ମିଠା ରାଜନୀତି: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀ ପାଇଁ GI ଟ୍ୟାଗ୍ ଦାବି କଲେ BJD ସାଂସଦମାନେ

୪୦୦ ବର୍ଷରୁ ଅଧିକ ପୁରୁଣା କେନ୍ଦ୍ରାପଡ଼ାର ରସାବଳୀ ମିଷ୍ଟାନ୍ନର ସ୍ୱତନ୍ତ୍ର ପରିଚୟ ରହିଛି । ଏହାର ଜି.ଆଇ. ଟ୍ୟାଗ୍ ଦାବି ନେଇ BJDର ତିନି ସାଂସଦ ସୁବାସ ସିଂ, ମୁନା ଖାଁ ଓ ମମତା ମହାନ୍ତ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଥିଲେ ।

କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟୁଛନ୍ତି ବିଜେଡିର ତିନି ସାଂସଦ ।

କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟୁଛନ୍ତି ବିଜେଡିର ତିନି ସାଂସଦ ।

  • Share this:
News18 Odia Digital

ଭୁବନେଶ୍ୱର: ରସଗୋଲା ପରେ ଏବେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀ ମିଷ୍ଟାନ୍ନକୁ ଜି.ଆଇ. ଟ୍ୟାଗ୍‌ ମାନ୍ୟତା ଦାବି ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିଜେଡିର ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ନେତୃତ୍ୱରେ ଏକ ତିନି-ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଏହି ଦାବି ରଖିଛି ।

ବିଜେଡିର ପ୍ରତିନିଧି ଦଳ କହିଛି ଯେ ପ୍ରାୟ ୪୦୦ ବର୍ଷରୁ ଅଧିକ ପୁରୁଣା କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନର ସ୍ୱତନ୍ତ୍ର ପରିଚୟ ଥିବାରୁ ଏହି ପାରମ୍ପରିକ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଲେ ଉଭୟ ଦେଶ ଓ ବିଦେଶରେ ଏହାର ପରିଚିତି ବ୍ୟାପକ ହେବ ଓ ଓଡ଼ିଶା ପାଇଁ ଏହା ଲାଭପ୍ରଦ ହେବ । ସୁବାସ ସିଂଙ୍କ ସହିତ ବିଜେଡି ସାଂସଦ ମୁନା ଖାଁ ଓ ମମତା ମହାନ୍ତ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଥିଲେ ।

ଏହା ବି ପଢ଼ନ୍ତୁ | ବାବୁଲ୍ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ; ୨୪ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପଦ ଯାଇଥିଲା

ଏହି ପ୍ରସଙ୍ଗରେ ରାଜ୍ୟର ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଜେଡ଼ି ସାଂସଦମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ମଧ୍ୟ ରସଗୋଲା ପରି ରସାବଳୀ ଯେପରି ଜିଆଇ ଟ୍ୟାଗ୍ ପାଇବାରେ ବିଳମ୍ବ ନ ହୁଏ ସେ ନେଇ ଉଦ୍ୟମ କରାଯିବା ଉଚିତ୍ ବୋଲି କହିଛନ୍ତି।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

‘‘ଗଙ୍ଗ ବଂଶର ରାଜତ୍ୱ ସମୟରୁ ପ୍ରଚଳିତ ହୋଇ ଆସୁଛି ସ୍ୱାଦିଷ୍ଟ ମିଷ୍ଟାନ୍ନ ରସାବଳୀ । ଏହା ୪୦୦ ବର୍ଷରୁ ଅଧିକ ପୁରୁଣା । ପ୍ରଭୁ ବଳଦେବ ଜୀଉଙ୍କ ମୁଖ୍ୟ ପ୍ରସାଦ ଭାବେ ପରିଚିତ ଏହି ମିଷ୍ଟାନ୍ନକୁ ବିକ୍ରି କରି ଅନେକ ଲୋକ ଗୁଜରାଣ ମେଣ୍ଟାଇଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଜିଆଇ ଟ୍ୟାଗ୍ ମାନ୍ୟତା ହୋଇ ପାରିନାହିଁ । ବିଭିନ୍ନ ମେଳା, ମହୋତ୍ସବ, ପର୍ବପର୍ବାଣୀ ଓ ପ୍ରଦର୍ଶନୀରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । ତେଣୁ ୟାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଲେ ଏହା ଦେଶ ଓ ବିଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରି ପାରିବ,’’ କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ ।

ଏହା ବି ପଢ଼ନ୍ତୁ | ଝାଡ଼ଖଣ୍ଡ ପରେ UP? ଜଜ୍ଙ୍କ କାର୍କୁ ପଛରୁ ପିଟିଲା ଆଉ ଏକ କାର୍; ହତ୍ୟା ଉଦ୍ୟମ ମାମଲା ରୁଜୁ ହେଲା

ବିଜେଡ଼ିର ସାଂସଦମାନଙ୍କ ଏହି ଦାବି ଯଥାର୍ଥ ବୋଲି କହିଛି ବିଜେପି । ବିଜେପି ନେତା ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି, ‘‘ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ । କିନ୍ତୁ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି ନେଇ ଯେପରି ବିଳମ୍ବ ହୋଇଥିଲା ଓ ପଶ୍ଚିମ ବଙ୍ଗ ଏହାର ଫାଇଦା ନେଇଥିଲା ସେଭଳି ଉଦ୍ୟମ ନ ହେଉ । ଏ କ୍ଷେତ୍ରରେ ବିଜେପି ସବୁବେଳେ ଉଦ୍ୟମ କରି ଆସୁଛି ଓ କରିବ ମଧ୍ୟ । ଏଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ  ହୋଇ ଆସୁଥିବା ଦାବିକୁ ବିଜେପି ସବୁବେଳେ ପ୍ରାଥମିକତା ଦେଇ ଆସିଛି ଓ ଆଗକୁ ମଧ୍ୟ ଦେବ। "

ଏହା ବି ପଢ଼ନ୍ତୁ | ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

‘‘କେବଳ କେନ୍ଦ୍ରାପଡ଼ା ନୁହେଁ, ରାଜ୍ୟର କୋଣ ଅନୁକୋଣରେ ରସାବଳୀ ମିଷ୍ଟାନ୍ନର ସ୍ୱତନ୍ତ୍ର ଆଦର ରହିଛି । ଏହା ଉପରେ ଶହ ଶହ ପରିବାର ଜୀବିକା ପାଇଁ ନିର୍ଭର କରି ଆସୁଛନ୍ତି । ଏହାର ପରମ୍ପରା ବହୁ ପୁରୁଣା। ତେଣୁ ଏଭଳି ଉଦ୍ୟମ ସ୍ୱାଗତଯୋଗ୍ୟ । କଂଗ୍ରେସ ମଧ୍ୟ ବିଜେଡି ସାଂସଦଙ୍କ ଏଭଳି ଉଦ୍ୟମକୁ ସମର୍ଥନ କରୁଛି,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ।



ବିଳମ୍ବରେ ହେଲେ ବି ବିଜେଡ଼ି ସାଂସଦମାନଙ୍କର ରସାବଳୀ ପାଇଁ ଏହି ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରିଛନ୍ତି । ଏହି ଉଦ୍ୟମ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ପରିଚୟ ବ୍ୟାପକ ହେବ ବୋଲି ଅନେକ ମତ ରଖିଛନ୍ତି । ରାଜନୈତିକ ଛକାପଞ୍ଝା ତଥା ମିଳିତ ଉଦ୍ୟମ ଅଭାବରୁ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବାରେ ଓଡ଼ିଶା ପଛୁଆ ହୋଇ ଯାଇଥିଲା । ଏହାର ଫାଇଦା ନେଇଥିଲା ପଶ୍ଚିମ ବଙ୍ଗ ଓ ଶେଷରେ କେବଳ ‘ଓଡ଼ିଶା ରସଗୋଲା’ର ଜିଆଇ ଟ୍ୟାଗରେ ରାଜ୍ୟ ସନ୍ତୁଷ୍ଟ ହୋଇଥିଲା । ତେଣୁ ବିଜେଡ଼ିର ଏହି ଉଦ୍ୟମକୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।
Published by:Anand ST Das
First published: