BJP-BJD Fight: ରାଜ୍ୟରେ ତୁଟୁନି ଆବାସ କଳି; ବିଜେପି ଟାର୍ଗେଟରେ ବିଜେଡି

BJP-BJD Fight: ରାଜ୍ୟ ସରକାରଙ୍କ ବିରୋଧରେ ଖଣି ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେଡି ଉପସଭାପତି କହିଛନ୍ତି ତଥ୍ୟ ପ୍ରମାଣ ଆଧାରରେ ଅଭିଯୋଗ ଆଣନ୍ତୁ।

ମୁହାଁମୁହିଁ ବିଜେପି-ବିଜେଡି

ମୁହାଁମୁହିଁ ବିଜେପି-ବିଜେଡି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବିଜେପି ଟାର୍ଗେଟରେ ବିଜେଡି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଖଣି ଦୁର୍ନୀତିକୁ ନେଇ ବିଜେପିର ଦୁଇ ହେଭିୱେଟ ସରକାର ଘେରିଛନ୍ତି। ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଆବାସ ଯୋଜନାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ୩୧୪ ବ୍ଲକରେ ଦଳ ଦାବି ପତ୍ର ଦେବ ବୋଲି କହିଛନ୍ତି।

ସେହିପରି ଖଣି ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେଡି ଉପସଭାପତି କହିଛନ୍ତି ତଥ୍ୟ ପ୍ରମାଣ ଆଧାରରେ ଅଭିଯୋଗ ଆଣନ୍ତୁ।

ରାଜନୈତିକ ଉଦ୍ଦେଶ୍ୟରେ ଅଭିଯୋଗ ଆଣିଲେ ନିରାଧାର। ତୁଟୁନି ଆବାସ କଳି। ବଢୁଛି କେନ୍ଦ୍ର ରାଜ୍ୟ ଭିତରେ ତୁ ତୁ ମେଁ ମେଁ। ଆଜି ପୁଣି ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

ଆବାସ ତାଲିକାରେ ଅନିୟମିତତା ନେଇ ଆସନ୍ତା କାଲି ୩୧୪ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ ବିଜେପି। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ୭ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସ ଘେରାଉ କରି ରଖିବାକୁ ଚେତାବନୀ ଦେଲା ବିଜେପି।

ଜିଲ୍ଲା ପ୍ରଶାସନ ଠୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ଘେରାଉ କରିବାକୁ ବିଜେପିର ଯୋଜନା। ଯେଉଁ କ୍ରାଇଟେରିଆ କଥା ବିଜେଡି କହୁଛି ଆମେ ସରକାରଙ୍କୁ ୨ ଲକ୍ଷ ଲୋକଙ୍କ ନାଁ ଦେଇ ପାରିବୁ ଯେଉଁ ମାନେ ନିର୍ଦ୍ଧାରିତ କ୍ରାଇଟେରିଆ ଭିତରେ ଆସୁଥିଲେ ସରକାର ତାଙ୍କ ନାଁକୁ ଚଞ୍ଚକତା କରି କାଟି ଦେଇଛନ୍ତି।

ଅଯୋଗ୍ୟ ଲୋକଙ୍କର ଗାଁରେ ପ୍ରତି ପ୍ରୀତି ରହିଛି ତାଙ୍କ ନାଁରେ ସାଧାରଣ ଲୋକ ଅଭିଯୋଗ କରିବାକୁ ଡ଼ରୁଛନ୍ତି। ଅଯୋଗ୍ୟ ଲୋକଙ୍କୁ ବାହାର କରିବା ଦାୟିତ୍ୱ ସରକାରଙ୍କର। ଲୋକଙ୍କର ନୁହେଁ। ତେଣୁ ସରକାର ନିଜେ ଦାୟିତ୍ୱ ନିଅନ୍ତୁ। ନିଜ ଦାୟିତ୍ୱକୁ ଲୋକଙ୍କ ଉପରେ ଲଦି ଦେଇ ଗାଁ ଗାଁରେ ସୃଷ୍ଟି ହେଉଥିବା ଗଣ୍ଡଗୋଳର ମଜା ନ ଦେଖନ୍ତୁ। ଯେଉଁ କଳି ଗାଁରେ ଲାଗିଛି ତାକୁ ତରବରିଆ ଗ୍ରାମସଭା କରି ସରକାର ତୁଟେଇ ଦେବାକୁ ଚେଷ୍ଟା କରୁଛନ୍ତି। ଗ୍ରାମ ସଭାକୁ ବିଜେପି ବିରୋଧ କରୁନି କିନ୍ତୁ ଯେଉଁ ତାଲିକା ନେଇ ସରକାର ଗ୍ରାମସଭାକୁ ଯିବେ ତାକୁ ବିରୋଧ କରୁଛୁ। ସେ ତାଲିକାରେ ଅନେକ ଆଯୋଗ୍ୟ ଲୋକଙ୍କ ନାଁ ରହିଛି ଯେଉଁମାନେ କି ଘର ପାଇବା ପାଇଁ ଯୋଗ୍ୟ ନୁହେଁ। ସେମାନଙ୍କ ନାଁକୁ ରଖି କି ଆପଣ ଗ୍ରାମସଭାକୁ ଯାଉଛନ୍ତି। ଏହା ଦ୍ୱାରା ଯୋଗ୍ୟ ଲୋକ ବାହାରେ ରହିଛନ୍ତି। ସେମାନେ ଘର ପାଇବେ କି ନାହିଁ ସନ୍ଦେହ ପ୍ରକାଶ କଲେଣି ବୋଲି କହିଛନ୍ତି ପୃଥ୍ବୀରାଜ।।

ସେପଟେ ଜବାବରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବାରମ୍ବାର ଆଲୋଚନା ଓ ତର୍ଜମା ଚାଲିଛି। ଅଭିଯୋଗ ଦାଖଲର ଆଜି ଶେଷ ଦିନ। ଉପଯୁକ୍ତ ପ୍ରକ୍ରିୟା ମଧ୍ୟରେ ଅଭିଯୋଗ ଦାଖଲ କରାଯାଉଛି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଯେତିକି ଘର ଯୋଗାଇବା ଲାଗି ସହମତି ପ୍ରକାଶ କରିଥିଲେ, ମିଳିଲା ବେଳକୁ ପ୍ରାୟ ୨୦ ପ୍ରତିଶତ କମ ଘର ଆସିଛି। ଲୋକଙ୍କ ମନରେ ଏହାକୁ ନେଇ ଦ୍ଵନ୍ଦ୍ବ ରହିଛି। ପୁନର୍ବାର ଆବାସ ଆସିଲେ କିମ୍ବା ରାଜ୍ୟ ସରକାର ଅଲଗା କିଛି ବ୍ୟବସ୍ଥା କରିପାରନ୍ତି। ସବୁଠାରେ ଅଯୋଗ୍ୟଙ୍କୁ ଆବାସ ମିଳିବା ଅଭିଯୋଗ ଏକ ବୃଥା କଥା। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ପ୍ରମାଣ ଦିଅନ୍ତୁ। ଯେଉଁମାନେ ଅଯୋଗ୍ୟ ଯାହାଙ୍କୁ ଘର ମିଳିଛି ତାହାର ଲିଷ୍ଟ ବିଜେପି ୱେବସାଇଟରେ ବାହାର କରୁ। କେବଳ ରାଜନୀତି ସେକରେ ଅଭିଯୋଗ କଲେ ହେବନାହିଁ। ଲୋକଙ୍କ ଆଶା ପୂରଣ ଲାଗି ବ୍ୟବସ୍ଥା ହେବ। ଅଯୋଗ୍ୟ ପଶିଗଲେ ଟ୍ରାକ କରି ଧରାଯାଉଛି। ନିର୍ବାଚନ ବର୍ଷ ତେଣୁ ବିରୋଧୀ କୌଣସି ଉପାୟରେ ବି ଅଭିଯୋଗ କରିବେ।

ସେହିପରି ସେ ଆହୁରି କହିଛନ୍ତି ଯେ ଅଭିଯୋଗକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଏମିତି ଅଭିଯୋଗ ନହେଉ ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଵାର୍ଥ ହାନି ହେବ। ଯେମିତି ୨ ବର୍ଷ ହେଲା ଅପେକ୍ଷାରେ ଥିଲେ। ବାରମ୍ବାର ଚିଠି ପତ୍ର ଦିଆନିଆ ପରେ ଆସିଛି। ବିଜେଡି-ବିଜେପି, କେନ୍ଦ୍ର-ରାଜ୍ୟ ମଧ୍ୟରେ କେତେବେଳେ ପେଁ ପେଁ ବାଜୁଛି ସେକଥା ସାଧାରଣ ଲୋକ ଜାଣୁନାହାଁନ୍ତି। ଲୋକଙ୍କ ସାଙ୍ଗରେ ଆମେ ଅଛୁ। କଣ ହେଉଛି ଆମେ ଜାଣୁଛୁ। ଲୋକଙ୍କୁ ଉସୁକେଇଲେ ବି କିଛି ଫରକ ପଡ଼ିବନାହିଁ।

ଖଣି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ୨୦୨୧-୨୨ରେ ରାଜ୍ୟରେ ହୋଇଥିବା ଖଣି ନିଲାମରେ, ଖଣିଜ ପଦାର୍ଥ ମାନକୁ ନେଇ ବ୍ୟାପକ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ହୋଇଥିବା କଥା ମାନିଲେ ରାଜ୍ୟ ସରକାର ବୋଲି ଅପରାଜିତା କହିଛନ୍ତି।

ଖଣି ନିଲାମରେ ହାଇଗ୍ରେଡ଼ ଆଇରନ ଓରକୁ ଲୋ ଗେର୍ଡ କହିଲେ। ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର କ୍ଷତି ହେଲା, ଡ଼ିଏମଏଫକୁ ଯେଉଁ ଟଙ୍କା ଯିବାର ଥିଲା ତାହା ଯାଇ ପାରିଲା ନାହିଁ, ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନକୁ ଯିବାକୁ ଥିବା ଟଙ୍କା କମ ହୋଇଗଲା। ୧୧/୦୮/୨୨ ଆଇବିଏମ ଚିଠିରେ ବାହାରିଥିବା କଥା ସତ ବୋଲି କହିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ। ରାଜ୍ୟ ସରକାରଙ୍କୁ ପଚାରିଲେ କେନ୍ଦ୍ର ସରକାର, ଏସବୁ କଥା ସତ କି? ଏବଂ ରାଜ୍ୟ ସରକାର ଏହାକୁ ମାନି ନେଇଛନ୍ତି, ବେସରକାରୀ ଖଣିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି, ଅନିୟମିତତା ହୋଇଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଲେଖିଛନ୍ତି ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କୁ ଚାରୋଟି ପ୍ରଶ୍ନ।

ରାଜ୍ୟ ସରକାର କମିଟି ଗଠନ ସଠିକ ତଦନ୍ତ କରନ୍ତୁ। ଆଗକୁ ଦୁର୍ନୀତି, ଭ୍ରଷ୍ଟାଚାର ଯେମିତି ହେବ ନାହିଁ, ସେନେଇ ଗ୍ୟାରେଣ୍ଟି ଦେବେ କି? ହାଇଗ୍ରେଡ଼ ଆଇରନକୁ ଲୋଗ୍ରେଡ଼ ଆଇରନ କରିବା ଦ୍ୱାରା, DMF ଫଣ୍ଡରେ କେତେ କମିଲା, ରାଜସ୍ୱ କେତେ କମିଲା ଆଠ ମାସ ଧରି, ତାହା ସାର୍ବଜନୀନ କରନ୍ତୁ। କେଉଁଝର, ରାୟଗଡା, ସୁନ୍ଦରଗଡ଼ରେ ଯଦି ଆନ୍ଦୋଳନ ହେବ ରାଜ୍ୟ ସରକାର ଦାୟୀ ରହିବେ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହାର ଜବାବରେ କହିଛନ୍ତି ଯେ ସାଂସଦ ସ୍ପେସିଫିକ ଅଭିଯୋଗ ଆଣନ୍ତୁ। ଆକ୍ସନ ନେବା ଲାଗି ତାଙ୍କ ପାଖରେ ରିପୋର୍ଟ ମଧ୍ୟ ରହିଛି। କେବଳ ଅଭିଯୋଗ ଆଣିଲେ ହେବନାହିଁ। ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ଶାସନରେ ସାଧାରଣ ଲୋକଙ୍କର ସମସ୍ୟା ଦୂର, ଗରିବୀ ହ୍ରାସ, ଭିତ୍ତିଭୂମି ବିକାଶ ହେଉଛି। ଅନ୍ୟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାର ଏ ନେଇ ଚର୍ଚ୍ଚା କରୁଛନ୍ତି। ଭଲ କାମକୁ ପ୍ରଶଂସା କରନ୍ତୁ।

ପ୍ରସଙ୍ଗକୁ ନେଇ ରାଜନୈତିକ ସରଗରମ ହୋଇଥିବା ବେଳେ ଶାସକ ବିରୋଧୀ ମୁହାଁମୁହିଁ ସ୍ଥିତିରେ। ଲୋକଙ୍କ ସମସ୍ୟା ସମାଧାନ ନା ରାଜନୈତିକ ଅଭିସନ୍ଧିରେ ପ୍ରସଙ୍ଗ ମିଳେଇଯିଵ ତାହା ଦେଖିବା ବାକି ରହିଲା।
Published by:Lipina Das
First published: