କେନ୍ଦ୍ର ବିରୋଧରେ ବିଜେଡିର ଯୁଦ୍ଧଂ ଦେହି ଡାକରା; ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ଟାର୍ଗେଟ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ରାଜ୍ୟର ହକ ମୁତାବକ ମିଳୁନି ଘର। ଘର ଖଣ୍ଡେ ନପାଇ ଅସହାୟ ଅବସ୍ଥାରେ ଗରୀବ ଲୋକ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲକୁ ଲକ୍ କରାଯାଇଛି। ରାଜ୍ୟ ପାଇଁ ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ ମିଳିଛି ମାତ୍ର ୫ ଲକ୍ଷ।

କେନ୍ଦ୍ରେ ବିରୋଧରେ ବିଜେଡିର ଯୁଦ୍ଧଂ ଦେହି ଡାକରା

କେନ୍ଦ୍ରେ ବିରୋଧରେ ବିଜେଡିର ଯୁଦ୍ଧଂ ଦେହି ଡାକରା

  • Share this:
News18 Odia Digital

ଭୁବନେଶ୍ବର: ବୁଧବାର କେନ୍ଦ୍ର ବିରୋଧରେ ବିଜେଡ଼ିର ଯୁଦ୍ଧଂ ଦେହି ଡାକରା ଦେଇଥିଲା। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅବହେଳା କରାଯାଉଥିବା ପ୍ରତିବାଦରେ ରାଜ ରାସ୍ତାରେ ଗର୍ଜିଥିଲା ଶାସକ ଦଳ ବିଜେଡି। ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ରାଜ୍ୟପାଳଙ୍କୁ ଦଳ ସ୍ମାରକପତ୍ର ପ୍ରଦାନ କରିଥିଲା । ସେପଟେ ବିଜେପି କହିଥିଲା ଲୋକଙ୍କ ସ୍ବାର୍ଥ୍ୟ ପାଇଁ ନୁହେଁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ବିଜେଡ଼ିର ଏହି ଡ୍ରାମା। କଂଗ୍ରେସ କହିଥିଲା ସଂସଦରେ ଏନେଇ କାହିଁକି ମୁହଁ ଖୋଲୁନି ବିଜେଡି।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ରାଜ୍ୟର ହକ ମୁତାବକ ମିଳୁନି ଘର। ଘର ଖଣ୍ଡେ ନପାଇ ଅସହାୟ ଅବସ୍ଥାରେ ଗରୀବ ଲୋକ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲକୁ ଲକ୍ କରାଯାଇଛି। ରାଜ୍ୟ ପାଇଁ ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ ମିଳିଛି ମାତ୍ର ୫ ଲକ୍ଷ। ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ମିଳୁଥିବା ବେଳେ ଓଡ଼ିଶା ନ୍ୟାୟ ଅଧିକାରରୁ ବଞ୍ଚିତ ହେଉଛି। ଏଭଳି ଅଭିଯୋଗ କରି ରାଜ ରାସ୍ତାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ ବିଜେଡି ନେତା।

ଭୁବନେଶ୍ୱର ରାଜ ଭବନ ଛକରେ ବିଜେଡ଼ିର ବିକ୍ଷୋଭ ପ୍ରତିବାଦ ଦେଖିବାକୁ ମିଳିଥିଲା। ଜିଲ୍ଲା ବିଜେଡି ତରଫରୁ ଏହି ବିକ୍ଷୋଭ ପ୍ରତିବାଦ ଆୟୋଜନ ହୋଇଥିବା ବେଳେ ବିଧାନସଭାରୁ ଏକ ପ୍ରତିବାଦ ରାଲି କରି ବିଜେଡି ବିଧାୟକମାନେ ଧାରଣା ସ୍ଥଳକୁ ଆସିଥିଲେ। ସେଠାରୁ ରାଜ ଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଥିଲେ। ହକ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନେତା ଚେତାବନୀ ଦେଇଥିଲେ।

ବିଜେଡି ବିଧାୟକ ରାଜକିଶୋର ଦାସ କହିଥିଲେ, "ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ବୈମାତୃକ ମନଭାବ ପୋଷଣ କରୁଛି। ଏହାରି ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲୁ। ରାଜ୍ୟପାଳ ଆଲୋଚନା କଲେ। ଆବଶ୍ୟକ ତଥ୍ୟ ଆମଠୁ ନେଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଲେ।’’

ବିଜେପିକୁ ସମାଲୋଚନା କରି ସେ କହିଥିଲେ ଯେ ତାଙ୍କ ପାଖରେ କୌଣସି ସମସ୍ୟା ନଥାଏ। ତାଙ୍କର ଦୁଇ ପ୍ରକାର କଥା ଦିଲ୍ଲୀରେ ଗୋଟିଏ ଓ ପଲ୍ଲୀରେ ଗୋଟିଏ। ଦିଲ୍ଲୀରେ ପ୍ରତିବାଦ ଯୋଗୁଁ ସାଂସଦଙ୍କୁ ସସପେଣ୍ଡ କରି ଏଠାରେ ନିଜେ ପ୍ରତିବାଦ କରୁଛନ୍ତି।

ବିଜେଡି ପ୍ରତିବାଦ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା ରଖି କହିଥିଲେ, ‘‘ଆବାସ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର ସବୁଠୁ ଅଧିକ ଦେଇଛନ୍ତି। ୮ ଲକ୍ଷ ୧୭ ହଜାର ଗୃହ ଓଡ଼ିଶାକୁ ଦେଇଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ସବୁ ତାଲିକା ଦେଇ ପାରୁ ନାହାଁନ୍ତି। ଘର ବଣ୍ଟନରେ ରାଜ୍ୟ ସରକାର ପାତର ଅନ୍ତର କରୁଛନ୍ତି। ଚଞ୍ଚକତା କରୁଛନ୍ତି। ବିଜେଡି ଲୋକଙ୍କୁ ଘର ଦିଆଯାଉଛି। ଯୋଗ୍ୟ ଲୋକଙ୍କୁ ଘର ମିଳୁନି। ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାର ହିତାଧିକାରୀଙ୍କୁ ଦିଆଯାଉନି। ମମିତା ମେହେର କେସରୁ ନଜର ହଟାଇବାକୁ ଏପରି କରୁଛି ବିଜେଡି। କେବଳ ରାଜନୀତି କରୁଛି ନିଜକୁ ବଞ୍ଚାଇବାକୁ।’’

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ, ‘‘କାହିଁକି ବିଜେଡି ଏପ୍ରସଙ୍ଗ ସଂସଦରେ ଉଠାଉ ନାହିଁ। ଏଠାରେ ପ୍ରତିବାଦ କାହିଁକି କରୁଛି ।’’

ପୂର୍ବରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି -ବିଜେପି ମୁହାଁମୁହିଁ ହୋଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ବିଜେଡି ଏବେ ପ୍ରସଙ୍ଗ କରୁଛି ବୋଲି ବିରୋଧୀ ଦଳ କହୁଛନ୍ତି ।
Published by:Lipina Das
First published: