News18 Odia Digital
ଭୁବନେଶ୍ବର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତିନି ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗୁରୁବାର ନବୀନ ନିବାସରେ ହୋଇଛି ମାନସ ମନ୍ଥନ। ସାଧାରଣ ନିର୍ବାଚନ ପାଇଁ ବିଜେଡ଼ିର ଏକ୍ସରସାଇଜ ଆରମ୍ଭ।
ପଦ୍ମପୁର ମଡେଲ ଆପଣେଇ ମଇଦାନକୁ ଓହ୍ଲାଇବ ବିଜେଡି। ସବୁ ନିର୍ବାଚନ ମଣ୍ଡଳୀରେ ପଦ୍ମପୁର ଷ୍ଟାଇଲରେ ଲଢ଼ିବ ଶାସକ ଦଳ। ନବୀନ ନିବାସରେ ଦଳୀୟ ନେତାଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ।
ଜାନୁଆରୀରେ ପଦ୍ମପୁର ଗସ୍ତ କରିବେ ନବୀନ। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ମିଳିଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପଦ୍ମପୁର ବିଜୟ ପାଇଁ ଜଣାଇବେ କୃତଜ୍ଞତା। ନବୀନଙ୍କ ଏହି କାର୍ଯ୍ୟକ୍ରମରୁ ଆଗାମୀ ନିର୍ବାଚନ ପାଇଁ ପଡ଼ିବ ମୂଳଦୁଆ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପଦ୍ମପୁର ଦାୟିତ୍ୱରେ ଥିବା ନେତା।

ପଦ୍ମପୁର ମଡ଼େଲ ଆପଣେଇ ସାଧାରଣ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବ ବିଜେଡି
ନବୀନଙ୍କ କାର୍ଯ୍ୟକ୍ରମର ରୂପରେଖ ନେଇ ପ୍ରସ୍ତୁତ ହେଉଛି ପ୍ଲାନ୍। ଏକାଠି ହୋଇ ଲଢ଼ିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନବୀନ। ପଦ୍ମପୁର, ପାଇକମାଳ, ଝାରବନ୍ଧ ଭଳି ତିନୋଟି ବ୍ଲକରେ ଲିଡ଼ କରିଛି ଦଳ।
ପ୍ରାୟ ସବୁ ପଞ୍ଚାୟତରେ ବି ବିଜେଡି ଲିଡ଼ କରିଛି। ପଦ୍ମପୁରରେ ସବୁ ବେଳେ କଡ଼ା ଟକ୍କର ରହୁଥିବା ବେଳେ ଚଳିତ ଥର ୪୨ ହଜାରରୁ ଅଧିକ ବ୍ୟବଧାନରେ ଜିତିଛି ବିଜେଡି। ଠିକ୍ ଏହି ଫର୍ମୁଲା ଆଗାମୀ ନିର୍ବାଚନ ସମୟରେ ଗ୍ରାଉଣ୍ଡ ପାଇଁ ଶାସକ ଦଳ ବଡ଼ ପ୍ଲାନ୍ କରିଛି। ପଦ୍ମପୁରର ବିରାଟ ବିଜୟ ନେଇ ନେତାଙ୍କୁ ସାବାସି ଦେଇଥିଲେ ନବୀନ। ଫଳାଫଳ ପୂର୍ବଦିନ ଜୋନ ଦାୟିତ୍ୱରେ ଥିବା ନେତାଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା କରିଥିବା ବେଳେ ଗୁରୁବାର ସମସ୍ତଙ୍କୁ ଏକାଠି ବସାଇଥିଲେ ନବୀନ। ଏକାଠି ଲଢ଼ିବାକୁ ନେତାଙ୍କୁ ନବୀନ ଦେଇଥିଲେ ଟିପ୍ସ।
ଆଲୋଚନା ସମୟରେ ଉପନିର୍ବାଚନ ଲଢ଼େଇରେ ଅଭିଜ୍ଞତା ନେଇ ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲେ ନେତା। ନିର୍ବାଚନ ସମୟରେ ଲୋକଙ୍କ ଅଭିଯୋଗ କଣ ଥିଲା, ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସମସ୍ୟା କଣ ଥିଲା, ସରକାରୀ ଯୋଜନା ଦ୍ବାରା ଲୋକ କେତେ ଲାଭବାନ ହୋଇଛନ୍ତି, ଯେଉଁମାନଙ୍କ ପାଖରେ ପହଞ୍ଚିନି କେଉଁଠି ରହିଛି ବାଧକ। ଏ ସମସ୍ତ ଦିଗ ସହ ନିଜର ଉପଲବ୍ଧି ନେଇ ରିପୋର୍ଟ ଦେଇଥିଲେ ଦଳୀୟ ନେତା। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ସହ ଆଗକୁ ସଙ୍ଗଠନ କିପରି ସୁଦୃଢ଼ ହେବ ସେ ନେଇ ବି ହୋଇଥିଲା ବିସ୍ତୃତ ଆଲୋଚନା।
ଧାମନଗର ପରାଜୟ ପରେ ରଣନୀତି ପରିବର୍ତ୍ତନ କରି ପଦ୍ମପୁରରେ ସଫଳ ହୋଇଛି ଶାସକଦଳ। ଫଳାଫଳକୁ ନେଇ ଦଳୀୟ କ୍ୟାମ୍ପ ଉତ୍ସାହିତ ଥିବା ବେଳେ ଏହି ସଫଳତା କୁ ଆଧାର କରି ଆଗାମୀ ଦିନ ପାଇଁ ପ୍ଲାନ୍ କରୁଛି ବିଜେଡି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।