ବ୍ଲକ ଚେୟାରମ୍ୟାନ ପାଇଁ ଦଳୀୟ କସରତ; ଫୋନ ବନ୍ଦ କରି ହୋଟେଲରେ ଅଛନ୍ତି ସମିତି ସଭ୍ୟ

ପରଦା ପଛରେ ବ୍ଲକ ଚେୟାରମ୍ୟାନ ପାଇଁ ଦଳୀୟ କସରତ। ମ୍ୟାଜିକ ନମ୍ବର ଦୂରରୁ ଥିବାରୁ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି ।

ବ୍ଲକ ଚେୟାରମ୍ୟାନ ପାଇଁ ବିଜେଡ଼ି ଓ ବିଜେପି ଛକାପଞ୍ଝା ଲାଗିଛନ୍ତି (ପ୍ରତୀକାତ୍ମକ ଛବି)

ବ୍ଲକ ଚେୟାରମ୍ୟାନ ପାଇଁ ବିଜେଡ଼ି ଓ ବିଜେପି ଛକାପଞ୍ଝା ଲାଗିଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ପରଦା ପଛରେ ବ୍ଲକ ଚେୟାରମ୍ୟାନ ପାଇଁ ଦଳୀୟ କସରତ।  ନିର୍ବାଚିତ ସମିତି ସଭ୍ୟ ଏବେ ଅଜ୍ଞାତ ବାସରେ। ମ୍ୟାଜିକ ନମ୍ବର ଦୂରରୁ ଥିବାରୁ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଫୋନ ଅଫ କରି ଦୀଘା ଓ ପୁରୀରେ ସମିତିସଭ୍ୟ ମାନେ ଥିବା ସୂଚନା ମିଳୁଛି।

ପଞ୍ଚାୟତ ନିର୍ବାଚନର ଫଳ ବାହାରି ସାରିବା ପରେ ଏବେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ଥିଲା। ଦଳୀୟ ଭିତ୍ତରେ ଜିଲ୍ଲା ପରିଷଦ ଲଢ଼ା ଯାଉଥିବାରୁ ଏନେଇ ଦଳର ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତେ ମାନିବାକୁ ବାଧ୍ୟ ହେବେ। କିନ୍ତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିବା ନେଇ ଏବେ ବିଧାୟକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।  ସମିତି ଅଧ୍ୟକ୍ଷ ପଦ ଅକ୍ତିଆର କରିବା ସବୁଠୁ ବଡ଼ ସମିତି ଚ୍ୟାଲେଞ୍ଜ ହୋଇପଡ଼ିଛି। ଦୀଘା , ପୁରୀ, ଭୁବନେଶ୍ବର ତଥା ଅନ୍ୟ ସହରରେ ଥିବା ହୋଟେଲ୍, ରିସୋର୍ଟ, ଫାର୍ମ ହାଉସ୍ ଆଦିରେ ନବନିର୍ବାଚିତ ସମିତି ସଦସ୍ୟମାନଙ୍କୁ ନେଇ ରଖାଯାଇଥିବା ଜାଣିବାକୁ ମିଳିଛି।

ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷ ପଦ ଚଳିତଥର ଏହି ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବ୍ଲକର ପଞ୍ଚାୟତ ସଂଖ୍ୟା ୩୭ ଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୧୯। ତେବେ କୌଣସି ଦଳ ଏହି ମ୍ୟାଜିକ୍ ସଂଖ୍ୟା ହାସଲ କରିପାରି ନଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ୧୫ଟି ଆସନରେ ଜିତିଥିବାଦଳ ପକ୍ଷରୁ ଦାବି କରାଯାଇଛି। ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀ ୧୪ଟି ଆସନରେ ବିଜୟୀ ହୋଇଥିବା ଜଣାଯାଇଥିବାବେଳେ ବିଜେଡ଼ି ଓ ବିଜେପିର ଅସନ୍ତୁଷ୍ଟ ତଥା ସ୍ବାଧୀନ ପ୍ରାର୍ଥୀଭାବେ ୮ଜଣ ପ୍ରାର୍ଥୀ ଜିତିଥିବା ଜଣାପଡ଼ିଛି। ତେବେ ଚଳିତ ନିର୍ବାଚନ ରସୁଲପୁର, କୁରାଡ଼ିହା, ଛାନୁଆ, ବୁଆଁଳ ଓ ରଣସାହିପଞ୍ଚାୟତର ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ରସାଳପୁର, ଶାସଙ୍ଗ, ଓଡ଼ିଙ୍ଗ, ଗୁଡୁ ଓ ଜୟଦେବକସବା ପଞ୍ଚାୟତର ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଏହି ସବୁ ଆସନରେ ନିର୍ବାଚିତ ହୋଇଥିବା ମହିଳା ସମିତି ସଦସ୍ୟମାନଙ୍କୁ ନେଇ ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇଛି।

ପଞ୍ଚାୟତ ସମିତି ସଦସ୍ୟ ପାଇଁ ଦଳୀୟ ଭିତ୍ତରେ ନିର୍ବାଚନ ହେଉ ନଥିବାରୁ ସେମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥାନ୍ତି। ଏଥର ପ୍ରତି ରାଜନୈତିକ ଦଳର ଏକାଧିକ ସମର୍ଥକ ଅନେକ ସ୍ଥାନରେ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଥିଲେ। ବିଶେଷ କରି ଶାସକ ଦଳରେ ବିଧାୟକଙ୍କ ସମର୍ଥନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ସେହି ଦଳର କିଛି ଅସନ୍ତୁଷ୍ଟ ନେତାମାନେ ଲଢ଼ି ଜିତି ମଧ୍ୟଯାଇଛନ୍ତି।

"ସମିତି ସଭ୍ୟମାନଙ୍କୁ ଏକଜୁଟ କରି ଗୋଟିଏ ସ୍ଥାନରେ ରଖା ଯାଇଛି । ଏହା ପ୍ରଥମ ଘଟଣା ନୁଁହେ।  ପୂର୍ବରୁ ମଧ୍ୟ ଅନେକ ଥର ଏପରି କରାଯାଇଛି । ଯଦିବା ଦଳ ଚିହ୍ନରେ ନୁଁହେ ହେଲେ ରାଜନୈତିକ ଦଳର ସମର୍ଥନ ରହିଥାଏ ପ୍ରାର୍ଥୀଙ୍କ ପ୍ରତି । ଏପରିକି ଦଳୀୟ ନିଷ୍ପତ୍ତିରେ ପ୍ରାର୍ଥୀ ହୋଇଥାନ୍ତି",କହିଛନ୍ତି ଜଣେ ଦଳୀୟ ନେତା।

ସବୁ ଦଳର ନିୟନ୍ତ୍ରଣ ସମିତିସଭ୍ୟ ଓ ସରପଞ୍ଚମାନଙ୍କ ଉପରେ ରହୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ଲକ ଚେୟାରମ୍ୟାନ ଗଠନ ପାଇଁ ଦଳମାନେ ଆଗଭର ହେବା ସ୍ବାଭାବିକ । ତେବେ ମ୍ୟାଜିକ ନମ୍ବର କେହି ପହଞ୍ଚି ପାରିନଥିବାରୁ ଘୋଡ଼ା ବେପାର ଆଶଙ୍କା ଦେଖାଦେଇଛି,"କହିଛନ୍ତି ରାଜନୈତିକ ବିଶେଷଜ୍ଞ ଗୋପାଳ କୃଷ୍ଣ ପରିଡ଼ା।
Published by:Soumya Das
First published: