ବୁର୍ଲା ସହରରେ ପଶି ଆତଙ୍କ ସୃଷ୍ଟି କଲା ଜଙ୍ଗଲୀ ବାର୍‌ହା; ବହୁ କଷ୍ଟରେ କାବୁ କଲା ବନ ବିଭାଗ

ଚନ୍ଦଲି ପାହାଡ଼ର ଜଙ୍ଗଲ ମଧ୍ୟରୁ ଖାଦ୍ୟ ଅନ୍ବେଷଣରେ ଜନ ବସତିକୁ ଚାଲି ଆସିଥିଲା ବାର୍‌ହାଟି । କେତେବେଳେ କାହା ଘର ଭିତରେ ପଶି ଯାଉଥିଲା ତ ଆଉ କେତେବେଳେ କାହା ଘର ଅଗଣାରେ ବୁଲୁଥିଲା ।

ବୁର୍ଲା ସହରରେ ପଶି ଆତଙ୍କ ସୃଷ୍ଟି କଲା ଜଙ୍ଗଲୀ ବାର୍‌ହା; ବହୁ କଷ୍ଟରେ କାବୁ କଲା ବନ ବିଭାଗ
ବାର୍‌ହାକୁ ଧରିବାରେ ଲାଗିଛନ୍ତି ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ମହାନଗର ଅଞ୍ଚଳରେ ଥିବା ବୁର୍ଲା ସହରରେ କିଛି ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ବାର୍‌ହାକୁ ଶେଷରେ ଧରାଯାଇଛି । ସହରର  ପି.ଡବ୍ଲୁ.ଡି. କଲୋନି ଓ ଶକ୍ତି ନଗର ଅଞ୍ଚଳରେ ଏହି ଜଙ୍ଗଲୀ ବାର୍‌ହା ଭୟରେ ଲୋକେ ଘରୁ ବାହାରିବା ପୂର୍ବରୁ ଅନେକ ଥର ଭାବୁଥିଲେ ।

ସ୍ଥାନୀୟ ଚନ୍ଦଲି ପାହାଡ଼ର ଜଙ୍ଗଲ ମଧ୍ୟରୁ ଖାଦ୍ୟ ଅନ୍ବେଷଣରେ ଜନ ବସତିକୁ ଚାଲି ଆସିଥିଲା ବାର୍‌ହାଟି  । କେତେବେଳେ କାହା ଘର ଭିତରେ ପଶି ଯାଉଥିଲା ତ ଆଉ କେତେବେଳେ କାହା ଘର ଅଗଣାରେ ବୁଲୁଥିଲା । ଏଥର ଯଦିଓ କୌଣସି ଲୋକଙ୍କୁ ଆକ୍ରମଣ କରି ନ ଥିଲା ଏହି ଜଙ୍ଗଲୀ ବାର୍‌ହା, ପୂର୍ବ ବର୍ଷର କଥାକୁ ମନେ ପକାଇ ଆତଙ୍କିତ ହୋଇଥିଲେ ସ୍ଥାନୀୟ ଲୋକେ ।

ଦୁଇ ବର୍ଷ ପୂର୍ବରୁ ଏମିତି ଏକ ଜଙ୍ଗଲୀ ବାର୍‌ହା ପଶି ଆସିଥିଲା ବୁର୍ଲା ସହରର ସେହି ପି.ଡବ୍ଲୁ.ଡି. କଲୋନି ଓ ଶକ୍ତି ନଗରକୁ । ଜଙ୍ଗଲୀ ବାରହାର ଆକ୍ରମଣରେ ଆହତ ହୋଇଥିଲେ ସହରର ଏକାଧିକ ବ୍ୟକ୍ତି । ବନ ବିଭାଗ କର୍ମଚାରୀମାନେ ମଧ୍ୟ ବାର୍‌ହା ଆକ୍ରମଣରେ ଗୁରୁତର ହୋଇଥିଲେ ।

ବାର୍‌ହାଟିକୁ ଜାଲ ଲଗାଇ ଧରିଥିଲେ ବନ ବିଭାଗର କର୍ମଚାରୀମାନେ ।


ସେଇଥି ପାଇଁ ଏଥର ସହରରେ ଜଙ୍ଗଲୀ ବାର୍‌ହା ପଶି ଥିବାର ଖବର ଜଣା ପଡ଼ିବା ପରେ ଆତଙ୍କିତ ହୋଇଥିଲେ ସ୍ଥାନୀୟ ଲୋକେ । ଖବର ଦେଇଥିଲେ ବନ ବିଭାଗକୁ । ଏହା ପରେ ଚାଲିଥିଲା ବାର୍‌ହା ଧରା ଅଭିଯାନ । ବାର୍‌ହାଟି ଏକ ପାଚେରି ଭିତରକୁ ପଶି ଯିବା ପରେ ପାଚେରିର ଗେଟକୁ ବନ୍ଦ କରାଯାଇ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ହୋଇଥିଲା । ବହୁ କଷ୍ଟରେ ବାର୍‌ହାଟିକୁ ଜାଲ ଲଗାଇ ଧରିଥିଲେ ବନ ବିଭାଗର କର୍ମଚାରୀମାନେ । ରେଞ୍ଜର ପ୍ରଭାକର ବେହେରା, ଫରେଷ୍ଟର ହିମାଶୁଂ ଶେଖର ସେଠ, ଫରେଷ୍ଟ ଗାର୍ଡ ତଥା ଅନ୍ୟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ବାର୍‌ହାକୁ ଦେଖିବା ପାଇଁ କିଛି ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା । ଜଙ୍ଗଲୀ ବାର୍‌ହାକୁ ବନ ବିଭାଗର କର୍ମଚାରୀମାନେ ଆୟତ୍ତ କରି ଜିରୋ ପଏଣ୍ଟ ନିକଟରେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଛାଡ଼ି ଦେଇଥିଲେ । ତେବେ ବରମ୍ବାର ଜଙ୍ଗଲୀ ବାରହା ଉତ୍ପାତ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।

‘‘ଜଙ୍ଗଲୀ ବାର୍‌ହାଟି ସ୍ଥାନୀୟ ଚାନ୍ଦଲି ଡୁଙ୍ଗୁରୀ ଜଙ୍ଗଲରୁ ସହରକୁ ଆସିଥିବା ଜଣା ପଡୁଛି । ତାକୁ ଉଦ୍ଧାର କରିବା ପରେ ଆମେ ତାକୁ ବରଗଡ଼ ଜିଲ୍ଲା ଅଞ୍ଚଳରେ ଥିବା ଦେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଛାଡ଼ି ଦେଇଛୁ । ସେଠାରୁ ସେ ବାର୍‌ହା ଆଉ ବୁର୍ଲା ଆସିବ ନାହିଁ,’’ କହିଛନ୍ତି ଟାଉନ ରେଞ୍ଜର ପ୍ରଭାକର ବେହେରା ।

ଏହା ବି ପଢ଼ନ୍ତୁ: ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କରୋନା ପଜିଟିଭ୍ ହେଲେ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ

ଡେବ୍ରିଗଡ଼ ବନ୍ୟ ପ୍ରାଣୀ ଅଭୟାରଣ୍ୟ ହୀରାକୁଦ ଜଳଭଣ୍ଡାରକୁ ଲାଗି କରି ଅବସ୍ଥିତ । ଏହାର ଜିରୋ ପଏଣ୍ଟ ନିକଟବର୍ତ୍ତୀ ଅଞ୍ଚଳକୁ ମିଶାଇ ରାଜ୍ୟର ଦ୍ୱିତୀୟ ବୃହତ ଚିଡ଼ିଆଖାନା କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ।
Published by: Anand Shankar Thankur Das
First published: July 12, 2020, 1:26 AM IST
corona virus btn
corona virus btn
Loading