ହୋର୍ଡିଂ ଓ ପ୍ରଚାରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ; ନିର୍ବାଚନ ଆୟୋଗ ନିକଟରେ ଉଭୟ ଦେଲେ ଫେରାଦ

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଯାଇଛି ପରସ୍ପରକୁ କାଦୁଅ ଫିଙ୍ଗା ପ୍ରତିଯୋଗିତା। ଏହି କ୍ରମରେ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ।

ନିର୍ବାଚନ ଆୟୋଗ ନିକଟରେ ପହଞ୍ଚିଛନ୍ତି ବିଜେଡ଼ି ନେତା

ନିର୍ବାଚନ ଆୟୋଗ ନିକଟରେ ପହଞ୍ଚିଛନ୍ତି ବିଜେଡ଼ି ନେତା

  • Share this:
News18 Odia Digital

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଧୀରେ ଧୀରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଯାଇଛି ପରସ୍ପରକୁ କାଦୁଅ ଫିଙ୍ଗା ପ୍ରତିଯୋଗିତା। ଏହି କ୍ରମରେ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ।

ପଞ୍ଚାୟତ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଜେପି ଓ ବିଜେଡ଼ି ରାଜ୍ୟ ନିର୍ବାଚନ ଆୟୋଗ ପାଖରେ ଫେରାଦ ହୋଇଛନ୍ତି । ବିଭିନ୍ନ ପେଟ୍ରୋଲ ପମ୍ପ ତଥା କେନ୍ଦ୍ରୀୟ କାର୍ଯ୍ୟାଳୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ପାଇଁ ଲାଗିଥିବା ହୋଡ଼ିଂକୁ ନେଇ ଆପତ୍ତି ରଖିଛି ବିଜେଡ଼ି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରପୂର୍ଣ୍ଣ ହୋଡ଼ିଂ ଓ ଡ଼ିସ୍‌ପ୍ଲେ ବୋର୍ଡ଼କୁ ନେଇ ବିଜେପି ଟାର୍ଗେଟ କରିଛି।

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ଟାର୍ଗେଟ କରି ମଙ୍ଗଳବାର ସନ୍ଧ୍ୟାରେ ତୋଷାଳି ପ୍ଲାଜାସ୍ଥିତ ରାଜ୍ୟ ନିର୍ବାଚନ ଆୟୋଗରେ ପହଂଚିଥିଲା ବିଜେଡ଼ିର ୫ ଜଣିଆ ପ୍ରତିନିଧି ଦଳ । ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍‌ରେ ସାମିଲ ହୋଇଥିଲେ ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଲେନିନ୍ ମହାନ୍ତି ପ୍ରମୁଖ । ବିଜେଡ଼ିର ଅଭିଯୋଗ ହେଲା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେପି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛି । ସାରା ରାଜ୍ୟରେ ବିଭିନ୍ନ ପେଟ୍ରୋଲପମ୍ପଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରସାର ପୋଷ୍ଟର ଲାଗିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିଲେ ମଧ୍ୟ ଏଥିପ୍ରତି ବିଜେପି ଆଖି ବୁଜି ଦେଇଛି । ତେଣୁ ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବା ଉଚିତ୍ । ବିଶେଷକରି ଏଭଳି ହୋଡ଼ିଂ ଓ ବ୍ୟାନରକୁ ହଟାଯିବା ଉଚିତ୍ ବୋଲି ଦଳ ଦାବି କରିଛି ।

ଅନ୍ୟପକ୍ଷେ ଏହାର ଜବାବ ରଖିଛି ବିଜେପି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବିଜେଡ଼ିର ନିୟମ ବର୍ହିଭୂତ କାର୍ଯ୍ୟକୁ ନେଇ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହୋଇଛନ୍ତି । ଭୋଟର ତାଲିକା ପ୍ରସଙ୍ଗରେ ଶାସକ ଦଳ ଅନିୟମିତତା କରୁଥିବା ସେ ଅଭିଯୋଗ କରିଛନ୍ତି । ମନମୋହନ ସାମଲ କହିଛନ୍ତି,"ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବ୍ୟାପକ ଅନିୟମିତତା ହୋଇଛି । ଖାସ କରି ଶାସକଦଳର ଇଙ୍ଗିତରେ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସମର୍ଥିତ କର୍ମୀ ଓ ତୃଣମୂଳସ୍ତର ନେତାଙ୍କ ନାମକୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଚାନ୍ଦବାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି"।

ବିଜେଡ଼ିର ପୋଷ୍ଟର ପ୍ରଚାରକୁ ନେଇ ଅଭିଯୋଗ ସମ୍ପର୍କରେ ମନମୋହନ କହିଛନ୍ତି," ଆଇନ୍ ଆଗରେ ସମସ୍ତେ ସମାନ । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର, ହୋଡ଼ିଂ ଓ ବ୍ୟାନରକୁ ନେଇ ବିଜେଡ଼ି ଆପତି ଉଠାଇଛି ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରପୂର୍ଣ୍ଣ ପୋଷ୍ଟରକୁ ପ୍ରଥମେ ହଟାଇବା ପାଇଁ ତାଙ୍କ ଦଳ ପ୍ରୟାସ କରିବା ଦରକାର । ନିର୍ବାଚନ କମିଶନଙ୍କ ପାଖରେ ବିଜେଡ଼ି ଫେରାଦ ହୋଇଥିବା ବେଳେ ନିର୍ବାଚନ ଆୟୋଗ ମଧ୍ୟ ନିଜ ଆଡ଼ୁ ଏହାର ସରଜମିନ୍ ତଦନ୍ତ କରିବା ଆବଶ୍ୟକ । ଯଦି ପ୍ରଧାନମନ୍ତ୍ରୀଙ୍କ ପ୍ରଚାରପୂର୍ଣ୍ଣ ପୋଷ୍ଟର ହଟାଇବା ନୀତିସମ୍ମତ ତେବେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମଧ୍ୟ ହଟାଯାଉ"।
Published by:Soumya Das
First published: