରୁ ଶନିବାର ଦିନ ବାହାରିଥିବା ରାଲିର ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗରେ ବିଧାନ ସଭାରେ ସରକାରଙ୍କ ଉପରେ ଗତ ସପ୍ତାହେ ଧରି ଚାପ ପକାଇବା ପରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କଥିତ ସମ୍ପୃକ୍ତି ପ୍ରସଙ୍ଗକୁ ନେଇ ଶନିବାର ଦିନ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି । ଏହାର ଉତ୍ତରରେ ଶାସକ ଦଳ ବିଜେଡିର ନେତାମାନେ ନିକଟରେ ଭୁବନେଶ୍ୱରରେ ହୋଇଥିବା ଏକ ହିଂସାତ୍ମକ ଘଟଣାରେ ବିଜେପି ନେତା ଶାରଦା ପ୍ରଧାନଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଗିରଫ କରିବା ଦାବିରେ ଏକ ରାଲି ବାହାର କରି ପୋଲିସ କମିଶନରଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ମାହାଙ୍ଗା ଡବଲ୍‌ ମର୍ଡ଼ର ଘଟଣାକୁ ନେଇ ଶନିବାର ଦିନ ବିଧାନ ସଭା ଭିତରେ ବି ତାତି ଦେଖିବାକୁ ମିଳିଥିଲା । ଶୁକ୍ରବାର ଠାରୁ ପ୍ରତାପ ଜେନାଙ୍କ ଗିରଫ ଦାବି ନେଇ ମାହାଙ୍ଗାରୁ ବିଜେପିର ଏକ ରାଲି ବାହାରିଥିବା ବେଳେ ଶନିବାର ଦିନ ରାଜ୍ୟ ବିଜେପି ମୁଖ୍ୟାଳୟରେ ସାମିଲ ହୋଇଥିଲେ ବିଜେପିର ତୁଙ୍ଗ ନେତାମାନେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହର, ପ୍ରକାଶ ବେହେରା, ବାବୁ ସିଂ ଓ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ନେତା ଓ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା

ଏହି ରାଲି ବିଜେପି କାର୍ଯ୍ୟାଳୟରୁ ବାହାରି ଗାନ୍ଧି ମାର୍ଗରେ ପହଞ୍ଚିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହା ପରେ କିଛି ବିଜେପି କର୍ମୀ ବିଧାନ ସଭା ଆଡକୁ ଆଗେଇଯାଉଥିବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଘଟଣା ସ୍ଥଳରୁ ଶତାଧିକ ବିଜେପି କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ ।

କୁଳମଣି ବରାଳଙ୍କ ହତ୍ୟା ପରେ ମାହାଙ୍ଗାରେ ଜନ ଉତ୍ତେଜନା ସୃଷ୍ଟି ହୋଇଥିଲା ।


‘‘ପୋଲିସ ପ୍ରଶାସନ ବିଜୁ ଜନତା ଦଳର ହାତବାରିସି ସାଜି କାମ କରୁଛି । ମିଛ କେସରେ ଅନ୍ୟକୁ ଫସାଉଛି । ଏହା ପ୍ରମାଣ କରିଛି ଯେ ସାଧାରଣ ଲୋକ ନ୍ୟାୟ ପାଉନାହାନ୍ତି । ବିଧାନସଭା ଆରମ୍ଭ ପୂର୍ବରୁ ଯେଉଁ ଭଳି ଭାବେ ବିଧାନ ସଭା ସାମନାରେ ଆତ୍ମହତ୍ୟା କରିବାକୁ ଆସିଲେ ସାଧାରଣ ଜନତା, ତାହା ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ରୂପେ କାଠଗଡ଼ାରେ ଠିଆ କରାଉଛି,’’ ରାଲି ସମୟରେ କହିଥିଲେ ବଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ‘‘ମାହାଙ୍ଗାରେ ବିଜେପିର ଦୁଇ ଜଣ ନେତାଙ୍କୁ ହତ୍ୟା କରାଗଲା । ନେତାମାନଙ୍କୁ ଆଜି ମିଛ କେସରେ ଛନ୍ଦିବା ଆରମ୍ଭ କରାଯାଇଛି । ରାଜ୍ୟ ସରକାର ଏ ପ୍ରତିହିଂସାପରାୟଣତା ବନ୍ଦ କରନ୍ତୁ । ତେର (୧୩) ନମ୍ବର ମୁଦାଲା ପର୍ଯ୍ୟନ୍ତ, ଯେଉଁମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୋଲି ଡିଜି ଥରେ ରାଜ୍ୟ ସଭାପତିଙ୍କୁ ଆଶ୍ୱସ୍ତ କରିଥିଲେ, ସେହି ଘଟଣାକୁ ପୂରାପୂରି ଭାବରେ ଶେଷ ଓ ନିର୍ଣ୍ଣାୟକ ମୋଡ଼କୁ ନେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ।’’

ବିଜେପି ଶନିବାର ଦିନ ଗାନ୍ଧି ମାର୍ଗରେ ଏକ ସାଧାରଣ ସଭାର ଆୟୋଜନ କରିଥିଲା ।


‘‘ମାରିଥିବା ଲୋକ ବାହାରେ ବୁଲୁଛି, ନ ମାରିଥିବା ଲୋକ ଭିତରେ (ଜେଲରେ) ଅଛି । ଏହା ସରକାର ଓ ପ୍ରଶାସନର ସହଯୋଗ ବିନା ହୋଇପାରିବ ନାହିଁ । ପ୍ରଫୁଲ୍ଲ ବିଶ୍ୱାଳକୁ (ମାହାଙ୍ଗା ଡବଲ ମର୍ଡ଼ରର ଜଣେ ଅଭିଯୁକ୍ତ), ଯାହାକୁ ଗାଡ଼ି ଚପେଇ ମାରିଦେଇଛନ୍ତି, ସେ ବରାଳଙ୍କ (ଜଣେ ମୃତ ବିଜେପି ନେତା) ପୁଅ ସହ ହୋଇଥିବା କଥା ମୋବାଇଲ୍‌ ଫୋନରେ ଘୂରିବୁଲିଛି । ଏହି ମାମଲାରେ ମନ୍ତ୍ରୀ ସମ୍ପୃକ୍ତ ଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ,’’ କହିଥିଲେ ବିଧାନ ସଭା ବାହାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)

ଶାସକ ଦଳ ବିଜେଡି ଠିକ୍‌ ସେତିକି ତୀବ୍ରତା ଦେଖାଇ ବିଜେପି ନେତା ଶାରଦା ପ୍ରଧାନଙ୍କ ଗିରଫଦାରୀ ଦାବି କରିଛି । ମାର୍ଚ୍ଚ ୧୬ ତାରିଖରେ ନୂଆପଲ୍ଲୀ ଘଟିଥିବା ଗୁଣ୍ଡରାଜ ଘଟଣାରେ ୧୭ ଜଣ ଗିରଫ ହୋଇଥିବା ବେଳେ ଏତାଲାରେ ପ୍ରଧାନଙ୍କ ନାଁ ଥିଲେ ବି ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି କହି ବିଜେଡି ନେତାମାନେ ପୋଲିସ କମିଶନରଙ୍କ ନିକଟରେ ଫେରାଦ ହୋଇଛନ୍ତି । ମାହାଙ୍ଗା ନିଶ୍ଚିନ୍ତକୋଇଲିରୁ ଆସିଥିବା ବହୁ ଲୋକଙ୍କ ସହ ବିଜେଡି ନେତାମାନେ ୟୁନିଟ ୪ ଅଞ୍ଚଳରୁ ଏକ ରାଲିରେ ବାହାରି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଥିଲେ ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ

‘‘ମାହାଙ୍ଗାରୁ ବିଧାନ ସଭା ନିର୍ବାଚନ ଲଢ଼ିଥିବା ଶାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି । ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ତାଙ୍କ ନାଁରେ ପୂର୍ବରୁ ମାହାଙ୍ଗା ଥାନାରେ ଅନେକ କେସ୍‌ ଅଛି । ଅନେକ ଅପରାଧରେ ଜଡି଼ତ ଏହି ବ୍ୟକ୍ତି ଥରେ ଗିରଫ ହୋଇ ୨୨ ଦିନ ଜେଲରେ ଥିଲେ । ଯଥା ଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ଆମେ ପୋଲିସ କମିଶନରଙ୍କ ନିକଟରେ ଦାବି କରିଛୁ,’’ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।



ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଶାରଦା ପ୍ରଧାନ ଜଣେ ଦଳିତ ପରିବାର ଘରେ ପଶି ଅତ୍ୟାଚାର କରିଥିବା ବେଳେ ଗତ ସପ୍ତାହରେ ନୂଆପଲ୍ଲୀର ଜଣେ ବ୍ୟକ୍ତିଙ୍କ ଘରେ ପଶି ଗୁଣ୍ଡଗର୍ଦି କରିଛନ୍ତି । ‘‘ଏପରି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତି ମାହାଙ୍ଗାକୁ ବଦନାମ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ତାଙ୍କୁ ପ୍ରୋତ୍ସାହିତ କରୁଛି । ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ,’’ ସେ କହିଛନ୍ତି ।
Published by:Anand S.T. Das
First published: