News18 Odia Digital
ଭୁବନେଶ୍ବର: ରେଳ ବଜେଟକୁ ନେଇ ପୁଣିଥରେ ବିଜେଡି ବିଜେପି ମୁହାଁମୁହିଁ। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥ ଆବଣ୍ଟିତ ହୋଇଥିବା ବିଜେପି କହୁଥିବା ବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ଟାର୍ଗେଟ କରି କହିଛନ୍ତି ଓଡ଼ିଶାବାସୀଙ୍କୁ ଭୂଇଁ ବୁଲାନ୍ତୁ ନାହିଁ।
ପ୍ରଣବ କହିଛନ୍ତି, "ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇଥିବା କହି ବାଃ ବାଃ ନେବା ଛାଡ଼, ବାସ୍ତବତା କଣ ସେଇଟା ଓଡ଼ିଶାବାସୀ ବହୁତ ଭଲ ଭାବେ ବୁଝି ସାରିଛନ୍ତି। ଉଦାହରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଯାହା ଆପଣଙ୍କ ସରକାରଙ୍କ ପୂର୍ବରୁ କାମ ଆରମ୍ଭ ହୋଇଥିଲା। ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲି ପାରିଛି। ଏ ହେଉଛି ଓଡ଼ିଶାରେ ରେଳ ବିକାଶର ବାସ୍ତବ ଚିତ୍ର। ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ। ଯଦି କାମ କରି ପାରୁନାହାଁନ୍ତି ତେବେ ଚୁପ ରୁହନ୍ତୁ। ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି। ୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ରେଳରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ଯଦି ଦେଖାଯିବ ତେବେ ଆବଣ୍ଟନ ସ୍ୱପ୍ନର ବାସ୍ତବତା ପ୍ରତିଫଳିତ ହେବ। ମୁଁ ପୁଣି ଅନୁରୋଧ କରୁଛି ଦୟାକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାନ୍ତୁ ନାହିଁ।"
ସେପଟେ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡ ସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ
ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ କେନ୍ଦ୍ର ବଜେଟରେ ରେକର୍ଡ ସଂଖ୍ୟକ ଅନୁଦାନ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି।
ସେ ଟ୍ୱିଟ୍ କରିଛନ୍ତି ଯେ ‘ପୂର୍ବୋଦୟ ମିଶନ’ରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ମୋଦି ସରକାରରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ଦାବି ଠାରୁ ଅଧିକ ଅର୍ଥ ମିଳିଛି। ଏହି ଅନୁଦାନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ।
ଓଡ଼ିଶାରେ ୩୭ଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୫୬୪ କୋଟି, ୪,୬୪୩ କିମି ରେଳ ଲାଇନର ଦହୋରୀକରଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ରେଳ ସଂଯୋଗକୁ ସୁଗମ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ଅର୍ଥନୀତିକୁ ସଶକ୍ତ କରିବ।
ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟରେ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୧୫୯୯ କୋଟି ଅନୁଦାନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବ।
ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଅନୁଗୁଳ- ସୁକିନ୍ଦା ରୋଡ ପାଇଁ ୨୦୦ କୋଟି ଅନୁଦାନ, ତାଳଚେର- ଅନୁଗୋଳ ନୂଆ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ସ୍ବାଗତଯୋଗ୍ୟ।
ଲିଙ୍ଗରାଜ ରୋଡ ଷ୍ଟେସନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ଏବଂ ଭୁବନେଶ୍ଵର, ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ସମେତ ୫୭ଟି ଷ୍ଟେସନର ନବୀକରଣ ଓ କେବିକେ ଏବଂ ଆକାଂକ୍ଷୀ ଜିଲ୍ଲାରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବ। ନୂଆ ଜନ ଜାତୀୟ ଗୌରବ କୋରିଡର, ଏନର୍ଜି କୋରିଡର, ନୂଆ ବନ୍ଦର ସଂଯୋଗ ପାଇଁ ରେଳ ଭିତ୍ତିଭୂମି ଏବଂ ୱାନ ଷ୍ଟେସନ- ୱାନ ପ୍ରଡକ୍ଟ ପାଇଁ ଓଡ଼ିଶାର ୨୮ଟି ଷ୍ଟେସନ ଚିହ୍ନଟ କରିବା ପାଇଁ ହୋଇଥିବା ଅଭିନବ ଯୋଜନା ଦ୍ୱାରା ରାଜ୍ୟର ଜନସାଧାରଣ ବିଶେଷ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।