ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ
News18 Odia Digital
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରୁନି ବିବାଦ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୈଠକ ପରେ ବି ବାହାରିପାରିନି ନିଷ୍କର୍ଷ। ପ୍ରକଳ୍ପକୁ ନେଇ ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ମଙ୍ଗଳବାର ଶଙ୍କରାଚାର୍ଯ୍ୟଙ୍କ ସର୍ବଦଳୀୟ ବୈଠକରେ ବିଜେପି ରଖିଥିବା ପ୍ରସ୍ତାବ ଉପସ୍ଥାପନ କରି ପ୍ରକଳ୍ପ ସ୍ଥଗିତ ପାଇଁ ଦାବି ଦୋହରାଇଛି।
ବୁଧବାର ବୈଠକରେ ତିନୋଟି ଦାବି ଉପସ୍ଥାପନ କରିଥିଲା ବିଜେପି। ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଥିଲେ ଯେ ବିଜେପି ବୈଠକରେ ତିନୋଟି ପ୍ରସଙ୍ଗ ଉଠାଇଛି। ବିକାଶକୁ ବିଜେପି ବିରୋଧ କରୁନାହିଁ।
ହେଲେ ଯାହା ସବୁ କାମ ହେଉଛି ତାହା ସବୁ ଆଇନ ଅନୁଯାୟୀ ହେଉ। ବିନା ଅନୁମତିରେ କାମ ହେଉଛି। ତେଣୁ ସବୁ ଠୁ ଅନୁମତି ଆଣି କାମ କରାଯାଉ। ମନ୍ଦିର ଚର୍ତୁପାର୍ଶ୍ୱରେ କଣ ସବୁ ତିଆରି ହେଉଛି। ମଡେଲ କଣ ଅଛି ତାହା ସର୍ବସମ୍ମୁଖରେ ପ୍ରକାଶ କରାଯାଉ। ମଡେଲ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରି ଅନୁମତି ନେଇ କାମ କରନ୍ତୁ ସରକାର। ମନ୍ଦିର ସୁରକ୍ଷା ଆଖି ଆଗରେ ରଖି ବିଶେଷଜ୍ଞମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ଯାଞ୍ଚ କରିକି ନିର୍ମାଣ କାର୍ଯ୍ୟ ହେଉ। ବର୍ତ୍ତମାନ ଏସସଆଇର ବିନା ଅନୁମତିରେ କାର୍ଯ୍ୟ ହେଉଛି ତେଣୁ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ସେ କହିଛନ୍ତି।
କଂଗ୍ରେସ କହିଛି ବିକାଶ ହେଉ କିନ୍ତୁ ବିକାଶ ନାଁରେ ଆଇନକୁ ଅବମାନନା କରାନଯାଉ। ବର୍ତ୍ତମାନ ସ୍ଥିତିରେ ସୃଷ୍ଟି ଶଙ୍କରାଚାର୍ଯ୍ୟଙ୍କ ଆଜ୍ଞାଙ୍କୁ ଗ୍ରହଣ କରନ୍ତୁ ସରକାର।
କଂଗେସ ମୁଖପାତ୍ର ଆର୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ‘‘ଦଳ ବିକାଶକୁ ବିରୋଧ କରୁନି କିନ୍ତୁ ବିକାଶ ନାଁରେ ଆଇନକୁ ଅବମାନନା କରାନଯାଉ। ସଂସଦରେ କୁହାଗଲା ଆମ ପାଖରେ ଅନୁମତି ଅଛି କିନ୍ତୁ ASI ଓ NMO କହୁଛି ଆମେ ଅନୁମତି ଦେଇନାହୁଁ। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଇଛି ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଯାହା ଆଜ୍ଞା ଦେବେ ତାକୁ ସରକାର ଗ୍ରହଣ କରନ୍ତୁ।’’
ସେପଟେ ଜବାବ ରଖି ବିଜେଡି କହିଛି ଯେ ପରିକ୍ରମା ପ୍ରକଳ୍ପ ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ। ସେହିପରି ପ୍ରେସ ରିଲିଜ ଜାରି କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ସାଧାରଣ ଲୋକ ଓ ବିଭିନ୍ନ ସଙ୍ଗଠନ ସହ ପରାମର୍ଶ ପରେ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି ପ୍ରକଳ୍ପ। ଏନଏମଏର ଅନୁମୋଦନ ପରେ ଭିତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ଥିଲେ ସବୁ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ। ଆଗକୁ ମୌସୁମୀ ଓ ରଥଯାତ୍ରା ଥିବାରୁ ପ୍ରକଳ୍ପ କାର୍ଯ୍ୟର ସହଯୋଗ ପାଇଁ ଆହ୍ୱାନ କରୁଛୁ।
ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ସମୟରେ ଅନେକ ବିବାଦ ପୂର୍ଣ୍ଣ ମନ୍ତବ୍ୟ ଆସୁଛି। ତେବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ପ୍ରକଳ୍ପକୁ ନେଇ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜନୈତିକ ବିବାଦ ବି ତେଜୁଛି। ଗତକାଲି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ମିଳିତ ବୈଠକ ବସିଥିବା ବେଳେ ଧାର୍ମିକ ଦୃଷ୍ଟିକୋଣରୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।