ବ୍ରଜରାଜନଗର ଉପନିର୍ବାଚନର ନୂଆ ରେକର୍ଡ଼
News18 Odia Digital
ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବିଜେଡି ଓ ରାଜନୈତିକ ସମୀକ୍ଷକ ଯେଉଁ ଆକଳନ ଲଗାଉଥିଲେ ତାହା ସଠିକ ପ୍ରମାଣିତ ହୋଇଛି। ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ଏକତରଫା ବିଜୟ ଲାଭ କରିଛନ୍ତି।
ମଇଦାନରେ ୧୧ ଜଣ ପ୍ରାର୍ଥୀ ଥିଲେ ବି କେହି ଅଳକା ମହାନ୍ତିଙ୍କ ପାଖ ମାଡ଼ି ପାରି ନାହାଁନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କ ସୂଚନା ଅନୁଯାୟୀ ପୋଷ୍ଟଲ ବାଲେଟ ଓ ଇଭିଏମ୍ ଗଣତି ଶେଷ ପରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ୯୩,୯୫୩ ଭୋଟ ପାଇଛନ୍ତି।
ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ର୍ପଟେଲଙ୍କୁ ମିଳିଛି ୨୭,୮୩୧ ଭୋଟ। ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ୨୨,୬୩୦ ଭୋଟ ପାଇଛନ୍ତି। ସିପିଆଇ ରମେଶ କୁମାର ତ୍ରିପାଠୀ ୩୦୯୬, ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ବିଜୟ କୁମାର ଜଳନ ୨୭୭ ଭୋଟ, ସ୍ୱାଧୀନ ପ୍ରାର୍ଥୀ ଅଭୟ ଭାରତୀ ଶେଖା ୱାତ ରାଜପୁତ ଜେନ ୩୬୮, ଆଦିତ୍ୟ ପ୍ରଧାନ ୧୮୮୩, ଦୀନବନ୍ଧୁ ବିଶ୍ୱାଳ ୪୨୨, ମନୋଜ ମେହେର ୪୧୩, ସୀତାରାମ ବେହେରା ୩୧୦, ସୁପ୍ରିତି କୁମାର ବେହେରା ୬୭୫ ଓ ନୋଟାକୁ ଯାଇଛି ୧୫୧୧ ଭୋଟ।
ଅଳକା ମହାନ୍ତି ୬୬,୧୨୨ ଭୋଟରେ ବିଜୟୀ ହୋଇଛନ୍ତି। ଶାସକ ଦଳର ଲୋକପ୍ରିୟତା ଓ ରଣକୌଶଳ ଆଗରେ ବିରୋଧୀ ଫିକା ପଡ଼ିଥିବା ତ ଏହି ଉପନିର୍ବାଚନ ଫଳ ପ୍ରମାଣିତ କରିଛି।
ଏହି ଫଳାଫଳର ୪ଟି ଦିଗ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚା ଜୋର ଧରିଛି। ଏକଦା ବାମଦଳର ଗଡ଼ ଥିବା ବ୍ରଜରାଜନଗର ଏବେ କିନ୍ତୁ ଅଛୁଆଁ। ଦଳ ସେଠାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଚଳିତ ନିର୍ବାଚନରେ ଅମାନତ ହରାଇବା ତାହା ପ୍ରମାଣିତ କରିଛି।
ଦ୍ୱିତୀୟରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କ ବିଜୟ ବ୍ୟବଧାନକୁ ବି ସ୍ପର୍ଶ କରି ପାରିନାହାଁନ୍ତି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସହ ଅନ୍ୟ ୮ଟି ଦଳ। ସମସ୍ତଙ୍କ ଭୋଟକୁ ମିଶାଇଲେ ଅଳକା ମହାନ୍ତିଙ୍କ ବିଜୟ ବ୍ୟବଧାନ ସହ ସମାନ ହେଉନାହିଁ। ଯାହାକି ଏକ ବଡ଼ ରେକର୍ଡ଼ ମଧ୍ୟ। ୨୦୧୪ ପରେ କୌଣସି ଉପ ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଲା କଂଗ୍ରେସ। ୨୦୧୪ ପରେ ଯେତେ ନିର୍ବାଚନ ହୋଇଛି ବିଜେପି ଶକ୍ତି ବୃଦ୍ଧି କରି ଶାସକ ଦଳ ସହ ଫାଇଟ ଦେଇଛି।
ବିଜେପି ସଦାବେଳେ ଦ୍ବିତୀୟ ସ୍ଥାନରେ ରହିଛି। କଂଗ୍ରେସ ତୃତୀୟ ସ୍ଥାନରେ ରହି ଆସିଛି। କିନ୍ତୁ ଚଳିତ ଉପନିର୍ବାଚନରେ ବିଜେପିକୁ ପଛକୁ ଠେଲି ଦ୍ବିତୀୟ ସ୍ଥାନକୁ ଉଠିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ହୋଇଥିବା ଉପନିର୍ବାଚନର ବିଜେଡି ପ୍ରାର୍ଥୀଙ୍କ ଏହା ଦ୍ୱିତୀୟ ବୃହତ୍ ବିଜୟ। ୨୦୧୯ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ସ୍ଥାନରୁ ଲଢ଼ି ବିଜୟୀ ହୋଇଥିଲେ। ହିଞ୍ଜିଳି ରଖି ବିଜେପୁର ଛାଡ଼ିବା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ରିତା ସାହୁ ୯୭, ୯୯୦ ଭୋଟରେ ରେକର୍ଡ଼ ସଂଖ୍ୟାରେ ବିଜୟୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ପରେ ତିର୍ତ୍ତୋଲ, ବାଲେଶ୍ଵର ସଦର ଓ ପିପିଲି ଉନିର୍ବାଚନ ହୋଇଥିଲେ ବି ବିଜୟ ବ୍ୟବଧାନ ବହୁ ତଳେ ରହିଥିଲା। ବ୍ରଜରାଜନଗର ବିଜୟ ୨୦୧୯ ପରେ ଦ୍ୱିତୀୟ ବୃହତ ବିଜୟ ହୋଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।