୨୦୨୪ ସାଧାରଣ ନିର୍ବାଚନ ପାଇଁ BJDର ନୂଆ ରଣନୀତି; ମଇଦାନକୁ ଓହ୍ଲାଉଛି ନୂଆ ଚେହେରା

ପଞ୍ଚାୟତ ଓ ପୌର ନିର୍ବାଚନରେ ଏକତରଫା ବିଜୟ ପରେ ୨୦୨୪ ପାଇଁ ବିଜେଡି ପ୍ରସ୍ତୁତ ହେଉଛି। ଏବେଠୁ ସଙ୍ଗଠନ ମଜବୁତ କରି ସାଧାରଣ ନିର୍ବାଚନ ପାଇଁ ଦଳ ରୋଡ଼ମ୍ୟାପ କରୁଛି।

୨୦୨୪  ସାଧାରଣ ନିର୍ବାଚନ ପାଇଁ BJDର ନୂଆ ରଣନୀତି

୨୦୨୪ ସାଧାରଣ ନିର୍ବାଚନ ପାଇଁ BJDର ନୂଆ ରଣନୀତି

  • Share this:
News18 Odia Digital

ଭୁବନେଶ୍ୱର: ବିଜେଡିର ନୂଆ ରଣନୀତି। ପ୍ରାର୍ଥୀ ଚୟନ କ୍ଷେତ୍ରରେ ସ୍ୱତନ୍ତ୍ର ରଣନୀତି ଆପଣାଉଛି ଦଳ। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ସହ ବିଗତ କିଛି ଦିନର ଟ୍ରେଣ୍ଡ ଦେଖିଲେ ଏହା ପ୍ରତିଫଳିତ ହେଉଛି। ଦକ୍ଷତା ଓ ଆନୁଗତ୍ୟକୁ ପୁରସ୍କାର ମିଳୁଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଏକତରଫା ବିଜୟ ପରେ ୨୦୨୪ ପାଇଁ ବିଜେଡି ପ୍ରସ୍ତୁତ ହେଉଛି। ଏବେଠୁ ସଙ୍ଗଠନ ମଜବୁତ କରି ସାଧାରଣ ନିର୍ବାଚନ ପାଇଁ ଦଳ ରୋଡ଼ମ୍ୟାପ କରୁଛି।

ଗତ କିଛି ଦିନ ହେବ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇଛି ଶାସକ ଦଳ। ବିଶେଷ କରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଉଛି। ଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟ ଥିଲେ ନେତାଙ୍କୁ ପୁରସ୍କାର ମିଳୁଛି। ଯିଏ ଯେଉଁଠି ଫିଟ ଦଳ ତାଙ୍କୁ ଟିକେଟ ଦେଇ ସଫଳତା ସାଉଁଟୁଛି। ନୂଆ ମୁହଁ ଓ ଚର୍ଚ୍ଚାର ବାହାରେ ଥିବା ବ୍ୟକ୍ତିଙ୍କୁ ସାମ୍ନାକୁ ଆଣି ସବୁ ଆକଲନକୁ ଭୁଲ୍ ପ୍ରମାଣିତ କରୁଛି ବିଜେଡି। ଗତ କିଛି ବର୍ଷର ଟ୍ରେଣ୍ଡକୁ ଦେଖିଲେ ଏହା ଜଳ ଜଳ ହୋଇ ଦିଶୁଛି। ଚଳିତ ପୌର ନିର୍ବାଚନ ହିଁ ଏହାର ସ୍ପଷ୍ଟ ଉଦାହରଣ। ତିନି ମହାନଗର ନିଗମର କର୍ପୋରେଟର ହୁଅନ୍ତୁ କି ମେୟର ମେୟର ପ୍ରାର୍ଥୀ ସବୁଠି ସମାନ ଫଣ୍ଡା।

ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର, ତିନି ମହାନଗର ନିଗମର ମେୟର ପାଇଁ ଆଶାୟୀ ତାଲିକା ଲମ୍ବା ଥିବା ବେଳେ ଚର୍ଚ୍ଚାରେ ଥିଲେ ଅନେକ ଆଗ ଧାଡ଼ିର ଚର୍ଚ୍ଚିତ ଚେହେରା। ଶେଷ ମୁହୂର୍ତ୍ତରେ ରାଜ୍ୟସଭାରୁ ସୁବାସ ସିଂଙ୍କୁ ଆଣି ଦଳ କଟକ ପ୍ରାର୍ଥୀ କରିଥିବା ବେଳେ ଭୁବନେଶ୍ୱରରେ ସୁଲୋଚନା ଦାସ ଓ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇଙ୍କୁ ଟିକେଟ ଦେଇ ଚର୍ଚ୍ଚାର ପୁର୍ଣ୍ଣଛେଦ ପକାଇଥିଲା। ସେହିପରି ଡେପୁଟି ମେୟର କ୍ଷେତ୍ରରେ କାଟ କହିଥିଲା ପୁରୁଖା ଓ ଆଗଧାଡ଼ିର ଚେହେରା।

କଟକରେ ଦମୟନ୍ତି ମାଝୀ, ଭୁବନେଶ୍ୱରରେ ମଞ୍ଜୁଲତା କହଁର ଓ ବ୍ରହ୍ମପୁରର ବିବେକ ରେଡ୍ଡିଙ୍କ ପରି ଉଚ୍ଚଶିକ୍ଷିତ ଓ ରାଜନୀତିର ସମ୍ପୂର୍ଣ୍ଣ ନୂଆ ମୁହଁକୁ ସାମ୍ନାକୁ ଆଣି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ବିଜେଡି। କର୍ପୋରେଟର ପାଇଁ ବି ଅନେକ ଦାବିଦାର ଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମହିଳା ସହ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣି ଦଳ ସଫଳ ହୋଇଛି।

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ଯିଏ ଦଳ ସହ ଅଛନ୍ତି ସେମାନଙ୍କୁ ଦଳ ପ୍ରାଥମିକତା ଦେଉଛି। ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାର ଯିଏ କ୍ଷମତା ରଖୁଛି ତାଙ୍କୁ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ସଦାବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି।’’

ବିଗତ ଦିନରେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ, ସୌମ୍ୟ ପଟ୍ଟନାୟକ, ସୁଜିତ କୁମାର, ମମତା ମହନ୍ତ, ମୁନା ଖାଁ, ସୁବାସ ସିଂଙ୍କ ପରି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ। ଆଗକୁ ଚାରି ରାଜ୍ୟସଭା ସିଟ୍ ଖାଲି ହେବା ସହ ମନ୍ତ୍ରୀମଣ୍ଡଳ ସମ୍ପସାରଣ ଚର୍ଚ୍ଚା ହେଉଥିବାରୁ ସମାନ ଷ୍ଟ୍ରଟେଜି ନେଇପାରନ୍ତି ପ୍କାର୍ଟୀ ସୁପ୍ରିମୋ।

ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି,"ଏହାରି ଭିତରେ ଅନେକ ପୁରୁଖା ଚେହେରା ବିବାଦକୁ ଆସିଛନ୍ତି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ତେଣୁ ନୂଆ ମୁହଁକୁ ସାମ୍ନାକୁ ଆଣି ଆଗାମୀ ଦିନ ପାଇଁ ବିଜେଡି ଦୀର୍ଘ ମିଆଦୀ ଯୋଜନା କରୁଛି।’’
Published by:Lipina Das
First published: