News18 Odia Digital
ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ (Jaynarayan Mishra) ନେଇ ବଢୁଛି ବିବାଦ। ଜୟନାରାୟଣଙ୍କ ସରକାରୀ କ୍ୱାର୍ଟର ଆଗରେ ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମହିଳାମାନେ ଏକାଠି ହୋଇ ନାରାବାଜି କରିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଆଉ ଇସ୍ତଫା ଦାବି କରିଛନ୍ତି ସମସ୍ତେ।
ଗୋଟେ ପଟେ ଜୟନାରାୟଣ ମିଶ୍ରଙ୍କୁ ନେଇ ବିବାଦ ତେଜୁଥିବା ବେଳେ ଜୟନାରାୟଣ ମିଶ୍ରଙ୍କ ବୟାନ ରାଜନୈତିକ ପରିବେଶକୁ ଆହୁରି ଉଷ୍ମ କରିଦେଇଛି।
ପ୍ରତିବାଦ ନେଇ ଜୟନାରାୟଣ ପ୍ରତିକ୍ରିୟାରେ କହିଛନ୍ତି, ‘‘ପୂର୍ବରୁ ସେମାନେ ଅନ୍ୟମାନଙ୍କୁ ମ୍ୟାନେଜ କରି ଦେଉଥିଲେ। ଏବେ ବିଜେଡ଼ିର ସବୁ କଥା ଲୋକ ଲୋଚନକୁ ଆଣିବା ପରେ ସେମାନେ ମତେ ଟାର୍ଗେଟ କରୁଛନ୍ତି। ନବ ଦାସଙ୍କ ହତ୍ୟା କାଣ୍ଡକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି। ସରକାରୀ ଷଡ଼ଯନ୍ତ୍ର ହୋଇଛି। ବହୁ ବଡ଼ ମୁଣ୍ଡ ଏଥିରେ ରହିଛନ୍ତି। ସିବିଆଇ ତଦନ୍ତ କଲେ ସତ୍ ସାମ୍ନାକୁ ଆସିବ। ନବ ଦାସଙ୍କ ହତ୍ୟାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ ସେମାନେ ବି ଏପରି ଚକ୍ରାନ୍ତ କରିଛନ୍ତି।’’
ସେଦିନ ଘଟଣା କ'ଣ ଘଟିଥିଲା ଘଟଣାରେ ଖୋଲା ଡିବେଟ ହେଉ। ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ବିଧାନ ସଭାରେ ଉଠାଇ ଏକ୍ସପୋଜ କରିବି ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଲେ ଜୟନାରାୟଣ।
ବହୁ କଥା ଏବେ କହି ନାହଁ। ବିଧାନସଭାରେ ବିସ୍ଫୋରଣ ହେବ। ତୀବ୍ରତା କେତେ ହେବ ଜଣା ନାହିଁ। ସେମାନେ ପ୍ରସ୍ତୁତ ରୁହନ୍ତୁ। କୋର୍ଟରେ ପ୍ରମାଣ କରି ପାରିବି ଯେ ଏହା ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ।
ସେ ମହିଳା ଅନ୍ୟତ୍ର ଥିଲେ। କାହିଁକି ଆସି ମୋ ଗୋଡ଼କୁ ଚକଡିଲେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ପୋଲିସ ବର୍ତ୍ତମାନ ଦଳୀୟ କର୍ମୀ ହୋଇଛି। ପୋଲିସ ସହିତ ଯଦି ବଚସା ହେଲା ସାଧାରଣ ଲୋକଙ୍କର କିଛି ଯାଏ ଆସ ନାହିଁ। ସାଧାରଣ ଲୋକଙ୍କ ସହ କେବେ ସମସ୍ୟା କରିନି କି ଅସମ୍ମାନର ଦୃଷ୍ଟାନ୍ତ ନାହିଁ। ବଦନାମ କରିବାକୁ ଏପରି ପ୍ରାୟୋଜିତ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି ମିଶ୍ର।
ମିଶ୍ରଙ୍କ ବୟାନକୁ ନେଇ ବିଜେପିକୁ ଘେରିଛି ବିଜେଡି। ସାଂସଦ ସସ୍ମିତ ପାତ୍ର କହିଛନ୍ତି,"ଜୟନାରାୟଣ ମିଶ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମାନିଛନ୍ତି ତାଙ୍କ ସ୍ଥାନ, କିମ୍ବା ସମସ୍ତରର ନେତା ଶାସକ ଦଳ ଦ୍ୱାରା ମ୍ୟାନେଜ ହେଉଥିଲେ। କିନ୍ତୁ ସେ ମ୍ୟାନେଜ ହୋଇ ପାରୁନାହାଁନ୍ତି।’’
ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉଦାହରଣ ଦେଇ ଜୟନାରାୟଣଙ୍କୁ ସମାଲୋଚନା କରିଛନ୍ତି ସସ୍ମିତ।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଚପଲ ମାଡ଼ କରାଇଥିଲେ ଜୟନାରାୟଣ। କିନ୍ତୁ ଆଜି ସମୀର ମହାନ୍ତି ନିରବ କାହିଁକି। ଯେତେବେଳେ ତାଙ୍କ ଦଳର ନେତା ତାଙ୍କ ନେତାଙ୍କ ବିରୋଧରେ ମିଡିଆ ଆଗରେ କହୁଛନ୍ତି। ଏ ବାବଦରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ସସ୍ମିତ କହିଛନ୍ତି ଜୟନାରାୟଣ ମିଶ୍ର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଶାସକ ଦଳ ଏଥିପାଇଁ ପଡ଼ିଛି, ତାଙ୍କ ସ୍ଥାନରେ ଥାଇକି ମ୍ୟାନେଜ ହେଉଥିଲେ କିନ୍ତୁ ତାଙ୍କୁ ମ୍ୟାନେଜ କରାଯାଇ ପାରିଲା ନାହିଁ। ଏପରି ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହାକୁ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।