ଉପନିର୍ବାଚନ: BJPର ପ୍ରାର୍ଥୀ – ବାଲେଶ୍ୱର ସଦରରେ ମାନସ ଦତ୍ତ, ତିର୍ତ୍ତୋଲରେ ରାଜକିଶୋର ବେହେରା

ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ପ୍ରଥମ ଦଳ ହୋଇଛି । ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଅସଲରେ ଆରମ୍ଭ ହେବ ଭୋଟ୍ ବ୍ୟାଙ୍କ ରାଜନୀତିର ମିଶାଣ ଫେଡ଼ାଣ ।

ଉପନିର୍ବାଚନ: BJPର ପ୍ରାର୍ଥୀ – ବାଲେଶ୍ୱର ସଦରରେ ମାନସ ଦତ୍ତ, ତିର୍ତ୍ତୋଲରେ ରାଜକିଶୋର ବେହେରା
ରାଜକିଶୋର ବେହେରା ଓ (ଡାହାଣ) ମାନସ ଦତ୍ତ
  • News18 Odia
  • Last Updated: October 11, 2020, 10:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର / ତିର୍ତ୍ତୋଲ: ରାଜ୍ୟରେ ଦୁଇଟି ବିଧାନ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୟନରେ ଥିବା ସସପେନ୍ସ ଦୂର ହେବାକୁ ଆରମ୍ଭ କରିଛି । ଭାରତୀୟ ଜନତା ପାର୍ଟି ପ୍ରଥମ ଦଳ ଭାବେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦରରୁ ପୂର୍ବତନ ବିଜେପି ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ପ୍ରାର୍ଥୀ ହୋଇଥିବା ବେଳେ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ରାଜକିଶୋର ବେହେରା ତିର୍ତ୍ତୋଲରୁ ପଦ୍ମ ଚିହ୍ନରେ ଲଢ଼ିବେ ।

ବିଜେଡିକୁ ପଛକୁ ଠେଲି ୨୦୧୯ ବିଧାନ ସଭା ନିର୍ବାଚନରେ ବାଲେଶ୍ୱର ସଦର ଆସନକୁ ବିଜେପି ଖାତାକୁ ଆଣିଥିଲେ ମଦନ ମୋହନ ଦତ୍ତ । ତାଙ୍କ ଅକାଳ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିବା ବେଳେ ଅନୁକମ୍ପା ଭୋଟ୍ ନିର୍ଣ୍ଣାୟକ ହେବା ସମ୍ଭାବନା ଅଧିକ । ସେଇଥି ପାଇଁ ଦଳ ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବୋଲି କୁହାଯାଉଛି । ମାନସ ପ୍ରାର୍ଥୀ ହେବା ପରେ କହିଛନ୍ତି ଯେ ସେ ବାପାଙ୍କ ସ୍ବପ୍ନକୁ ପୂରଣ କରିବେ ।

‘‘ଆମର ଦୁଇଟି ହିଁ କଥା ରହିବ – ବାପାଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂରା କରିବା ପାଇଁ ଆମେ ଲୋକଙ୍କ ଆଶିର୍ବାଦ ମାଗିବୁ ଓ ଅଟକିଯାଇଥିବା ବିକାଶ କାର୍ଯଅୟକୁ ପୁଣି ଥରେ ଗତିଶୀଳ କରିବା ପାଇଁ ଆମେ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛୁ । ମାଳମାଳ ନେତା ଆମର ଦରକାର ନାହିଁ । ବାଲେଶ୍ୱରର ଜନସାଧାରଣଙ୍କ ହୃଦୟରେ ବାପା (ମଦନ ମୋହନ ଦତ୍ତ) ଅଛନ୍ତି । ଆମେ ନିଶ୍ଚିତ ଜିତିବୁ,’’ କହିଛନ୍ତି ମାନସ ଦତ୍ତ ।

ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ସମର୍ଥକମାନଙ୍କ ଗହଣରେ ମାନସ ଦତ୍ତ


ତିର୍ତ୍ତୋଲ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ୨୦ ବର୍ଷ ହେବ ତିର୍ତ୍ତୋଲ ରାଜନୀତି ସହ ଜଡ଼ିତ ଅଛନ୍ତି ।  ରାଜକିଶୋର ପ୍ରଥମେ କଂଗ୍ରେସରୁ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ଟିକେଟରେ ସେ ବିଧାନସଭା ନିର୍ବାଚନ ଲଢି ବିଜେଡି ଠାରୁ ହାରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ କଂଗ୍ରେସ ରାଜକିଶୋରଙ୍କୁ ଟିକେଟ ନ ଦେଇ ଦେବୀପ୍ରସାଦ ମଲ୍ଲିକଙ୍କୁ ପସନ୍ଦ କରିଥିଲା । ୨୦୦୯ ନିର୍ବାଚନରେ ରାଜକିଶୋର ୪୮ ହଜାର ଓ ୨୦୧୪ ନିର୍ବାଚନରେ ୫୩ ହଜାର ଭୋଟ ପାଇଥିଲେ । ସେ ଗତ ସପ୍ତାହରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ।

ସମର୍ଥକମାନଙ୍କ ଗହଣରେ ମାନସ ଦତ୍ତ ରାଜକିଶୋର ବେହେରା


‘‘ଦଳ ମୋତେ ଆଗାମୀ ଉପନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଛି । ଦଳର ସମ୍ମାନ ରଖିବା ପାଇଁ ନିଜ ଜୀବନକୁ ବାଜୀ ଲଗାଇବାକୁ ମୁଁ ପ୍ରସ୍ତୁତ ଅଛି । ମାନନୀୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଲଢ଼ିଆସୁଛୁ । ଏଥର ଉପନିର୍ବାଚନରେ ଦଳ ନିଶ୍ଚିତ ଭାବେ ଭଲ କରିବ,’’ କହିଛନ୍ତି ରାଜକିଶୋର ବେହେରା ।

ଏହା ବି ପଢ଼ନ୍ତୁ ଜୟଲଳିତାଙ୍କ ଭୂମିକା କରୁଛନ୍ତି କଙ୍ଗନା ରାଣାୱତ୍; ଶାଢ଼ୀ ଓ ବିନ୍ଦି ପିନ୍ଧି ପୂରା ତାଙ୍କ ପରି ଲାଗୁଛନ୍ତି

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

ରାଜନୈତିକ ସମୀକ୍ଷକମାନଙ୍କ ମତରେ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ନିଜ ସପକ୍ଷରେ କରିବାକୁ ବିଜେପିର ନେତୃତ୍ୱ ବିଚାର କରିଛନ୍ତି । ତ୍ରିମୁଖୀ ଲଢ଼େଇରେ ହୁଏତ ବାଲେଶ୍ବର ସଦରରେ ବାଜି ମାରିପାରେ ବିଜେପି । ‘‘ତିର୍ତ୍ତୋଲରେ ଖେଳ ବିଗିଡ଼଼ିବା ପରି ଦିଶୁଛି । ଏହି ଆସନରେ ୨୦୧୯ରେ ବିଜେପି ପ୍ରାର୍ଥୀ ଥିବା ରମାକାନ୍ତ ଭୋଇ ଦଳ ଛାଡ଼ିଛନ୍ତି। କଂଗ୍ରେସ ଛାଡ଼ିଥିବା ରାଜକିଶୋର ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ତେଣୁ ହୁଏତ ଭୋଟର ତାଙ୍କୁ ସେତେଟା ଗ୍ରହଣ କରି ନ ପାରନ୍ତି,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।



ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ପ୍ରଥମ ହୋଇଛି । ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ହିଁ ଗ୍ରାଉଣ୍ଡରେ ଆରମ୍ଭ ହେବ ଭୋଟ୍ ବ୍ୟାଙ୍କ ରାଜନୀତିର ଅସଲ ମିଶାଣ ଫେଡ଼ାଣ ।
Published by: Anand Shankar Thankur Das
First published: October 11, 2020, 10:45 PM IST
corona virus btn
corona virus btn
Loading