ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡିର ହେଲାନାହିଁ ଏକତରଫା ବିଜୟ

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ। ବିଜେଡ଼ିର ହେଲାନାହିଁ ଏକତରଫା ବିଜୟ ସେପଟେ ବିଜୟ ଧାରା ଆରମ୍ଭ କଲା ବିଜେପି। କଂଗ୍ରେସ ଗୋଟିଏ ସିଟ୍ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ଭୋଟର ହାରରେ କଂଗ୍ରେସକୁ ପଛରେ ପକାଇଲା ଆପ୍।

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡିର ହେଲାନାହିଁ ଏକତରଫା ବିଜୟ

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡିର ହେଲାନାହିଁ ଏକତରଫା ବିଜୟ

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯେହେତୁ ପୂର୍ବରୁ ୩ଟି ୱାର୍ଡ଼ରେ ବିଜେଡ଼ିର ପ୍ରାର୍ଥୀମାନେ ନିଦ୍ବନ୍ଦରେ ବିଜୟ ଲାଭ କରିଥିଲେ। ତେଣୁ ବିଜେଡ଼ି ଏକତରଫା ବିଜୟ ହେବ ବୋଲି ଆଶା ରଖିଥିଲା। କିନ୍ତୁ ସେହି ଆଶା ମଉଳି ଯାଇଥିଲେ ସୁଦ୍ଧା ପରାଜିତ ହୋଇଥିବା ପ୍ରାର୍ଥୀମାନେ ଭଲ ଭୋଟ ପାଇଛନ୍ତି।

ସେପଟେ ଗତ ନିର୍ବାଚନରେ ବିଜେପି ଗୋଟିଏ ବି ସିଟ୍‌ ହାତେଇ ନଥିବା ବେଳେ ଚଳିତ ଥର ୭ଟି ସିଟ୍‌ ହାତେଇବାରେ ସଫଳ ହୋଇଛି। ସେହିପରି କଂଗ୍ରେସ ମାତ୍ର ଗୋଟିଏ ସିଟ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ୪ଟି ୱାର୍ଡ଼ରେ ସ୍ବାଧିନ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ପ୍ରଥମ ଥର ନିମନ୍ତେ ଆମ୍ ଆଦମୀ ପାର୍ଟି ନିର୍ବାଚନରେ ଅଂଶଗ୍ରହଣ କରି କୌଣସି ସିଟ୍‌ ପାଇନଥିଲେ ସୁଦ୍ଧା ଭୋଟ ହାରରେ କଂଗ୍ରେସକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛି।

ବ୍ରହ୍ମପୁରରେ ହୋଇପାରିଲାଣି ବିଜେଡ଼ିର ଏକତରଫା ବିଜୟ। ବିଜେଡ଼ିର ବିଜୟ ଧାରାକୁ ଭାଙ୍ଗିଲା ବିଜେପି ଓ ସ୍ବାଧିନ। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନର ଫଳାଫଳ ଆସିସାରିଛି। ନିର୍ବାଚନ ପୂର୍ବରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିଦ୍ବନ୍ଦରେ ବିଜୟ ଲାଭ କରିଥିଲେ। ବଳକା ୩୯ଟି ୱାର୍ଡ଼ରେ ମଧ୍ୟ ବିଜେଡ଼ି ବିଜୟ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ । ୪୨ଟି ୱାର୍ଡ଼ରୁ ମୋଟ ୩୦ଟି ୱାର୍ଡ଼ରେ ବିଜୟ ଲାଭ କରିଛି ବିଜେଡି।

୨୦୧୩ ନିର୍ବାଚନରେ ସହରରେ ରହିଥିବା ୪୦ଟି ୱାର୍ଡ଼ରୁ ବିଜେଡ଼ି ୨୪ଟିରେ ବିଜୟ ହୋଇଥିଲା। ବର୍ତ୍ତମାନ ସହରରେ ୱାର୍ଡ଼ ସଂଖ୍ୟା ବୃଦ୍ଧି ପାଇ ୪୦ ରୁ ୪୨ ହୋଇଥିବା ବେଳେ ବିଜୟ ୱାର୍ଡ଼ ସଂଖ୍ୟା ମଧ୍ୟ ୨୪ରୁ ବୃଦ୍ଧି ପାଇ ୩୦ରେ ପହଞ୍ଚିଛି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସହରର ଦାୟିତ୍ବ ନେବା ପରେ ଅନେକ କ୍ଷେତ୍ରରେ ସହରର ବିକାଶ ହୋଇଛି। ଯାହାଫଳରେ ସହରବାସୀ ବିଜେଡିକୁ ଅଧିକ ୱାର୍ଡ଼ରେ ବିଜୟ କରାଇଛନ୍ତି। ଏହାଛଡ଼ା ଯେଉଁସବୁ ୱାର୍ଡ଼ରେ ବିଜେଡ଼ିର ପ୍ରାର୍ଥୀମାନେ ପରାଜୟ ହୋଇଛନ୍ତି। ସେଠାରେ ଭୋଟ ଭଲ ହୋଇଥିବା ବୋଲି କହିଥିଲେ ବିଜେଡ଼ିର ରାଜ୍ୟ ସମ୍ପାଦକ ସୁବାଷ ମହାରଣା।

ସହରର ୪୨ଟି ୱାର୍ଡରୁ ୪୦ଟି ୱାର୍ଡ଼ରେ ପ୍ରଥମେ ବିଜେପି ନିଜର ପ୍ରାର୍ଥୀ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ୪ଟି ୱାର୍ଡ଼ର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟହାର କରିଥିଲେ। ଯାହାଫଳରେ ମୋଟ ୩୬ଟି ୱାର୍ଡ଼ରେ ବିଜେପି ନିର୍ବାଚନ ଲଢ଼ିଥିଲା। ୨୦୧୩ କୌଣସି ସିଟ୍‌ ପାଇନଥିବା ବିଜେପି ଚଳିତ ନିର୍ବାଚନରେ ସହରରେ ୭ଟି ସିଟ୍‌ ପାଇଛି। ଯେଉଁ ସବୁ ସିଟ୍ ହାତେଇଛି ତାହା ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

‘‘ପ୍ରାୟ ୬ଟି ୱାର୍ଡ଼ରେ ବିଜେପି ପ୍ରାର୍ଥୀମାନେ ନିଜର ନିକଟସ୍ଥ ବିଜେଡ଼ି ପ୍ରତଦ୍ବନ୍ଦିଙ୍କ ଠାରୁ ୧୦୦ରୁ କମ୍ ଭୋଟରେ ପରାଜୟ ହୋଇଛନ୍ତି। ସହରବାସୀ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଥିବା ବେଳେ ବିଜେପି ହିଁ ଏକମାତ୍ର ବିକଳ୍ପ। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ଏହି ବିଜୟ ଯୋଗୁଁ ବିଜେପିର ମନୋବଳ ଦୃଢ଼ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ବିଜୟକୁ ଆହୁରି ସୁନିଶ୍ଚିତ କରିବାରେ ବେଶ ସହାୟକ ହେବ,’’ କହିଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନ ଚରଣ ପତି।

ଗତ ୨୦୧୩ରେ କଂଗ୍ରେସ ୧୫ଟି ସିଟରେ ବିଜୟ ହୋଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ୪୨ଟି ୱାର୍ଡ଼ରୁ ମାତ୍ର ୨୫ଟି ୱାର୍ଡ଼ରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ। ୨୫ଟି ୱାର୍ଡ଼ରୁ ମାତ୍ର ଗୋଟିଏ ୱାର୍ଡରେ ହିଁ କଂଗ୍ରେସର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଗତ ନିର୍ବାଚନରୁ ବର୍ତ୍ତମାନ ମଧ୍ୟରେ କଂଗ୍ରେସର ଅନେକ ଟାଣୁଆ ନେତା ଦଳ ଛାଡ଼ି ଚାଲିଯାଇଛନ୍ତି। ନିର୍ବାଚନ ଯେପରି ଲଢ଼ାଯାଏ ସେହିପରି ଲଢ଼ିପାରିଲାନି କଂଗ୍ରେସ। କେବଳ ଜାତୀୟ ଦଳ ଭାବେ ନିଜର ସମ୍ମାନକୁ ବଞ୍ଚାଇ ରଖି ନିର୍ବାଚନ ଲଢ଼ିଥିଲା। ଦଳର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଠିକ୍‌ ବୁଝାମଣା ରହିପାରିଲା ନାହିଁ। ତଥାପି ନିର୍ବାଚନରେ ପରାଜୟକୁ ସ୍ବାକାର କରିଥିବା ବେଳେ ଆଗାମୀ ଦିନରେ କିଭଳି ଭାବେ ଦଳ ମଜବୁତ ହେବ ସେ ନେଇ କାମ କରିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭୋକାଲୀ ସେଠୀ।

ପ୍ରଥମ ଥର ନିମନ୍ତେ ଆମ୍ ଆଦମୀ ପାର୍ଟି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ଲଢ଼େଇ କରିଥିଲା। ସହରରେ ରହିଥିବା ୪୨ଟି ୱାର୍ଡ଼ ମଧ୍ୟରୁ ୧୧ଟି ୱାର୍ଡ଼ରେ ଦଳ ନିଜର ପ୍ରାର୍ଥୀ ଦେଇଥିଲା । ୧୧ଟି ୱାର୍ଡ଼ରୁ ଗୋଟିଏରେ ବି ଦଳର ପ୍ରାର୍ଥୀମାନେ ବିଜୟ ହୋଇପାରିଲେ ନାହିଁ।

ଭୋଟ ହାରକୁ ତୁଳନା କରାଗଲେ କଂଗ୍ରେସ ଠାରୁ ଆମ ଆଦମୀ ପାର୍ଟିକୁ ଅଧିକ ଭୋଟ ମିଳିଛି। ତେବେ ଦଳର ପରାଜୟ ହୋଇଥିଲେ ସୁଦ୍ଧା ନିର୍ବାଚନ ପ୍ରଚାର ସମୟରେ ଯେଉଁସବୁ ପ୍ରତିଶୃତି ସହରବାସୀଙ୍କୁ ଦିଆଯାଇଛି ତାହାକୁ ନେଇ ଶାସକ ଦଳ ସହ ଆଲୋଚନା କରିବା ସହ ଲଢ଼େଇ କରିବ ବୋଲି କହିଛନ୍ତି ଆପର ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ।

ବ୍ରହ୍ମପୁର ସହରରେ ଅନେକ ସମସ୍ୟା ରହିଥିବା ବେଳେ ଏହି ସମସ୍ୟାର ସମାଧାନ ଦିଗରେ ନୂଆ ଭାବେ ନିର୍ବାଚିତ ହୋଇଥିବା କର୍ପୋରେଟର ଓ ମେୟର ପ୍ରାର୍ଥୀମାନେ କେତେ ସହାୟକ ହେଉଛନ୍ତି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।
Published by:Lipina Das
First published: