News18 Odia Digital
ଭୁବନେଶ୍ୱର: ପିଏମ କିସାନ ଯୋଜନାକୁ ଓଡିଶାରେ ଅଚଳ କରିବା ପାଇଁ ଚାଲିଥିବା ଚକ୍ରାନ୍ତ। ଯେବେ ଠାରୁ କେନ୍ଦ୍ର ସରକାର ପିଏମ କିସାନ ଯୋଜନାରେ ଓଡିଶାର ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାର ଯୋଜନା ଆରମ୍ଭ କରିଛନ୍ତି ସେବେଠାରୁ ରାଜ୍ୟ ସରକାର କ୍ରମାଗତ ଭାବରେ ଓଡିଶାର ଚାଷୀମାନେ କିପରି ଏହି ଯୋଜନାରେ ଲାଭ ନପାଇବେ ସେଥିପାଇଁ ଚକ୍ରାନ୍ତ କରିଆସୁଛନ୍ତି। ଯଦି ରାଜ୍ୟ ସରକାର କାଳିଆ ଯୋଜନାରେ ୫୯ ଲକ୍ଷ ଚାଷୀଙ୍କୁ ଅର୍ଥ ପ୍ରଦାନ କରିପାରୁଛନ୍ତି ତାହେଲେ ସେହି ଚାଷୀଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦେବାରେ ରାଜ୍ୟ ସରକାରଙ୍କର ହାତ ଥରୁଛି କାହିଁକି ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।
ପିଏମ କିସାନ ଯୋଜନାରେ ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥିଲା । ହେଲେ ବର୍ଷକୁ ବର୍ଷ ଚାଷୀମାନଙ୍କର ତଥ୍ୟକୁ ଅପଡେଟ ନକରିବା କାରଣରୁ ଏହି ଯୋଜନାରେ ଏବେ ୨୧ ଲକ୍ଷ ଚାଷୀ ସେମାନଙ୍କର ଆର୍ଥୀକ ସହାୟତା ପାଇଛନ୍ତି । କାହିଁକି ରାଜ୍ୟ ସରକାର ଚାଷୀମାନଙ୍କର ତଥ୍ୟକୁ ଅପଡେଟ କରି କେନ୍ଦ୍ର ସରକାରକୁ ଦେଉନାହାନ୍ତି ତାହା ଏକ ବଡ ପ୍ରଶ୍ନ । ରାଜ୍ୟ ସରକାର ଏବେ ସୁଦ୍ଧା ୫୯ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରିଛନ୍ତି । ଯଦି ୫୯ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହାଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ଅଛି । ଗତକାଲି ହୋଇଥିବା ବୈଠକରେ ରାଜ୍ୟ ସରକାରଙ୍କର ଅଧିକାରିମାନେ ବିଜୁ ଜନତା ଦଳର ମୁଖପାତ୍ର ଭଳି କେନ୍ଦ୍ରକୁ ଦୋଷ ଦେବା ଉଦ୍ଦେଶ୍ୟରେ ମୋଡାଲିଟ ପରିବର୍ତ୍ତନ କଥା ଉଠାଇଛନ୍ତି ଯାହାର କୌଣସି ଆଧାର ନାହିଁ । ସରକାରୀ ଅଧିକାରୀମାନଙ୍କର କାମ ହେଉଛି ଲୋକମାନଙ୍କର ସେବା କରିବା । ସେମାନେ କିନ୍ତୁ ଯଦି ନିଜର ଦାୟୀତ୍ୱ ନବୁଝି କେବଳ କେନ୍ଦ୍ର ସରକାରକୁ ଦୋଷ ଦେଇ ଚାଷୀମାନଙ୍କୁ ସେମାନଙ୍କର ହକରୁ ବଂଚିତ କରିବେ ଏହା ଠାରୁ ବଳି ନିନ୍ଦନୀୟ କଥା କିଛି ନାହିଁ ବୋଲି ବିଜେପି କହିଛି।
ଓଡିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ ଅସୁବିଧା କାହିଁକି ହେଉଛି ? ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର କାହିଁକି ଚାଷୀ ତାଲିକା କେନ୍ଦ୍ର ସରକାରକୁ ଦେଉନାହାନ୍ତି, ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଶାସକ ବିଜେଡିର ଚାଷୀମାରଣ ନୀତି ସ୍ପଷ୍ଟ ହୋଇଛି । ପିଏମ-କିସାନ ସମ୍ମାନ ଓ କାଳିଆ ଯୋଜନାରେ ଭିନ୍ନ ଭିନ୍ନ ସଂଖ୍ୟାରେ ହିତାଧିକାରୀ ଥିବା, ବାରମ୍ବାର ମାଗିବା ସତ୍ୱେ ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ଚାଷୀତାଲିକା ପ୍ରଦାନ ନକରିବା, କାଳିଆ ଯୋଜନାରେ ପିଏମ-କିସାନ ଯୋଜନାର ସହାୟତା ରାଶି ବଣ୍ଟନ କରି ଦ୍ୱନ୍ଦ ସୃଷ୍ଟି କରିବା ଭଳି ଅନେକ ସନ୍ଦେହଜନକ କାର୍ଯ୍ୟ କାରଣରୁ ଓଡିଶାର ଚାଷୀକୁଳ ଆଜି ଗୋଲକ ଧନ୍ଦା ଭିତରେ ରହି ଅଯଥାରେ ହନ୍ତସନ୍ତ ହେଉଛନ୍ତି । କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି କହି ଏବେ ମାତ୍ର ୪ ହଜାର ଟଙ୍କା ଦେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଦେଶର ଅର୍ଥବ୍ୟବସ୍ଥାରେ କୃଷି ହେଉଛି ମେରୁଦଣ୍ଡ । ମୋଦି ସରକାର ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଢଣିତ କରିବା ପାଇଁ ସଂକଳ୍ପବଦ୍ଧ ଓ ଏଥି ପାଇଁ କାର୍ଯ୍ୟ କରିଆସୁଛନ୍ତି । ନରେନ୍ଦ୍ର ମୋଦିଙ୍କର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ରମାଗତ ଭାବେ ବୃଦ୍ଧି କରିବା, “ଏକ୍ ଦେଶ – ଏକ୍ ବଜାର”, ଆତ୍ମନିର୍ଭର କୃଷକ, କିସାନ କ୍ରେଡିଟ କାର୍ଡ, ଫସଲ ବୀମା ଯୋଜନା, “କିସାନ ମାନ ଧନ ଯୋଜନା”, “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ”, “ହର୍ କ୍ଷେତକୋ ପାନୀ”, ୨୩ କୋଟି କୃଷକଙ୍କୁ ସଏଲ ହେଲ୍ଥ କାର୍ଡ ପ୍ରଦାନ, କିସାନ ରେଲ୍, କିସାନ ଉଡାନ୍, କିସାନ ଟିଭି ଚ୍ୟାନେଲ ଭଳି ଅନେକ କୃଷି ଓ କୃଷକ ଉପେଯାଗୀ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି। ଅପରପକ୍ଷରେ ନିଜେ ମୁଖ୍ୟମନ୍ତ୍ରୀ ୨୦୧୯ ମସିହା ନିର୍ବାଚନ ସମୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ, ଏବେ ସୁଦ୍ଦା ୫୯ ଲକ୍ଷ ଚାଷୀଙ୍କୁ ସେହି ଯୋଜନାରେ ଅର୍ଥ ଦିଆଯାଉଛି ବୋଲି ସରକାର କହୁଛନ୍ତି । ତାହେଲେ ବଳକା ୧୬ ଲକ୍ଷ ଚାଷୀ କୁଆଡେ ଗଲେ ବୋଲି ବିଜେପି ପ୍ରଶ୍ନ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।