News18 Odia Digital
ଭୁବନେଶ୍ବର: ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ଆରମ୍ଭ କରିଛି ସର୍ଭେ। ୨୦୨୪ ପାଇଁ ଆରମ୍ଭ ହେଲାଣି ପାଗଭିଡା। ଗ୍ରାଉଣ୍ଡ ଜିରୋ ସ୍ଥିତି ଜାଣିବା ପାଇଁ ବିଜେଡି ଆରମ୍ଭ କରିଛି ପ୍ରକ୍ରିୟା। ଦଳୀୟ ଅନ୍ଦରମହଲ ସୂଚନା ଅନୁସାରେ ନିର୍ବାଚନ ମଣ୍ଡଳୀ ୱାରି ଏହି ସର୍ଭେ ଚାଲିଛି। ବର୍ତ୍ତମାନ ରହିଥିବା ବିଧାୟକଙ୍କ ଲୋକପ୍ରିୟତା, ସରକାର ବିରୋଧୀ ହାୱ, ପ୍ରସଙ୍ଗ, ସ୍ଥାନୀୟ ସମସ୍ୟା ଏସବୁକୁ ସର୍ଭେରେ ଅଂଶ ବିଶେଷ ଭାବେ ରଖାଯାଇଛି। ବିଧାନସଭା ଏବଂ ଲୋକସଭା ଉଭୟକୁ ନଜରରେ ରଖି ଏହି ସର୍ଭେ ହେଉଛି।
୨୦୨୪ରେ କାହାର ଟିକେଟ କଟିବ, ନୂଆ ମୁହଁ କିଏ ସାମିଲ ହେବେ, ଏହାକୁ ନେଇ ଆରମ୍ଭ ହେଲାଣି କସରତ। ନିର୍ବାଚନ ମଣ୍ଡଳୀ ୱାରି ସର୍ଭେ ଦୁଇ ମାସ ପୂର୍ବରୁ ଆରମ୍ଭ ହେଲାଣି। ମିଶନ ମୋଡରେ ବିଜୁ ଜନତା ଦଳ। ୨୦୨୪ରେ ସରକାର ଗଠନ ନେଇ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ।
ମାଲକାନଗିରିରୁ ମୟୁରଭଞ୍ଜ, ବାଲେଶ୍ଵରରୁ ବରଗଡ଼ ସବୁଠି ନିଜ ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ଦଳ କରିଛି ରଣନୀତି। ସର୍ଭେ ଆଧାରରେ ମିଳିପାରେ ଦଳୀୟ ଟିକେଟ। ବର୍ତ୍ତମାନର ବିଧାୟକଙ୍କ ଲୋକପ୍ରିୟତା, ଲୋକ କେତେ ଗ୍ରହଣ କରୁଛନ୍ତି, ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ନେତା ଦଳ ପାଇଁ କ୍ଷତି ପହଞ୍ଚାଉଛି କି? କେଉଁ ସ୍ଥାନରେ ସ୍ଥିତି କ'ଣ ରହିଛି? ଗତ ଥର ଯାହାକୁ ଟିକେଟ ଦିଆଯାଇଥିଲା ତାଙ୍କୁ ଟିକେଟ ଦେଲେ ଜିତି ପାରିବେ କି ନାହିଁ, ନିର୍ବାଚନ ମଣ୍ଡଳୀରେ ଉପଯୁକ୍ତ ମହିଳା ପ୍ରାର୍ଥୀ କିଏ ଅଛନ୍ତି, ଟିକେଟ କାଟିଲେ କେଉଁ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ବାହାରିବେ? ଯଦି ବିଦ୍ରୋହୀ ପ୍ରାର୍ଥୀଙ୍କ କଣ ରହିବ ପ୍ରଭାବ ଏସବୁକୁ ସର୍ଭେରେ ଦେଖାଯାଉଛି।
ରାଜନୈତିକ ସମୀକ୍ଷକଙ୍କ କହିବା କଥା ବିନା ସର୍ଭେ ବିନା ପ୍ରସ୍ତୁତିରେ କେହି ନିର୍ବାଚନକୁ ଯାଆନ୍ତି ନାହିଁ। ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ କେବଳ ବିଜେଡି ନୁହେଁ ବିଜେପି ମଧ୍ୟ ସର୍ଭେ କରୁଛି। ସାମ୍ବାଦିକ ପ୍ରଶନ୍ନ ମହାନ୍ତି କହିଛନ୍ତି ଯେ ସର୍ଭେ ରିପୋର୍ଟ ଦର ପାଇସାରିଛି। ଆଭ୍ୟନ୍ତରିଣ ଅସନ୍ତୋଷକୁ ପ୍ରଶମିତ କରିବା ଦଳ ପାଇଁ ସଵୁଠୁ ବଡ଼ ଚ୍ୟାଲେଞ୍ଜ।
ପଦ୍ମପୁରୁରୁ ଦଳ ୨୪ ପାଇଁ ଆଭାସ ଦେଇସାରିଛି। ୧୨୫ ଆସନ ଦଖଲ ପାଇଁ ଦୃଢ଼କ୍ତି ଦେଖାଉଛି ଦଳ। ରାଜନୀତି ପଶାପାଲିରେ ଗ୍ରାଣ୍ଡ ମାଷ୍ଟର ନବୀନଙ୍କ ନେତୃତ୍ବରେ ପୁଣିଥରେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ଆଶା ରଖିଛି। ୨୦୦୦ ଓ୨୦୦୪ରେ ବିଜେଡି ମେଣ୍ଟରେ ଥାଇ ଯେତିକି ଭୋଟ ପାଇଥିଲା ୨୦୦୯, ୨୦୧୪ ଓ ୨୦୧୯, ଭୋଟ ବହୁ ଗୁଣିତ ହୋଇଛି। ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ୧ କୋଟି ୫ ଲକ୍ଷ୍ୟ ଭୋଟ ପାଇଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ୧.୨ କୋଟି ବୃଦ୍ଧି ପାଇଛି। ସଙ୍ଗଠନକୁ ଦୃଢ଼ିକରଣ କରାଯାଇ ଏହାକୁ ୧.୫ କୋଟିରେ ପହଞ୍ଚାଇବାକୁ ଦଳ ଲକ୍ଷ୍ୟ ଭେଦି ଯୋଜନା ଆରମ୍ଭ କରିବାକୁ ଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।