News18 Odia Digital
କଟକ: କଟକ ମହାନଗର ନିର୍ବାଚନକୁ ନେଇ ରାଜନୀତି ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । କଂଗ୍ରେସକୁ ବାଦ ଦେଲେ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ରାଜନୈତିକ ଦଳ ନିଜର କର୍ପୋରେଟର ପ୍ରାର୍ଥୀ କିମ୍ବା ମେୟର ପାର୍ଥୀଙ୍କ ନାମ ଘୋଷଣା କରି ନାହାଁନ୍ତି । ବିଶେଷ କରି ବିଜେଡ଼ି ଓ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ଏବେ ସମସ୍ତ ନଜର ରହିଛି ।
ବିଜେଡ଼ି କ୍ୟାମ୍ପରୁ ମିଳିଥିବା ସୂଚନା ମୁତାବକ ରାଜ୍ୟ ସଭା ସାଂସଦ ସୁବାଷ ସିଂ ଦଳ ପକ୍ଷରୁ ମେୟର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଟକ ସହରରେ ସୁବାଷଙ୍କ ଲୋକପ୍ରିୟତା ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସୁବାଷଙ୍କ ଗ୍ରହଣୀୟତା ଯୋଗୁଁ ବିଜେଡ଼ି ସୁବାଷ ସିଂଙ୍କ ନାଁକୁ ନିଜର ସାମ୍ଭାବ୍ୟ ମେୟର ପ୍ରାର୍ଥୀ ତାଲିକାରେ ସର୍ବାଗ୍ରେ ରଖିଛି । କିନ୍ତୁ ସୁବାଷଙ୍କ ପଛକୁ କଟକ ସହରର ସହିତ ଜଡ଼ିତ ତଥା ପୂର୍ବତନ ଆରଡିସି ତଥା ସିଏମସିର ପ୍ରଶାସକ ଅନିଲ ସାମଲଙ୍କ ନାଁ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ବିଜେପି ନେତା ବିନୋଦ ଦାଶ
ତେବେ ବିଜେଡ଼ି ତାର କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ଚୁଡ଼ାନ୍ତ କରି ସାରିଥିବା ବେଳେ କେବଳ ମେୟର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ବାକି ରହିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଦଳ ତାର ପ୍ରାର୍ଥୀ ତାଲିକା ଘେଷଣା କରିବ ବୋଲି ବିଜେଡ଼ି ସୁତ୍ରରୁ ଜଣା ପଡ଼ିଛି ।

ସୁବାଷ ସିଂ
ସେପଟେ ବିଜେପି ମଧ୍ୟ ଶୁକ୍ରବାର ଅପରାହ୍ନ ସୁଦ୍ଧା ନିଜର କର୍ପୋରେଟର ଓ ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସିଏମସି ନିର୍ବାଚନ ପାଇଁ ବିଜେପି ନିଜର କର୍ପୋରେଟର ପ୍ରାର୍ଥୀମାନଙ୍କ ନାଁ ଚୁଡ଼ାନ୍ତ କରି ସାରିଥିବା ବେଳେ କେବଳ ମେୟର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ବାକି ରହିଛି । ଦଳ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଜେପି ନିଜର କୋଷାଦ୍ଧକ୍ଷ ତଥା ବରିଷ୍ଠ ନେତା ବିନୋଦ ଦାଶଙ୍କୁ ମେୟର ପ୍ରାର୍ଥୀ କରିବା ନେଇ ସ୍ଥିର କରି ସାରିଛି ।
ଗୁରୁବାର ଦିନ ଏସ.ୟୁ.ସି.ଆଇ ନିଜର ନାରୀ ନେତ୍ରୀ ବବି ବଳବନ୍ତରାୟଙ୍କୁ ମେୟର ପ୍ରାର୍ଥୀନୀ ଭାବେ ଘୋଷଣା କରିଛି । କଟକ ଗାନ୍ଧୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବବିଙ୍କ ପ୍ରାର୍ଥୀତ୍ବ ସହିତ ଦଳ ସିଏମସି ନିର୍ବାଚନରେ କର୍ପୋରେଟର ପ୍ରାର୍ଥୀ ଦେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି । ସେପଟେ ଗୁରୁବାର ପ୍ରାର୍ଥୀ ପତ୍ର ଦାଖଲ କରିବାର ଦ୍ବିତୀୟ ଦିନ ଥିଲେ ମଧ୍ୟ ପ୍ରଥମ ଦିନ ଭଳି ଗୁରୁବାର ମଧ୍ୟ କେହି ବି ପ୍ରାର୍ଥୀ ପତ୍ର ଦାଖଲ କରି ନଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।