News18 Odia Digital
ଭୁବନେଶ୍ବର: ଡିସେମ୍ବର ୨୬ରୁ ପଡ଼ିବ ସାଧାରଣ ନିର୍ବାଚନ ପାଇଁ ମୂଳଦୁଆ। ବିଜେଡି ପ୍ରତିଷ୍ଠା ଦିବସରୁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ବିଜେଡିକୁ ୨୫ ପୂରି ୨୬ ଚାଲିବ। ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ଆଗୁଆ ନିର୍ବାଚନ ଚର୍ଚ୍ଚା ବି ଜୋର ଧରିଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ବର୍ଷେ ବ୍ୟାପି କାର୍ଯ୍ୟକ୍ରମ ନେଇ ଖସଡ଼ା ପ୍ରସ୍ତୁତ କରିଛି ବିଜେଡି।
୨୬ ତାରିଖରେ ପୁରୀରେ ହେବ ରାଜ୍ୟ ସ୍ତରୀୟ ସମାରୋହ। ରାଜ୍ୟ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ କର୍ମକର୍ତ୍ତାଙ୍କ ସହ ନିର୍ବାଚିତ ପ୍ରତିନିଧି ଯୋଗ ଦେବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦଳୀୟ କର୍ମୀଙ୍କୁ ଦେବେ ଟିପ୍ସ।
କୋଭିଡ କାରଣରୁ ଗତ ବର୍ଷ ପ୍ରତିଷ୍ଠା ଦିବସ ପାଳନ ହୋଇନଥିବା ବେଳେ ଚଳିତ ଥର ବେଶ ଆଡମ୍ବର ସହକାରେ ପାଳନ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ସୋମବାର ଦଳର ସଙ୍ଗଠନ ସମ୍ପାଦକଙ୍କ ସହ ବରିଷ୍ଠ ସଦସ୍ୟ ଓ ଜିଲ୍ଲା ପ୍ରତିନିଧିଙ୍କ ସହ ହୋଇଥିଲା ବିଚାର ବିମର୍ଶ। ଆଲୋଚନା ପରେ ଚୂଡାନ୍ତ ଖସଡ଼ାକୁ ଅନୁମୋଦନ ଦେଇଥିଲେ ବିଜେଡି ସୁପ୍ରିମୋ।
୨୬ ତାରିଖରେ ରାଜ୍ୟ ସମାରୋହ ପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ କାର୍ଯକ୍ରମ। ୧୫ ଦିନ ଧରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାର୍ଯକ୍ରମ ଆୟୋଜନ କରାଯିବ। ପୁରୀ କାର୍ଯ୍ୟକ୍ରମରୁ ନବୀନଙ୍କ ବାର୍ତ୍ତାକୁ ନେଇ ତୃଣମୂଳ ସ୍ତରକୁ ଯିବ ଦଳ। ସରକାରଙ୍କ ବିକାଶ ମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡ଼ି ହେବ ଦଳ। ଦେଢ଼ କୋଟି ସଦସ୍ୟ ଲକ୍ଷ୍ୟରେ ବିଜେଡି ଚାଲିଥିବା ବେଳେ ଆଗାମୀ ଦିନ ପାଇଁ ଏଇଠୁ ପଡ଼ିବ ଭିତ୍ତି ପ୍ରସ୍ତର।
ଆଗକୁ ନିର୍ବାଚନୀ ବର୍ଷ। ଶକ୍ତି ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ବିରୋଧୀ। ତୁହାକୁ ତୁହା ବୈଠକ ବସିବା ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଏକତରଫା ବିଜୟ ସହ ପଦ୍ମପୁର ବାଜିମାତ କରି ପୁନର୍ବାର ଉପନିର୍ବାଚନ ବିଜୟ ଟ୍ରାକକୁ ଫେରିଛି ବିଜେଡି। ଷଷ୍ଠ ଥର ପାଇଁ ଶାସନ ଗାଦିରେ ବସିବାକୁ ଦଳ ବିସ୍ତୃତ ଯୋଜନା କରୁଥିବା ବେଳେ ୨୬ ତାରିଖରେ ପଡ଼ିବ ମୂଳଦୁଆ।
ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ‘‘ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଚୂଡାନ୍ତ ଖସଡ଼କୁ ଅନୁମୋଦନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୬ ତାରିଖରେ ପୁରୀରେ ହେବ ରାଜ୍ୟସ୍ତରୀୟ ସମାରୋହ। ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଯୋଗ ଦେବେ। ରାଜ୍ୟ ସ୍ତରୀୟ ସମାବେଶ ପରେ ୧୫ ଦିନ ଧରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ।’’
ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "୨୫ ବର୍ଷ ସଫଳତାର ବର୍ଷ। ଲୋକଙ୍କ ସେବାରେ ବିଜେଡି ୨୫ ବର୍ଷ ରହିଛି। କେବଳ ସରକାରୀ କାର୍ଯ୍ୟକ୍ରମ ବିଜେଡି ନୁହେଁ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସରକାରୀ କାର୍ଯକ୍ରମ ସହ ବିଭିନ୍ନ ସହ ସାମାଜିକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିଷ୍ଠା ଦିବସରେ ପୁରୀରୁ ଆଗାମୀ ବର୍ଷ ପାଇଁ ସେବାରେ ସମର୍ପିତ ହେବ ଦଳ।’’
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ବଜେଡି କାହାକୁ କାଉଣ୍ଟର ନୁହେଁ ଲୋକଙ୍କ ସେବାରେ କାର୍ଯ୍ୟକରୁଛି। ପୁରୀ କାର୍ଯ୍ୟକ୍ରମରୁ ନବୀନଙ୍କ ବାର୍ତ୍ତାକୁ ନେଇ ତୃଣମୂଳ ସ୍ତରକୁ ଯିବ ଦଳ। ସବୁ ଛାମୁଆ ସଙ୍ଗଠନ ରହିବେ। ୨୦୨୪ ପାଇଁ ଏଇଠୁ ମୂଳଦୁଆ ପଡ଼ିବ କି ବୋଲି ପ୍ରଶ୍ନରେ କହିଛନ୍ତି ନିଶ୍ଚିତ ଭାବେ ଏଇଠୁ ସ୍ଥିର ହେବ କାର୍ଯ୍ୟକ୍ରମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।