News18 Odia Digital
ଭୁବନେଶ୍ବର: ବିଜେଡିର (BJD) ବରିଷ୍ଠ ନେତା ସୁଶାନ୍ତ ସିଂଙ୍କୁ (Sushant Singh) ମନ୍ତ୍ରୀ ପଦ ନ ମିଳିବାରୁ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ। ସମର୍ଥକ ଓ କର୍ମୀମାନେ ନିରାଶ ହୋଇଛନ୍ତି ବୋଲି କହିଛନ୍ତି ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ। ପ୍ରତିକ୍ରିୟାରେ ପ୍ରଦ୍ୟୁମ୍ନ କହିଛନ୍ତି ଯେ, ସୁଶାନ୍ତ ସିଂହ ଜଣେ ପରିଚିତ ଚେହେରା ଓ ଆଗଧାଡ଼ିର ନେତା।
ବିଜେପୁର, ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନ ହେଉ କିମ୍ବା ଦଳୀୟ ସଙ୍ଗଠନର କାର୍ଯ୍ୟ ହେଉ, ସବୁଥିରେ ସୁଶାନ୍ତ ଆଗୁଆ ଅଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଆଦି ଜିଲ୍ଲାରେ ସୁଶାନ୍ତଙ୍କର ବହୁ ସମର୍ଥକଙ୍କ ଅଛନ୍ତି।
ସୁଶାନ୍ତଙ୍କୁ ମନ୍ତ୍ରୀ ପଦ ନ ମିଳିବା ପରେ ବିଭିନ୍ନ ସ୍ଥାନରେ ଥିବା ସୁଶାନ୍ତଙ୍କ ସମର୍ଥକ ଓ ପ୍ରଶଂସକମାନେ ତାଙ୍କୁ ଫୋନ ଯୋଗେ ଦୁଃଖ ବ୍ୟକ୍ତ କରିବା ସହ ନିରାଶ ହୋଇଥିବା ପ୍ରଦ୍ୟୁମ୍ନ କହିଛନ୍ତି। ଏମିତିକି ବ୍ୟକ୍ତିଗତ ଭାବେ ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି ପ୍ରଦ୍ୟୁମ୍ନ।
ସେପଟେ ସୁଶାନ୍ତ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମନ୍ତ୍ରୀ ପଦ ନମିଳିବା ନେଇ ତାଙ୍କର କୌଣସି ଅସନ୍ତୋଷ ନାହିଁ। ନ୍ୟୁଜ ୧୮ ଓଡ଼ିଆକୁ ଫୋନ୍ରେ ସୁଶାନ୍ତ କହିଛନ୍ତି ଯେ, ଗତଥର ସେ ସ୍ବଇଚ୍ଛାରେ ମନ୍ତ୍ରୀ ପଦ ଛାଡ଼ିଥିଲେ। ଏଥର ମନ୍ତ୍ରିମଣ୍ଡଳ ଗଠନ ହେବା ଜାଣି ଦିଲ୍ଲୀରୁ ଘରକୁ ପଳାଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ଡକାଇଥିଲେ ଓ ସେ ମଧ୍ୟ ତାଙ୍କୁ ଦେଖା କରିଥିଲେ। ମନ୍ତ୍ରୀପଦ ନ ମିଳିବା ନେଇ ତାଙ୍କର ଅସନ୍ତୋଷ ନାହିଁ। କର୍ମୀ ଓ ସମର୍ଥକଙ୍କ ଅସନ୍ତୋଷ ନେଇ ସୁଶାନ୍ତ କହିଛନ୍ତି ଯେ, ଯେଉଁମାନେ ତାଙ୍କ ସହ କଥା ହେଉଛନ୍ତି ସେ ସେମାନଙ୍କୁ ବୁଝାଇ ଦେଉଛନ୍ତି।
ସୁଶାନ୍ତ ଏବଂ ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏହାର ଲାଭ ଶାରଦା ନାୟକ ପାଇଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପ୍ରତିକ୍ରିୟା ରଖି ସୁଶାନ୍ତ କହିଛନ୍ତି ଯେ, ''ମୁଁ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର କରିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ବି ଉପସ୍ଥିତ ଥିଲି । କିନ୍ତୁ ଗଣମାଧ୍ୟମରେ ଏପରି କାହିଁକି ପ୍ରଚାର ହେଲା ତାହା ମୁଁ କହିପାରିବି ନାହିଁ । ଦୀପାଳି ଓ ମୋ ଭିତରେ କଳି କଥାକୁ ନେଇ ମିଡିଆରେ ଭିନ୍ନ କଥା ପ୍ରଚାର ହେଉଛି। ହେଲେ ମୁଁ ତ ଉପନିର୍ବାଚନ ସମୟରେ କହିଥିଲି କି ଝାରସୁଗୁଡ଼ାରେ ଦୀପାଳି ଦାସ ୪୦ ହଜାର ଭୋଟରେ ଜିତିବେ । ମୋର କୌଣସି ଅସନ୍ତୋଷ ନାହିଁ।''
ପଢ଼ନ୍ତୁ ପୂରା ଖବର: କାଲିଠୁ ମହଙ୍ଗା ହେବ ପାହାଳ ମିଠା; ଛେନାପୋଡ଼ କେଜି ହେବ ୨୮୦ ଟଙ୍କାସୂଚନାଥାଉ କି, ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ସୁଶାନ୍ତ ସିଂ। କୁହାଯାଉଛି, ସୁଶାନ୍ତ ସିଂଙ୍କ ରଣକୌଶଳ ପାଇଁ ବିଜେଡି ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଥିଲା । ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କାଳରେ ଦଳର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ବେଳେ ସୁଶାନ୍ତ ସିଂ କିନ୍ତୁ ଅନୁପସ୍ଥିତ ଥିବା ଦେଖା ଯାଇଥିଲା । ତେବେ ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ । ଯାହା ପରେ ଚର୍ଚ୍ଚା ଜୋର ଧରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।